କନକ ବ୍ୟୁରୋ : ବିଦେଶରେ ଫସିଥିବା ଭାରତୀୟ ନାଗରିକଙ୍କ ପାଇଁ ଦେବଦୂତ ସମାନ ଥିଲେ ତତକକାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ମୁମ୍ବାଇର ଜଣେ ସଫ୍ଟୱେୟାର ଇଂଜିନିୟର ହମିଦ ନିହାଲ ଅନସାରୀ ପାକିସ୍ତାନ ଜେଲରେ ୬ ବର୍ଷ ବନ୍ଦୀ ରହିବା ପରେ ୨୦୧୮ ଫେରିଥିଲେ । ଅନଲାଇନରେ ଜଣେ ଯୁବତୀଙ୍କ ସହ ବନ୍ଧୁତା ପରେ ଆଫଗାନିସ୍ତାନରୁ ବେଆଇନ ଭାବେ ପାକିସ୍ତାନରେ ପଶିଥିଲେ ହମିଦ ନିହାଲ । ପାକିସ୍ତାନ ମାଟିରେ ପାଦ ରଖିବା ପରେ ତାଙ୍କୁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରି ପେଶାୱର ଜେଲରେ ରଖାଯାଇଥିଲା । ହେଲେ ଶତ୍ରୁ ରାଷ୍ଟ୍ରରେ ୨୦୧୨ରୁ ବନ୍ଦୀ ଥିବା ଏହି ଭାରତୀୟ ଯୁବକଙ୍କୁ ମୁକ୍ତ କରିବାକୁ ସବୁ ଜୋର ଲଗାଇ ଦେଇଥିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ତାଙ୍କୁ ମୁକ୍ତ କରିବା ପାଇଁ ଇସଲାମାବାଦ ଉପରେ ପ୍ରବଳ ଚାପ ପକାଇଥିଲା ନୂଆଦିଲ୍ଲୀ ।

Advertisment

ନିଜେ ପୁରା ମାମଲାର ତଦାରଖ କରିଥିଲେ ସୁଷମା ସ୍ୱରାଜ । ଆଉ ଶେଷରେ ଭାରତର ଦାବି ଆଗରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ । ବେଆଇନ ଭାବେ ଜଣେ ଭାରତୀୟ ଇଂଜିନିୟରଙ୍କୁ ଜେଲରେ ବନ୍ଦୀ କରି ରଖିଥିବା ପାକିସ୍ତାନକୁ ଶେଷରେ ତାଙ୍କୁ ଛାଡିବାକୁ ପଡିଥିଲା । ପାକିସ୍ତାନରେ ଭାରତୀୟ ଦୂତାବାସ ସହ ନିୟମିତ ଯୋଗାଯୋଗରେ ରହୁଥିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ପାକିସ୍ତାନରୁ ଫେରିବା ପରେ ମାଆଙ୍କ ସହ ନୂଆଦିଲ୍ଲୀ ସ୍ଥିତ ବୈଦେଶିକ ମନ୍ତ୍ରାଳୟ କାର୍ଯ୍ୟାଳୟରେ ସୁଷମାଙ୍କୁ ଭେଟିଥିଲେ ହମିଦ ଅନସାରୀ । ଯେଉଁଠି ସୃଷ୍ଟି ହୋଇଥିଲା ଏକ ଭାବ ବିହ୍ୱଳ ପରିବେଶ । ପୁଅକୁ ମୁକ୍ତ କରିବା ଲାଗି ସୁଷମାଙ୍କ ଉଦ୍ୟମକୁ ପ୍ରଶଂସା କରି ତାଙ୍କ ମାଆଙ୍କ ଆଖିରେ ଆସିଯାଉଥିଲା ଲୁହ । ଆପଣ ଟିଭି ସ୍କ୍ରିନରେ ଦେଖୁଛନ୍ତି ସେହି ସମୟର ଚିତ୍ର । ପ୍ରକୃତରେ ବିଦେଶ ମାଟିରେ ଫଶିଥିବା ଭାରତୀୟଙ୍କ ପାଇଁ ଦେବଦୂତ ଥିଲେ ତତକାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ।

କେବଳ ସେତିକି ନୁହେଁ, ୨୦୧୬ ଜୁଲାଇରେ ଆଫଗାନିସ୍ତାନ କାବୁଲରୁ ମୁକ୍ତ ହୋଇଥିଲେ ଜଣେ ଭାରତୀୟ ମହିଳା । କାବୁଲରେ କିଛି ଅଜଣା ଆତତାୟୀଙ୍କ ଦ୍ୱାରା ପଣବନ୍ଦୀ ପାଲଟିଥିବା କୋଲକାତାର ଜୁଦିଥ ଡିସୁଜାଙ୍କୁ ମୁକ୍ତ କରିବା ଲାଗି ସବୁ ପ୍ରକାର ସହାୟତା ଯୋଗାଇ ଦେଇଥିଲେ ସୁଷମା ସ୍ୱରାଜ । ଆଗା ଖାନ୍ ଫାଉଣ୍ଡେସନରେ କାମ କରୁଥିବା ଏହି ୪୦ ବର୍ଷୀୟ ମହିଳାଙ୍କୁ ତାଙ୍କ ଅଫିସ ବାହାରୁ ଉଠାଇ ନେଇଥିଲେ ଆତତାୟୀ । ଏହି ଖବର ସାମ୍ନାକୁ ଆସିବା ପରେ ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡିଥିଲେ ଜୁଦିଥାଙ୍କ ପରିବାର । ଆଉ ତତ୍କ୍ଷଣାତ ତାଙ୍କୁ ମୁକ୍ତ କରିବାକୁ କାବୁଲସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ ରକ୍ଷା କରି ସମସ୍ତ ପଦକ୍ଷେପ ନେଇଥିଲେ ତତକାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ନୂଆଦିଲ୍ଲୀକ ଚାପ ଫଳରେ ମାମଲାରେ ହସ୍ତକ୍ଷେପ କରିଥିଲା ଆଫଗାନ ରାଷ୍ଟ୍ରପତି ଅଶ୍ରଫ ଘନିଙ୍କ କାର୍ଯ୍ୟାଳୟ ।

ଆତତାୟୀଙ୍କ କବଳରୁ ମୁକ୍ତ ହେବା ପରେ ଜୁଲାଇ ୨୩ ତାରିଖରେ ନୂଆଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଂଚିବା ପରେ ଜୁଦିଥାଙ୍କୁ ସିଧା ନିଆଯାଇଥିଲା ସୁଷମା ସ୍ୱରାଜଙ୍କ ବାସଭବନ । ଯେଉଁଠି ଜୁଦିଥାଙ୍କୁ ଦେଖି ବେଶ ଭାବ ବିହ୍ୱଳ ହୋଇପଡିଥିଲେ ସୁଷମା । ଏବଂ କହିଥିଲେ ଫେରି ଆସିଲା ଭାରତର ଝିଅ । ଏହା ତାଙ୍କ ଉଦାରତା ଏବଂ ମାତୃସୁଲଭ ଗୁଣର ପରିଚୟ ଦିଏ । ଝିଅ ଘରକୁ ଫେରି ଆସିବା ପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଶେଷ କୃତଜ୍ଞତା ପ୍ରଦାନ କରିଥିଲେ ଜୁଦିଥାଙ୍କ ପରିବାର । ବିଶେଷ କରି ଜୁଦିଥାଙ୍କ ମୁକ୍ତି ପାଇଁ ବୈଦେଶିକ ମନ୍ତ୍ରାଳୟ ଯେଭଳି ଉଦ୍ୟମ କରିଥିଲା ତାକୁ ଭୁରି ଭୁରି ପ୍ରଶଂସା କରିଥିଲେ ।