ଭାରତର ଏକ ନିଆରା ଜେଲ୍ ! ଯେଉଁଠି କଏଦୀଙ୍କୁ ମିଳେ ସାଧାରଣ ଜୀବନର ସୁଖ ଓ ପୂର୍ଣ୍ଣ ସ୍ୱାଧୀନତା

39

ସାଧାରଣରେ ଆମେ ଯଦି ଜେଲ୍‌ କଥା ଭାବୁ ତାହେଲେ ମନରେ ଭୟ ଆସିଯାଏ । ଆଖି ଆଗକୁ ଚାଲିଆସେ ପୋଡା ରୁଟି, ପାଣିଆ ଡାଲି, ଧଳା ପୋଷାକ ଓ ଅନ୍ଧାର କୋଠରୀ । ଏହି ପରି ଦୃଶ୍ୟ ଆମ ଆଖି ସାମ୍ନାକୁ ଚାଲି ଆସେ, କିନ୍ତୁ ଆମ ଭାରତରେ ଏପରି ଏକ ଜେଲ୍‌ ଅଛି ଯେଉଁଠାରେ କଏଦୀ ଅତି ଆନନ୍ଦରେ ଜୀବନଯାପନ କରିଥାନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ମୁକ୍ତ ଜେଲ୍‌ ଅଛି ଯେଉଁଠାରେ କଏଦୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆପାଟମେଣ୍ଟ ନିର୍ମାଣ କରାଯାଇଛି । ପ୍ରତି ଆପାଟମେଣ୍ଟରେ ଦୁଇଟି ଲେଖାଏଁ ରୁମ୍‌ ଅଛି। ଏଠାରେ କଏଦୀମାନେ ତାଙ୍କ ପତ୍ନୀ ଓ ପିଲାଙ୍କ ସହ ରହିପାରିବେ । ଖାଲି ଏତିକି ନୁହେଁ, ଏଠାରେ କଏଦୀମାନଙ୍କୁ ବାହାରକୁ ବୁଲିବାକୁ ଯିବା ପାଇଁ ଓ ବାହାରେ କାମ କରିବା ପାଇଁ ମଧ୍ୟ ସୁବିଧା ଦିଆଯାଏ ।

ଏହି ଜେଲ୍‌ର ନାମ ହେଉଛି ‘ଅହଲ୍ୟାବାଈ ଓପନ୍‌ କଲୋନି’ । ଜେଲ୍‌ର ସୁପରିଟେଣ୍ଡେଣ୍ଟଙ୍କ କହିବା ଅନୁଯାୟୀ, ଭାରତେରେ ବହୁତ ଖୋଲା ଜେଲ ଅଛି ଯେଉଁଠାରେ କଏଦୀମାନଙ୍କୁ ବାହାରକୁ ବୁଲିବାକୁ ଛଡାଯାଏ । କିନ୍ତୁ ଭାରତରେ ଏହା ପ୍ରଥମ ଜେଲ ଯେଉଁଠାରେ କଏଦୀମାନଙ୍କୁ ବାହାରକୁ କାମ କରିବା ପାଇଁ ଛାଡିବା ସହ ନିଜ ପରିବାରଙ୍କ ସହ ରହିବା ପାଇଁ ମଧ୍ୟ ସୁବିଧା ଦିଆଯାଏ ।

jail
image courtesy-https://www.indiatimes.com

ଭୁପିନ୍ଦର ସିଂ ନାମଙ୍କ ଜଣେ କଏଦୀ ହତ୍ୟା ଅଭିଯୋଗରେ ୧୨ ବର୍ଷ ଜେଲ୍‌ ଦଣ୍ଡ ଭୋଗି ସାରିଲେଣି ବିଭିନ୍ନ ଜେଲରେ । ତାଙ୍କ କହିବା କଥା, ସେ ଯେବେଠାରୁ ଏହି ଜେଲ୍‌କୁ ଆସିଲେ ତାଙ୍କ ଭାଗ୍ୟ ବଦଳି ଗଲା । ତାଙ୍କୁ ଏପରି ଅନୁଭବ ହେଉଛି ଯେପରି ତାଙ୍କୁ ଜାମିନ ମିଳିଯାଇଛି । ଏହି କଲୋନିରେ ବଛା ବଛା କଏଦୀଙ୍କୁ ରହିବା ପାଇଁ ସ୍ଥାନ ମିଳିଥାଏ, ଯେଉଁମାନଙ୍କୁ ଆଜୀବନ କାରାଦଣ୍ଡ ମିଳିଥାଏ । କିନ୍ତୁ ନିଜର ଉତ୍ତମ ବ୍ୟବହାର ପାଇଁ ତାଙ୍କ ଦଣ୍ଡ କମ୍‌ କରାଯାଇଥାଏ କିମ୍ବା ଦୁଇ ତିନି ବର୍ଷ ମଧ୍ୟରେ ସଜ୍ଜା ପୂରା ହେବାକୁ ଥାଏ ସେହି କଏଦୀମାନଙ୍କୁ ଏହି ସୁବିଧା ମିଳିଥାଏ । ଅପରାଧୀଙ୍କୁ ଉତ୍ତମ ନାଗରିକ ବନାଇବା ଏହାର ଅସଲ ଉଦ୍ଦେଶ୍ୟ ଅଟେ ।