ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ ଦେଲା ଭାରତୀୟ ସେନା : ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କୀ ଆଡ୍ଡା ସମେତ ୪ଲଂଚ ପ୍ୟାଡକୁ କଲେ ଧ୍ୱଂସ, ୪ରୁ ୫ ପାକ୍ ରେଞ୍ଜର ନିହତ ହୋଇଥିବା ସୂଚନା

1,385

କନକ ବ୍ୟୁରୋ : ସୀମାରେ ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ଉଲଂଘନର କଡା ଜବାବ ଦେଇଛି ଭାରତ । ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଭାରତୀୟ ସେନା । ଭାରତକୁ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହେଉଥିବା ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଛି ଭାରତୀୟ ସେନା । ଆକ୍ରମଣରେ ପିଓକେରେ ଥିବା ଆତଙ୍କବାଦୀଙ୍କ କେତେକ ଶିବିର ଧୂସ୍ତବିଧ୍ୱସ୍ତ ହୋଇଯାଇଛି । ଏପରିକି ଆତଙ୍କବାଦୀଙ୍କ ଏକାଧିକ ଲଂଚିଙ୍ଗ୍ ପ୍ୟାଡକୁ ଧ୍ୱଂସ କରିଦେଇଛନ୍ତି ଭାରତୀୟ ସେନା । ଏହି ଆକ୍ରମଣରେ ଭାରତୀୟ ସେନା ଆର୍ଟିଲେରୀ ଗନ୍ ବ୍ୟବହାର କରିଥିବା ସୂଚନା ମିଳିଛି ।

ପାକିସ୍ତାନୀ ଆତଙ୍କବାଦୀ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରିବା ସହ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି । ଏହାର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତୀୟ ସେନା । ଆଜି କୁପୱାଡା ଓ ଟଙ୍ଗଧର ସେକ୍ଟରରେ ଅସ୍ତ୍ରବିରତି ଉଲଂଘନ କରିଥିଲା ପାକିସ୍ତାନ । ଏଥିରେ ଦୁଇ ଜଣ ଭାରତୀୟ ଯବାନ ଓ ଜଣେ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା । ଏହାପରେ ସିଧାସଳଖ ପିଓକେରେ ଥିବା ଆତଙ୍କି ଶିବିରକୁ ଟାର୍ଗେଟ କରିଛି ଭାରତୀୟ ସେନା । ସୂଚନା ଅନୁସାରେ ଭାରତର ଏହି ଆକ୍ରମଣରେ ୪ରୁ ୫ଜଣ ପାକିସ୍ତାନ ରେଞ୍ଜର ନିହତ ହୋଇଛନ୍ତି । ସେହିପରି ୪ଟି ଆତଙ୍କୀ ଲଂଚ ପ୍ୟାଡ ଧ୍ୱଂସ ହୋଇଯାଇଛି ।

ନିଲମ ଘାଟିରେ ଏହି ଆକ୍ରମଣ କରିଛି ଭାରତୀୟ ସେନା । ଏହା ତଙ୍ଗଧର ସେକ୍ଟରର ଅପର ପାର୍ଶ୍ୱରେ  ରହିଛି । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ ହେବା ପରେ ଘାଟିରେ ଅଶାନ୍ତି ସୃଷ୍ଟି କରିବା ପାଇଁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରୁଛି ପାକିସ୍ତାନୀ ସେନା । ଗୋଟିଏ ପଟେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲଂଘନ କରି ଗୁଳିଗୋଳ ମାଡ କରୁଥିବାବେଳେ ଅନ୍ୟପଟେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପ୍ରସ୍ତୁତ କରୁଛି ପାକ୍ । ପାକିସ୍ତାନର ଏହି ହୀନ ଉଦ୍ୟମର କଡା ଜବାବ ଦେଇଛି ଭାରତ ।