ଆଜିଠୁ ସ୍ୱଦେଶ ଫେରିବେ ବିଦେଶରେ ଫଶି ରହିଥିବା ଭାରତୀୟ : ବନ୍ଦେ ଭାରତ ମିଶନ ଜରିଆରେ ପ୍ରଥମ ପର୍ଯ୍ୟାୟରେ ୧୨ଟି ଦେଶରୁ ଆସିବେ ୧୫ଶହ ପ୍ରବାସୀ,ବିଭିନ୍ନ ବିମାନବନ୍ଦରରେ ବ୍ୟାପକ ପ୍ରସ୍ତୁତି

183

କନକ ବ୍ୟୁରୋ: ଆଜିଠୁ ପର୍ଯ୍ୟାୟକ୍ରମେ ସ୍ୱଦେଶ ଫେରିବେ ବିଦେଶରେ ଫଶି ରହିଥିବା ଭାରତୀୟ । ବନ୍ଦେ ଭାରତ ମିଶନ ଜରିଆରେ ପ୍ରଥମ ପର୍ଯ୍ୟାୟରେ ୧୨ଟି ଦେଶରୁ ଆସିବେ ୧୫ଶହ ପ୍ରବାସୀ ଭାରତୀୟ । ଏଥିପାଇଁ ବିଭିନ୍ନ ରାଜ୍ୟର ବିମାନବନ୍ଦରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରଥମ ଦିନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ୧୩ଟି ବିମାନର ବ୍ୟବସ୍ଥା କରାଯାଇଛି । ଏହି ସବୁ ବିମାନ ପ୍ରବାସୀ ଭାରତୀୟଙ୍କୁ ନେଇ କୋଚି, ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ଏବଂ ଶ୍ରୀନଗରରେ ପହଂଚିବ । ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ସ୍ୱଦେଶ ଫେରିବେ ଭାରତୀୟ । ୧୩ ତାରିଖ ପରେ ଘରୋଇ ବିମାନସେବା ଏଥିରେ ନିୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।

ପ୍ରବାସୀ ଭାରତୀୟମାନେ ଫେରିବା ପରେ ସେମାନଙ୍କୁ ୧୪ ଦିନିଆ କ୍ୱରେନ୍ଟିନ୍ ରହିବାକୁ ପଡ଼ିବ । ତେଲେଙ୍ଗାନା ସରକାର ଦେଇଥିବା ସୂଚନା ଅନୁସାରେ ୭ଟି ବିମାନରେ ୨ ହଜାର ୩୫୦ ଯାତ୍ରୀ ହାଇଦ୍ରାବାଦ ବିମାନବନ୍ଦରରେ ପହଂଚିବେ । ସୂଚନା ଅନୁସାରେ ମୋଟ୍ ୬୪ ବିମାନରୁ ୧୫ଟି କେରଳ, ୧୧ଟି ଲେଖାଁଏ ଦିଲ୍ଳୀ ଓ ତାମିଲନାଡୁ, ୭ଟି ଲେଖାଏଁ ମହାରାଷ୍ଟ୍ର ଓ ତେଲେଙ୍ଗାନା, ୫ଟି ଗୁଜୁରାଟ, ତିନିଟି ଲେଖାଏଁ ବିମାନ କର୍ଣ୍ଣାଟକ ଓ ଜାମ୍ମୁ-କାଶ୍ମୀର ଏବଂ ଗୋଟିଏ ଲେଖାଏଁ ପଂଜାବ ଓ ଉତର ପ୍ରଦେଶରେ ପହଂଚିବ ।

ସେହିପରି ମାଲଦ୍ୱୀପରୁ ଦୁଇଟି ଜାହାଜରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାର କାର୍ଯ୍ୟକ୍ରମ ରହିଛି । ୧୯୯୦ ପରେ ଏହାକୁ ସବୁଠାରୁ ବଡ଼ ସ୍ଥାନାନ୍ତରଣ ବୋଲି କୁହାଯାଉଛି । ୧୯୯୦ ଗଲ୍ଫ ୱାର ତଥା ଇରାକ୍-କୁଏତ୍ ଯୁଦ୍ଧ ସମୟରେ ଏକ ଲକ୍ଷ ୭୦ ହଜାର ଭାରତୀୟଙ୍କୁ ବିମାନ ଯୋଗେ କୁଏତ୍ରୁ ଅଣାଯାଇଥିଲା ।