ସୀମାରେ ଉତ୍ପାତ କରୁଥିବା ପାକିସ୍ତାନକୁ ଜବାବ ଦେବ ଭାରତ : ଆମେରିକାଠାରୁ କିଣିବ ୫୦ କିଲୋମିଟର ଯାଏଁ ଦୂରକୁ ନିକ୍ଷେପ କରାଯାଇ ପାରୁଥିବା ଗୋଳାବାରୁଦ

189

କନକ ବ୍ୟୁରୋ : ସୀମାରେ ଉତ୍ପାତର କରୁଥିବା ପାକିସ୍ତାନକୁ ପାନେ ଦେବାଲାଗି ଆମେରିକାଠାରୁ ଅତ୍ୟାଧୁନିକ ଗୋଳାବାରୁଦ କିଣିବ ଭାରତ । ବିଶ୍ୱର ସବୁଠାରୁ ବିପଜ୍ଜନକ କୁହାଯାଉଥିବା ‘ଏକ୍ସକାଲିବର ଗାଇଡେଡ୍ ଆମୁନେସନ୍’ ଆମେରିକାଠାରୁ କିଣିବା ପାଇଁ ଭାରତ ଚୁକ୍ତି କରିଛି । ୫୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ୍ କରାଯାଇ ପାରୁଥିବା ଏହି ଆମୁନେସନକୁ ସୀମାରେ ମୁତୟନ କରିବ ଭାରତୀୟ ସେନା । ଭାରତ-ପାକିସ୍ତାନ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ହେଉଥିବାରୁ ପାକିସ୍ତାନକୁ ଉଚିତ୍ ଜବାବ ଦେବା ଉଦ୍ଦେଶ୍ୟରେ ଭାରତ ଏହି ଗୋଳାବାରୁଦ କିଣୁଛି ।

ଏହି ‘ଏକ୍ସକାଲିବର ଗାଇଡେଡ୍ ଆମୁନେସନ୍’ ଜିପିଏସ ସିଷ୍ଟମ ଦ୍ୱାରା ନିୟନ୍ତ୍ରିତ । ଅର୍ଥାତ ଯେଉଁ ସ୍ଥାନକୁ ଲକ୍ଷ୍ୟ କରି ଏହାକୁ ନିକ୍ଷେପ କରାଯିବ, ଠିକ ସେହି ସ୍ଥାନରେ ହିଁ ମାଡ ହେବ । ତେଣୁ ପଡୋଶୀର ଧନଜୀବନକୁ ଅଧିକ କ୍ଷତି ନକରି କେବଳ ଆତଙ୍କବାଦୀ ଠିକଣା ଓ ସେନା ଛାଉଣୀକୁ ଟାର୍ଗେଟ କରି ଏହାକୁ ମାଡ କରାଯାଇ ପାରିବ । ଲଙ୍ଗ ରେଞ୍ଜ ଆମୁନେସନ ହୋଇଥିବାରୁ ସୀମାରେ ଭାରତୀୟ ସେନାକୁ ଏହା ଶତ୍ରୁ ପକ୍ଷର ମୁକାବିଲା କରିବାରେ ଯଥେଷ୍ଟ ସହାୟକ ହେବ । ଓବାମା ପ୍ରଶାସନ ସମୟରୁ ଆମେରିକାର ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ଭାବେ ମାନ୍ୟତା ପାଇସାରିଛି ଭାରତ ।

ଟ୍ରମ୍ପ ପ୍ରଶାସନରେ ମଧ୍ୟ ନିକଟରେ ଭାରତକୁ ନାଟୋ ସଦସ୍ୟ ରାଷ୍ଟ୍ର ଭଳି ମାନ୍ୟତା ଦେବାକୁ ଆମେରିକା ସିନେଟରେ ପ୍ରସ୍ତାବ ଆଗତ ହୋଇଛି । ତେଣୁ ଦୁଇ ଦେଶ ମଧ୍ୟରେ ବଢୁଥିବା ପ୍ରତିରକ୍ଷା ସହଯୋଗ ପାକିସ୍ତାନ ପାଇଁ ସଂକଟ ବଢାଇବାକୁ ଯାଉଛି । ଭାରତ ଓ ଆମେରିକା ମଧ୍ୟରେ ଆଗକୁ ଆହୁରି ଅନେକ ପ୍ରତିରକ୍ଷା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହେବାକୁ ଯାଉଛି ।