କରୋନା ମୁକାବିଲା ନେଇ ଭାରତୀୟ ବ୍ୟାଙ୍କ ସଂଘର ଅପିଲ୍ : ଜରୁରୀ କାମ ନଥିଲେ ବ୍ୟାଙ୍କ ନଆସିବାକୁ ନିବେଦନ, ଅନଲାଇନରେ କାରବାର ପାଇଁ ଅନୁରୋଧ

1,653

କନକ ବ୍ୟୁରୋ : କରୋନା ନେଇ ଭାରତୀୟ ବ୍ୟାଙ୍କ ସଂଘର ଅପିଲ । ଜରୁରୀ କାମ ନଥିଲେ ବ୍ୟାଙ୍କ ନଆସିବାକୁ ନିବେଦନ କରାଯାଇଛି । ଅନଲାଇନରେ କାରବାର ପାଇଁ ଅନୁରୋଧ କରିଛି ବ୍ୟାଙ୍କ ସଂଘ । ମୋବାଇଲରେ ଅନଲାଇନ ବ୍ୟାକିଂ ମାଧ୍ୟମରେ କାରବାର କରିବା ପାଇଁ କୁହାଯାଇଛି । ଆଜିଠାରୁ କେବଳ ବ୍ୟାଙ୍କରେ ଟଙ୍କା ଜମା, ଉଠାଣ, ଚେକ କ୍ଲିୟର,ସରକାରୀ ଦେଣନେଣ, କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ସେପଟେ ଲକଡାଉନ ବା ତାଲାବନ୍ଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରିଛନ୍ତି । ଦେଶର ୨୩ଟି ରାଜ୍ୟର ୮୨ ଜିଲ୍ଲାରେ ଲାଗୁ ହୋଇଥିବା ତାଲା ବନ୍ଦକୁ ଲୋକେ ଗୁରୁତର ସହ ନେଉନାହାନ୍ତି ବୋଲି ଟ୍ୱିଟରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ । କରୋନା ଭୂତାଣୁ ସଂକ୍ରମଣ ମାମଲା ଦେଶରେ ଲଗାତର ଭାବେ ବୃଦ୍ଧି ପାଉଛି । କିନ୍ତୁ ଏହାପରେ ବି ଲୋକେ ଘରୁ ବାହାରକୁ ବାହାରୁଛନ୍ତି ଏବଂ ଏହି ନିୟମକୁ ଠିକଭାବେ ପାଳନ କରୁନାହାନ୍ତି । ଯାହାକୁ ନେଇ ମୋଦି ଟ୍ୱିଟ କରିବା ସହ ସରକାରୀ ନିୟମକୁ କଡାକଡି ପାଳନ କରିବାକୁ ଅପିଲ କରିଛନ୍ତି ।

ମୋଦି ଲେଖିଛନ୍ତି ଏବେବି କିଛି ଲୋକ ଅଛନ୍ତି ଯେଉଁମାନେ ଲକଡାଉନକୁ ଗୁରୁତର ସହ ବା ଗମ୍ଭୀରତାର ସହ ନେଉନାହାନ୍ତି । ତେଣୁ ସମସ୍ତେ ନିୟମ ପାଳନ କରନ୍ତୁ, ସମସ୍ତେ ନିଜକୁ ବଂଚାନ୍ତୁ, ନିଜ ପରିବାରକୁ ବଂଚାନ୍ତୁ । ଏହାସହ ସବୁ ରାଜ୍ୟସରକାରମାନଙ୍କୁ ଏହି ନିୟମ କଡାକଡି ଭାବେ ପାଳନ କରିବାକୁ ମୋଦି ନିବେଦନ କରିଛନ୍ତି । କେନ୍ଦ୍ର ପକ୍ଷରୁ ମଧ୍ୟ ସବୁ ରାଜ୍ୟକୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି ।