ଆସ ମହୁପ୍ରେମୀ ଗ୍ରାହକ ମୋର ଭାଇଭଉଣୀ 

Advertisment

ମହୁ ରାଜ୍ୟେ ପଶି ଶୁଣିବା ସେହି ମହୁକାହାଣୀ . . .

ପେଶାରେ ସେ ଜଣେ ମହୁଚାଷୀ କିନ୍ତୁ ନିଶାରେ ଆଶୁ କବି ।  ବୟସର ଅପରାହ୍ନରେ ବି ସକ୍ଷମ ଆଉ ପାରଙ୍ଗମ । ଗୋଟିଏ ଗୋଡ଼ ଚାଲୁନି, ଚଳାବୁଲା କରିବା କଷ୍ଟକର ହେଉଛି  । ତଥାପି ପରିଣତ ବୟସରେ ତାଙ୍କ ଭିତରେ ଭରି ରହିଛି ଯୁବ ସୁଲଭ ଚପଳତା । କାହା ଉପରେ ନିର୍ଭର ନକରି ତଥା ବୋଝ ନହୋଇ କଠିନ ପରିଶ୍ରମ କରିଚାଲିଛନ୍ତି । ଡିଜିଟାଲ ଯୁଗରେ ଚାଷ କରିବାକୁ କେହି ମଙ୍ଗୁନଥିବା ବେଳେ, ମହୁଚାଷ କରି ଗୁଜୁରାଣ ମେଣ୍ଟାଉଛନ୍ତି ଦିବ୍ୟାଙ୍ଗ ପଦ୍ମନାଭ । ସେ ଏପରି ଜଣେ ନିଆରା ମଣିଷ, ଯିଏ ମହୁ ଚାଷ କରିବା ସହ ଗାଁ ଗାଁ ବୁଲି ମହୁ ବିକ୍ରୟ କରନ୍ତି । ଜଣେ ସଫଳ ମହୁଚାଷୀ ଭାବେ ତାଙ୍କୁ ଯେତିକି ପରିଚୟ ଦେଇଛି, ଜଣେ କବି ଭାବେ ସେ ସ୍ଥାନୀୟ ଅଞ୍ଚଳରେ ସେତିକି ପ୍ରଶଂସା ସାଉଣ୍ଟିଛନ୍ତି ।

publive-image

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ବଟେଶ୍ୱର ପଂଚାୟତ କଣ୍ଟାବଣିଆ ଶାସନର ପଦ୍ମନାଭ ଶନିବିଗ୍ରହ । ବୟସ ୭୫ ବର୍ଷ । ଏ ବୟସରେ ପେଶା ଆଉ ନିଶାକୁ ଅତି ଆଗ୍ରହ ସହକାରେ ନର୍ବାହ କରିଚାଲିଛନ୍ତି ଏହି ଦିବ୍ୟାଙ୍ଗ ବୃଦ୍ଧ ଜଣକ । ବଳ ଥିବାବେଳେ କଠିନ ପରିଶ୍ରମ କରୁଥିଲେ ଆଉ ଘର ଚଳାଉଥିଲେ । ହେଲେ ବଳ ଯିବାପରେ ବି ଘରେ ଚୁପ ହୋଇ ବସି ନଥିଲେ ଏହି ପରିଶ୍ରମୀ ମଣିଷ ଜଣକ । ବୟସର ଅପରାହ୍ନରେ ମହୁ ଚାଷ ଆରମ୍ଭ କରିଥିଲେ ପଦ୍ମନାଭ । ଆଉ ଏଥିପାଇଁ ୧୯୮୬ ମସିହାରେ ସୋସାଇଟିରୁ ୨୦୦୦ ଟଙ୍କା ଋଣ ଆଣି ମହୁଚାଷ ଆରମ୍ଭ କରିଥିଲେ । ସେହିଦିନ ଠାରୁ ଗାଁ ଗାଁ ବୁଲି ମହୁ ବିକ୍ରି କରନ୍ତି, ଆଉ ସେହି ଟଙ୍କାରେ ଗୁଜରାଣ ମେଣ୍ଟାନ୍ତି ।

publive-image

ପଦ୍ମନାଭ କେବଳ ଜଣେ ମହୁଚାଷୀ ନୁହଁନ୍ତି ଜଣେ ଭଲ କବି ମଧ୍ୟ । ଯେଉଁଠି ବି ଆପଣ କହିବେ କବିତା ଶୁଣାଇ ଆପଣଙ୍କୁ ମନମୁଗ୍ଧ କରିପକାଇବେ । ହେଲେ ଦୁଃଖର ବିଷୟ ସେ ଜଣେ ଦିବ୍ୟାଙ୍ଗ । ୧୯୯୮ରେ ଅଷ୍ଟିଓପୋରସିସ୍ ରୋଗରେ ପୀଡ଼ିତ ହେବାରୁ,  ଡାହାଣ ଗୋଡ଼ ଅଚଳ ହୋଇଗଲା । ଗୋଡ଼ ଅଚଳ ହେଲା ସିନା ପଦ୍ମନାଭଙ୍ଗ ମନବୋଳକୁ ଦୋହଲାଇ ପାରିଲାନି । ନିଜର ତିନି ପୁଅ ଥିଲେ ମଧ୍ୟ କାହା ଉପରେ ବୋଝ ନହୋଇ ନିଜ ରୋଜଗାରରେ ଚଳୁଛନ୍ତି ପଦ୍ମନାଭ । ରୋଷେଇ କରିବା ଠାରୁ ଆରମ୍ଭ କରି ମନ୍ଦିର ଯିବାଆସିବା ଓ ନିଜର ସମସ୍ତ କାମ  ସେ ନିଜେ କରନ୍ତି ।

publive-image

ମହୁଚାଷ କରି ବର୍ଷକୁ ମାତ୍ର ୨୦ ହଜାର ଟଙ୍କା ଆୟ କରୁଛନ୍ତି ପଦ୍ମନାଭ । ସେ ଜଣେ କବି ହୋଇଥିବାରୁ ସରକାରଙ୍କ ପକ୍ଷରୁ ମାସକ ୧୨ ସହ କଳାକାର ଭତ୍ତା ପାଉଛନ୍ତି । ଲୋକଙ୍କୁ ଖାଣ୍ଟି ମହୁ ଯୋଗାଇବା ପାଇଁ ମହୁ ଚାଷ କରୁଥିବା ଏହି ମଣିଷ ଜଣକ କିନ୍ତୁ ବେଶୀ ଏହି ଚାଷରୁ ଲାଭବାନ ହୋଇପାରନ୍ତି ନାହିଁ  । ମହୁଚାଷ କରି ଯେଉଁ ରୋଜଗାର ହେଉଛି ସେଥିରେଘର ଚଳିବା କଷ୍ଟକର ହେଉଥିଲେ ହେଁ ସଂସ୍ଥାକୁ ବଞ୍ଚାଇ ରଖିବାକୁ ମହୁ ଚାଷ ସମ୍ପର୍କରେ ଲୋକଙ୍କୁ କାମ ଶିଖାଉଛନ୍ତି । ଏବଂ ମହୁଚାଷ ବିଷୟରେ ସଚେତନ କରୁଛନ୍ତି । ଏପରିସ୍ଥଳରେ ପଦ୍ମନାଭଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।