ଇଣ୍ଡିଆନ ଆଇଡଲ ଫେମ ନାହିଦ ଆଫରିନଙ୍କ ବିରୋଧରେ ଫତୱା ! ସର୍ବ ସାଧାରଣରେ ଗୀତ ଗାଇବାକୁ ବିରୋଧ

46

ଗୀତ ଗାଇବାରୁ ନାବାଳିକାଙ୍କ ବିରୋଧରେ ଫତୱା । ଗୋଟିଏ ନୁହେଁ କି ଦୁଇଟି ନୁହେଁ, ନାବାଳିକା ଗାୟିକାଙ୍କ ବିରୋଧରେ ଜାରି ହୋଇଛି ୪୬ ଟି ଫତୱା । ଇଣ୍ଡିଆନ୍ ଆଇଡଲ୍ ଫେମ୍ ନାହିଦ୍ ଆଫରିନଙ୍କ ବିରୋଧରେ ଫତୱା ଜାରି କରିଛନ୍ତି ଆସାମର ୪୬ ଜଣ ମୌଲବୀ ।

ଆସାମର ହୋଜଈ ଓ ନାଗାଓଁ ଜିଲ୍ଲାରେ ଅସମୀୟା ଭାଷାରେ ଫତୱା ସହ ଫତୱା ଜାରି କରିଥିବା ମୌଲବୀମାନଙ୍କ ନାଁ ଲେଖା ଥିବା କିଛି କାଗଜ ବଂଟନ କରାଯାଇଛି । ଆସନ୍ତା ୨୫ ତାରିଖରେ ଲଂକା ଅଂଚଳର ଅଦାଲି ସୋନଈ ବିବି କଲେଜରେ ନାହିଦ୍ ସଙ୍ଗୀତ ପରିବେଷଣ କରିବା କାର୍ୟ୍ୟକ୍ରମ ରହିଛି ।

କିନ୍ତୁ ସର୍ବସାଧାରଣରେ ଜଣେ ମୁସଲିମ୍ ବାଳିକା ଗୀତ ଗାଇବାକୁ ଇସଲାମର ସରିୟା ଆଇନର ବିରୁଦ୍ଧାଚରଣ କରୁଥିବାରୁ ତାଙ୍କ ବିରୋଧରେ ଫତୱା ଜାରି ହୋଇଛି । ୨୦୧୫ରେ ରିଏଲିଟି ଟିଭି ଶୋ’ ଇଣ୍ଡିଆନ୍ ଆଇଡଲ୍ ଜୁନିୟରରେ ରନର୍ସ ଅପ୍ ନାହିଦ୍ ଆଫରିନଙ୍କୁ ଏହି କାର୍ୟ୍ୟକ୍ରମରେ ଗୀତ ଗାଇବାକୁ ଆସାମର ମୁସଲିମ୍ ସଂଗଠନ ଗୁଡିକ ବିରୋଧ କରିଛନ୍ତି ।

ତେବେ ଏହି ଖବର ପାଇବା ପରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ପ୍ରସିଦ୍ଧ କଳାକାର ନାହିଦଙ୍କୁ ସମର୍ଥନ କରିଛନ୍ତି । ଆଉ ଫତୱା ଭୟରେ ଗୀତ ଗାଇବା ଛାଡିବେନି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ନାହିଦ ଆଫରିନ୍ ।