ପରଲୋକରେ ଓଡ଼ିଶା ଶିଳ୍ପ ଜଗତର ମହାନାୟକ ବଂଶୀଧର ପଣ୍ଡା ! ୮୭ ବର୍ଷ ବୟସରେ ଆଖିବୁଜିଲେ ଇମ୍ଫା ପ୍ରତିଷ୍ଠାତା

55

କନକ ବ୍ୟୁରୋ : ଓଡିଶାର ବିଶିଷ୍ଟ ଶିଳ୍ପପତି ତଥା ଇମ୍ପାର ପ୍ରତିଷ୍ଠାତା ବଂଶୀଧର ପଣ୍ଡାଙ୍କ ଆଜି ପରଲୋକ ହୋଇଯାଇଛି । ୮୭ ବର୍ଷ ବୟସରେ ବଂଶୀଧରଙ୍କ ଦେହାନ୍ତ, ସାରା ରାଜ୍ୟରେ ଶୋକର ଛାୟା ଖେଳାଇଦେଇଛି । ସେଥିଲେ ଓଡିଶା ଶିଳ୍ପ ଜଗତର ଭିଷ୍ମ ପିତାମହ । ଓଡିଶାର ଶିଳ୍ପ ଜଗତକୁ ବଡ ଅବଦାନ ଦେଇଥିବା ବଂଶୀଧରଙ୍କ ଶେଷ ଦର୍ଶନ କରିଛନ୍ତି ସବୁ ଦେଳର ନେତା ଓ ବିଶିଷ୍ଟ ବ୍ୟକ୍ତି ।

ରାଜଧାନୀର ବମିଖାଲ ସ୍ଥିତ ବାସଭବନରେ ଶେଷ ଶ୍ରଦ୍ଧାଂଜଳି ଜଣାଇବା ପାଇଁ ନେତା ଓ ବିଶିଷ୍ଠ ବ୍ୟକ୍ତିଙ୍କ ଭିଡ ଲାଗିଯାଇଥିଲା । କାରଣ, ପରଲୋକକୁ ଚାଲିଯାଇଥିବା ବଂଶୀଧର ପଣ୍ଡା ଜଣେ ସାଧାରଣ ବ୍ୟକ୍ତି ନଥିଲେ, ସେଥିଲେ ଓଡିଶା ଶିଳ୍ପ ଜଗତର ଭିଷ୍ମ ପିତାମହ । ୧୯୬୧ ମସିହାରେ ରାୟଗଡାର ଥେରୁବାଲିରେ ଇମ୍ପା କାରଖାନା ପ୍ରତିଷ୍ଠା କରି ଶିଳ୍ପ ଜଗତରେ ଓଡିଶାକୁ ଆଉ ଏକ ପାଦ ଆଗକୁ ନେଇଯାଇଥିଲେ । ୮୭ ବର୍ଷ ବୟସରେ ଓଡିଶାର ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ ସାରା ରାଜ୍ୟରେ ଶୋକର ଛାୟା ଖେଳାଇଦେଇଛି । ଆଜି ବଂଶୀଧର ନିଜ ଗାଁ ମଧୁବନକୁ ଯାଇଥିଲେ । ମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ତାଙ୍କ ଦେହାନ୍ତ ହୋଇଯାଇଛି ।

ଆମେରିକାରୁ ଇଂଜିନିୟରିଂ ପାଠପଢା ସାରିବା ପରେ ଓଡିଶାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଚାହିଁଥିଲେ ବଂଶୀଧର । ତାଙ୍କରି ଉଦ୍ୟମରେ ରାୟଗଡାର ଥେରୁବାଲିରେ ପ୍ରତିଷ୍ଠା ହୋଇଥିଲା ଇମ୍ପା । ଦୀର୍ଘ ଦିନ ଧରି ସେ ଇମ୍ପାର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ଥିଲେ । ଏଥିସହ ଖଡଗପୁର ଆଇଆଇଟି ଓ କୋଲକାତା ଆଇଆଇଏମ୍ ଭଳି ସଂସ୍ଥାର ପରିଚାଳନା କମିଟିର ସଦସ୍ୟ ଥିଲେ । ଏପରିକି ଉତ୍କଳ ଚାମ୍ବର ଅଫ କମର୍ସର ପୂର୍ବତନ ଅଧ୍ୟକ୍ଷ ଥିଲେ ବଂଶୀଧର । ହାଭାର୍ଡ ଏବଂ ମିଚିଗାନ୍ ଭଳି ୟୁନିଭରସିଟିରୁ ସେ ଡିଗ୍ରୀ ଲାଭ କରିଥିଲେ । ବଂଶୀଧରଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସବୁଦଳର ନେତା ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।