ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଉପଲକ୍ଷେ ସ୍ୱତନ୍ତ୍ର ବ୍ୟବସ୍ଥା : ଯାତ୍ରୀ ଓ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ୧୧ଟି ସ୍ଥାନରେ ରହିବ ସୂଚନା କେନ୍ଦ୍ର

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଉପଲକ୍ଷେ ସ୍ୱତନ୍ତ୍ର ବ୍ୟବସ୍ଥା :  ଯାତ୍ରୀ ଓ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ୧୧ଟି ସ୍ଥାନରେ ରହିବ ସୂଚନା କେନ୍ଦ୍ର

କନକ ବ୍ୟୁରୋ : ଚଳିତ ବର୍ଷ ରଥଯାତ୍ରାରେ ଯାତ୍ରୀ ଓ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ସୂଚନା ସରବରାହ ସମେତ ଅନ୍ୟାନ୍ୟ ଆତ୍ୟାବଶ୍ୟକ ସୁବିଧା ନିମନ୍ତେ ୧୧ଟି ସୂଚନା କେନ୍ଦ୍ର କାର୍ଯ୍ୟ କରିବ । ଏହି ସବୁ କେନ୍ଦ୍ର ସିଂହଦ୍ବାର, ବଳଗଣ୍ଡି, ବଡ଼ଶଙ୍ଖ, ଜଗନ୍ନାଥ ବଲ୍ଲଭ ମଠ, ଦିଗବାରେଣୀ, ଗୁଣ୍ଡିଚାବାଡ଼ି, ମାଳତୀ ପାଟପୁର, ସୁଭାଷ ବୋଷ ଛକ, ପାନ୍ଥ ଭବନ, ତାଳବଣିଆ ଓ ରେଳ ଷ୍ଟେସନ୍‌ରେ ରହିବ ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ଅପରାହ୍‌ଣରେ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ରଥଯାତ୍ରାରେ ବିଭାଗର କାର୍ଯ୍ୟକ୍ରମ ସଂପର୍କିତ ପ୍ରସ୍ତୁତି ବୈଠକରେ ଏହି ସୂଚନା ଦିଆଯାଇଛି । ସେହିପରି ବିଭାଗ ପକ୍ଷରୁ ୩ଟି ଫଟୋଚିତ୍ର ପ୍ରଦର୍ଶନ ଆୟୋଜିତ ହେବ । ଏଥିରେ ରଥଯାତ୍ରା ଏବଂ ଓଡ଼ିଶାର ବିକାଶଯାତ୍ରାର ରୂପରେଖ ସମ୍ବଳିତ ଫଟୋଚିତ୍ରମାନ ସ୍ଥାନ ପାଇବ ।

ବୈଠକରେ ଅଧ୍ୟକ୍ଷତା କରି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଉତ୍ସବର ତାତ୍ପର୍ଯ୍ୟ ସହିତ ଓଡ଼ିଶା ବିକାଶଯାତ୍ରାର ତଥ୍ୟ ଦେଶ ତଥା ଦେଶ ବାହାରେ ଉପସ୍ଥାପିତ ହେବା ଆବଶ୍ୟକ। ଏଥିପାଇଁ ବିଭାଗର ଆୟୋଜନ ସୁଦୃଢ଼ ହେବା ବାଞ୍ଛନୀୟ । ରଥଯାତ୍ରାରେ ବିଭାଗର କାର୍ଯ୍ୟକ୍ରମ ଉପରେ ସୂଚନା ଦେଇ ବିଭାଗୀୟ କମିସନର ତଥା ଶାସନ ସଚିବ ସଂଜୟ କୁମାର ସିଂହ କହିଥିଲେ, କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି ନରଖି ଦଳଗତ ମାନସିକତାରେ ବିଭାଗର କର୍ମଚାରୀ ଓ ଅଧିକାରୀମାନେ କାର୍ଯ୍ୟ କରିବେ । ବିଭାଗୀୟ ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି ରଥଯାତ୍ରା ସଂପର୍କିତ ବିବିଧ କାର୍ଯ୍ୟକ୍ରମ ଉପରେ ବିବରଣୀ ଉପସ୍ଥାପନ କରିଥିଲେ ।

ରଥଯାତ୍ରା ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଓଡ଼ିଆରେ ‘ଉତ୍କଳ ପ୍ରସଙ୍ଗ’ ଓ ଇଂରାଜୀରେ ‘ଓଡ଼ିଶା ରିଭ୍ୟୁ’ ପତ୍ରିକା ସମେତ ଶ୍ରୀଜଗନ୍ନାଥଙ୍କ ଜଣାଣ ଏବଂ ରଥଯାତ୍ରା ସୂଚନା ପୁସ୍ତିକା ଉନ୍ମୋଚିତ ହେବା ସହିତ ସୂଚନା କେନ୍ଦ୍ରଗୁଡ଼ିକରେ ବିକ୍ରୟ ନିମନ୍ତେ ବ୍ୟବସ୍ଥା କରାଯିବ । ବିଭିନ୍ନ ସରକାରୀ ବିକାଶମୂଳକ ଯୋଜନା ସଂପର୍କିତ କାର୍ଯ୍ୟକ୍ରମ ଇଲୋକ୍ଟ୍ରୋନିକ୍ସ ମିଡିଆରେ ପ୍ରସାରଣ କରାଯିବ ବୋଲି ‌ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ବିଭାଗୀୟ ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ଶାସନ ସଚିବ ଶୁଭେନ୍ଦ୍ର କୁମାର ନାୟକ, ଅତିରିକ୍ତ ନିର୍ଦେଶକ ନିରଂଜନ ସେଠୀ, ଉପ ଶାସନ ସଚିବ ଦୁର୍ଗା ପ୍ରସାଦ ମହାରଣା, ଦୁର୍ଯ୍ୟୋଧନ ବେହେରା, ଉପନିର୍ଦେଶକ ବିପିନ ବିହାରୀ ବାରିକଙ୍କ ସମେତ ଅନ୍ୟ ପଦାଧିକାରୀ ତଥା ସୂଚନା ଅଧିକାରୀମାନେ ଉପସ୍ଥିତ ଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe