ଆଜି ମୋସୁଲରୁ ଫେରିବ ୩୯ ଭାରତୀୟଙ୍କ ଦେହାବଶେଷ ! ଇରାକ ଗଲେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ

25

କନକ ବ୍ୟୁରୋ : ଆଜି ଭାରତ ଫେରିବ ଇରାକର ମୋସୁଲରେ ଇସଲାମିକ ଷ୍ଟେଟ ଦ୍ୱାରା ହତ୍ୟା କରାଯାଇଥିବା ୩୯ ଭାରତୀୟଙ୍କ ଅବଶେଷ । ସେଇଥିପାଇଁ ରବିବାର ବାଗଦାଦ୍ ଯାତ୍ରା କରିଛନ୍ତି କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ । ସ୍ୱତନ୍ତ୍ର ୱିଙ୍ଗ ସି-୧୭ ମିଲିଟାରୀ ଟ୍ରାନ୍ସପୋର୍ଟ ବିମାନରେ ଇରାକ ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେଠାରୁ ଫେରିବା ପରେ ଭିକେ ସିଂହ ପଂଜାବ, ପଶ୍ଚିମବଙ୍ଗ ଓ ବିହାର ଯାଇ ପରିବାରକୁ ମୃତକଙ୍କ ଅବଶେଷ ଦେବେ । ଏନେଇ ମୃତକଙ୍କ ପରିବାରକୁ ଜଣାଇ ଦିଆଯାଇଥିବା କହିଛନ୍ତି ଭିକେ ସିଂହ ।

୪ବର୍ଷ ପୂର୍ବେ ଘଟିଥିବା ଏହି ନୃଶଂସ ଅପହରଣ ଓ ହତ୍ୟା ଘଟଣା ସ୍ପଷ୍ଟ ହେବା ପରେ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ ମୃତକଙ୍କ ପରିଜନ । ମୋସୁଲରେ ଏକ ପ୍ରକଳ୍ପରେ କାମ କରୁଥିବାବେଳେ ୪୦ଜଣଙ୍କୁ ଅପହରଣ କରି ହତ୍ୟା କରିଥିଲେ ଆଇଏସଆଇଏସ ଆତଙ୍କବାଦୀ । ମୃତ୍ୟୁବରଣ କରିଥିବା ଭାରତୀୟଙ୍କୁ ଆଇଏସଆଇଏସ ଆତଙ୍କବାଦୀମାନେ ୨୦୧୪ରେ ଅପହରଣ କରିଥିଲେ । ମୋସୁଲ ଆଇଏସଆଇଏସ୍ କବଜାରେ ରହିବା ପରେ ଜୁନ ୨୦୧୪ରେ ୩୯ ଭାରତୀୟ ଶ୍ରମିକଙ୍କୁ ଅପହରଣ କରିଯାଇଥିବାର ଖବର ଆସିଥିଲା । ଏକ ପାହାଡ ଉପରୁ ମିଳିଥିବା ହାଡର ଡିଏନଏ ଟେଷ୍ଟ ପରେ ସେମାନେ ଭାରତୀୟ ବୋଲି ସ୍ପଷ୍ଟ ହୋଇଥିବା ହତ ମାର୍ଚ୍ଚ ୨୬ ତାରିଖରେ ରାଜ୍ୟସଭାରେ ସୂଚନା ଦେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ।