ଶ୍ରୀମନ୍ଦିରରେ ଇଣ୍ଡୋନେସିଆ ରାଜ ପରିବାର ହଟହଟା : ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିର ବାହାରେ ଠିଆ ହେଲେ ଦେଢ଼ ଘଣ୍ଟା

1,318

କନକ ବ୍ୟୁରୋ : ଇଣ୍ଡୋନେସିଆ ବାଲି ଦ୍ବୀପର କରଙ୍ଗାସେମ୍ ରାଜ ପରିବାରଙ୍କୁ ଗତକାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ଦେଢ଼ ଘଣ୍ଟା ମନ୍ଦିର ବାହାରେ ଠିଆ ହେବାକୁ ପଡ଼ିଛି । କରଙ୍ଗାସେମ୍ ରାଜ ପ୍ରତିନିଧି ଗୁସ୍ତି ଆୟୁ ମାସ ସୁମତ୍ରୀ, ରାଜ ପରିବାରର ଆଗୁସ ଇନ୍ଦ୍ର ଉଦାୟନ, ମାଦେ ସୌର୍ତାନ୍, ଗୁସ୍ତି ବାକୁସ ଜୟ ଅର୍ସନା, ୱାୟାଁ ଆସ୍ତିକା, ଇଦା ଆୟୁ ମାଦେ ଦ୍ବିତା ସୁଗିଆନ୍ତିନି, ଇଦା ବାଗୁସ୍ ଆଗୁଙ୍ଗ୍ ଗୁଣର୍ଥ୍ବାୱା, ୱାୟାଁ ସାରି ଡିକା ପ୍ରମୁଖ ୭ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ।

ଗତକାଲି ଅପରାହ୍ଣ ପ୍ରାୟ ଗୋଟାଏ ୧୦ ମିନିଟ୍‌ରେ ସମସ୍ତେ ଶ୍ରୀମନ୍ଦିର ସିଂହଦ୍ବାରଠାରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପହଞ୍ଚିଥିଲେ । କିନ୍ତୁ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ସେମାନଙ୍କୁ ଅଟକାଯାଇ ପରିଚୟ ମଗାଯାଇଥିଲା । ଇଣ୍ଡୋନେସିଆର ଏହି ରାଜ ପରିବାର ନିଜ ପରିଚୟ ‌ଦେବା ପାଇଁ ପାଖାପାଖି ଦେଢ଼ ଘଣ୍ଟା ଅପେକ୍ଷା କରିବା ପରେ ସେମାନଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିଥିଲା । ମହାପ୍ରଭୁଙ୍କ ଦର୍ଶନ ପରେ ଏହି ରାଜ ପରିବାର କହିଛନ୍ତି, କଳିଙ୍ଗ ସହ ବାଲିର ବହୁ ଘନିଷ୍ଠ ସଂପର୍କ ରହିଛି । ଏ ଦୃଷ୍ଟିରୁ ଓଡ଼ିଶା ଆମ ଘର ଭଳି।  କୋଣାର୍କ-ପୁରୀ ସଦାସର୍ବଦା ବାଲି ଲୋକଙ୍କୁ ଆକର୍ଷିତ କରି ଆସିଛି ।

ଭବିଷ୍ୟତରେ କଟକକୁ ସିଷ୍ଟର ସିଟି ଭାବେ ବାଲି ପରିଚୟ ଦେବାକୁ ଯାଉଛି । କଟକରେ ସିଷ୍ଟର ମନ୍ଦିର ବି ହେବାକୁ ଯାଉଛି । ଏ ସଂପର୍କରେ ଆସନ୍ତାକାଲି କଟକ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଆଲୋଚନା କାର୍ଯ୍ୟକ୍ରମ ରହିଛି । ପରବର୍ତୀ ସମୟରେ ପୁରୀକୁ ଏହି ମାନ୍ୟତା ଦେବାର ଯୋଜନା ରହିଛି । ଏହାର ମୂଳ ଉଦ୍ଦେଶ୍ୟ ବାଲି ସହ ଓଡ଼ିଶାର ସଂପର୍କକୁ ନିବିଡ଼ କରିବା ଏବଂ କଟକ, ପୁରୀ ଭଳି ସ୍ଥାନକୁ ବାଲିର ପର୍ଯ୍ୟଟକ ସଂଖ୍ୟା ବଢ଼ାଇବା । ମାର୍ଚ୍ଚ ୯ରେ ନୂଆଦିଲ୍ଲୀ ଫେରିବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଥିବା ଏହି ରାଜ ପରିବାର କହିଛନ୍ତି ।