ଭାରତୀୟଙ୍କୁ ଫେରାଇ ଆଣିବାକୁ ବନ୍ଦେ ଭାରତ ମହାଅଭିଯାନ ଆରମ୍ଭ : ପ୍ରଥମ ଦିନରେ ୟୁଏଇରୁ ବିମାନରେ କେରଳକୁ ଫେରିଲେ ୩୬୩ ଜଣ,ଆଗାମୀ ୭ ଦିନରେ ଉଦ୍ଧାର ହେବେ ୧୨ ଦେଶରେ ଫସିଥିବା ପ୍ରାୟ ୧୫ ହଜାର ଭାରତୀୟ

230

କନକ ବ୍ୟୁରୋ : ୟୁଏଇରୁ ଭାରତକୁ ଫେରିଆସିଲେ ୩୬୩ ଜଣ ଯାତ୍ରୀ । ଏୟାର ଇଣ୍ଡିଆର ଦୁଇଟି ବିମାନରେ ଆବୁଧାବି ଓ ଦୁବାଇରୁ ପ୍ରବାସୀ ଭାରତୀୟଙ୍କୁ ଆଣି କେରଳ ପହଂଚିଛି । ବନ୍ଦେ ଭାରତ ମିଶନ ଜରିଆରେ ପ୍ରଥମ ଥର ଭାରତ ଆସିଥିବା ୩୬୩ ଯାତ୍ରୀଙ୍କ ମଧ୍ୟରେ ଅଛନ୍ତି ୩୯ ଜଣ ଗର୍ଭବତୀ ମହିଳା । ଏୟାର ଇଣ୍ଡିଆ ଏକ୍ସପ୍ରେସର ପ୍ରଥମ ବିମାନ ଆବୁଧାବିରୁ ୧୮୧ ଜଣ ପ୍ରବାସୀ ଭାରତୀୟଙ୍କୁ ନେଇ କେରଳର କୋଚି ବିମାନ ବନ୍ଦରରେ ରାତି ପ୍ରାୟ ୧୦ଟା ପହଂଚିଥିଲା । ଏହାର ଠିକ୍ ୨୦ ମିନଟ ପରେ କେରଳର କୋଝିକଡ ବିମାନ ବନ୍ଦରରେ ପହଂଚିଥିଲା ୧୮୨ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆର ଅନ୍ୟ ବିମାନ । ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ବୃଦ୍ଧ, ବୃଦ୍ଧା ମହିଳା ଓ ଶିଶୁ ରହିଛନ୍ତି ।

କୋଚି ଓ କୋଝିକଡ ବିମାନ ବନ୍ଦରରେ ପହଂଚିବା ପରେ ସେମାନଙ୍କ ସ୍କ୍ରିନିଂ କରାଯାଇ ଏୟାରପୋର୍ଟ ପରିସରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଛି । ଯେହେତୁ ଯାତ୍ରୀଙ୍କ ମଧ୍ୟରେ ସଂଖ୍ୟାଧିକ ମହିଳା, ଶିଶୁ ଓ ବୃଦ୍ଧ ଅଛନ୍ତି । ତେଣୁ ପରେ ବସ କିମ୍ବା ସ୍ୱତନ୍ତ୍ର ଗାଡିରେ ତାଙ୍କ ଜିଲ୍ଲାକୁ ପଠାଇ ସେଠାରେ କ୍ୱାରେଟିନ କରିବାକୁ ପ୍ରଶାସନ ନିଷ୍ପତି ନେଇଛି । ବନ୍ଦେ ଭାରତ ମିଶନ ଅପରେସନ ଜରିଆରେ ପ୍ରଥମ ସପ୍ତାହରେ ୧୨ଟି ଦେଶରେ ଫସିଥିବା ୧୫ ହଜାର ଭାରତୀୟଙ୍କୁ ଫେରାଇ ଅଣାଯିବ ।

ମେ ୭ରୁ ମେ ୧୩ ଯାଏଁ ଚାଲିବାକୁ ଥିବା ବନ୍ଦେ ଭାରତ ମିଶନରେ ୬୪ଟି ବିମାନ ଯୋଗେ ଓ ଜଳ ପଥରେ ୟୁଏଇ, ସାଉଦି ଆରବ, କତାର, ବାହରିନ, କୁଏତ, ଓମାନ, ବାଂଲାଦେଶ, ଫିଲିପାଇନ୍ସ, ସିଙ୍ଗାପୁର, ମାଲେସିଆ, ଲଣ୍ଡନ ଓ ଆମେରିକାରୁ ପ୍ରବାସୀ ଭାରତୀଙ୍କୁ ଅଣାଯିବ । ଯେଉଁମାନେ ବି ଭାରତକୁ ଫେରିବେ, ସେମାନେ ନିଜ ଯାତ୍ରା ଭଡା ଟଙ୍କା ଦେବେ. କଡା ସ୍କ୍ରିନିଂ ପ୍ରକ୍ରିୟା ଦେଇ ଆସିବା ସହ ଆରୋଗ୍ୟ ସେତୁ ଆପ୍ପ ବ୍ୟବହାର କରିବେ । ଏହାଛଡା ସ୍ୱଦେଶ ଫେରିବା ପରେ ସେମାନେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କ୍ୱାରେନଟିନରେ ରହିବେ ।