କରୋନା ମୁକାବିଲା ପାଇଁ ଦେଶର ଉଦ୍ୟମକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଢୋକ୍ତି : ବେନେଟ୍ ୟୁନିଭରସିଟି କନଫରେନ୍ସରେ ହର୍ଷବର୍ଦ୍ଧନ କହିଲେ, କରୋନା ଯୋଗୁଁ ଭାରତରେ ଆସିବ ନାହିଁ ଖରାପ ସ୍ଥିତି . . ସେପଟେ ଗୋଟିଏ ଦିନରେ ଚିହ୍ନଟ ହେଲେ ୭ଶହରୁ ଅଧିକ ନୂଆ ରୋଗୀ

290

କନକ ବ୍ୟୁରୋ : ଭାରତ ପାଇଁ କରୋନା ଅତି ମାରାତ୍ମକ ପରିସ୍ଥିତି ସୃଷ୍ଟି କରି ନପାରେ । ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ସେ କହିଛନ୍ତି, ସରକାର କରୋନା ମୁକାବିଲା ପାଇଁ ନେଉଥିବା ପଦକ୍ଷେପ ସଠିକ ଦିଗରେ ରହିଛି । ବେନେଟ୍ ବିଶ୍ୱବିଦ୍ୟାଳୟର ଗ୍ଲୋବାଲ୍ ଅନଲାଇନ୍ କନଫରେନ୍ସରେ ଭାଗ ନେଇ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି ।

ଯେଉଁଭଳି ଭାବରେ ସାରାଦେଶରେ ଯାଂଚ କରାଗଲା, ଗୋଷ୍ଠୀ ଉପରେ ନଜର ରଖାଗଲା, ଆଶା ମାନଙ୍କ ଦକ୍ଷତା ବୃଦ୍ଧି କରାଗଲା ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ କରାଗଲା, ଫଳରେ କରୋନା ସଂକ୍ରମଣ ଉପରେ ରୋକ ଲଗାଯାଇ ପାରିଛି । ତେଣୁ ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଦେଶରେ ଅତିଖରାପ ସ୍ଥିତି ସୃଷ୍ଟି ହେବା ସମ୍ଭାବନା ନଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । ସବୁଠୁ ବଡ କଥା ହେଉଛି ସାରା ଦେଶରେ ଚାଲିଥିବା ଲକ୍ ଡାଉନ୍ ବା ତାଲାବନ୍ଦ ସଫଳ ସାମାଜିକ ଟିକା ଭଳି କାମ କରୁଛି । ଏହାରି ଯୋଗୁଁ କରୋନା ଭୂତାଣୁକୁ ବ୍ୟାପିବାରେ ରୋକ ଲଗାଯାଇ ପାରିଛି ।

ସେପଟେ ଦେଶରେ ତୀବ୍ର ବେଗରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଗୋଟିଏ ଦିନରେ ସର୍ବାଧିକ ୭୮୧ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପୂର୍ବରୁ କେବେ ବି ଏତେ ସଂଖ୍ୟାରେ ରୋଗୀ ଗୋଟିଏ ଦିନରେ ଚିହ୍ନଟ ହୋଇ ନଥିଲେ । ଏହା ପୂର୍ବରୁ ବୁଧବାର ଦିନ ୫୯୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିଲେ । କିନ୍ତୁ ଗତକାଲି ଏଥିରେ ୩୦ ପ୍ରତିଶତ ବୃଦ୍ଧି ଘଟିଛି । କେବଳ ମହାରାଷ୍ଟ୍ରରେ ୨୨୯ଟି ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । କୌଣସି ରାଜ୍ୟରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ରୋଗୀ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ।

ଏହାଛଡା ତାମିଲନାଡୁରେ ୯୬ ଜଣ, ରାଜସ୍ଥାନରେ ୮୦ ଜଣ, ଗୁଜରାଟରେ ୭୬ ଜଣ ଓ ଦିଲ୍ଲୀରେ ୫୧ ଜଣ ନୂଆ କୋଭିଡ-୧୯ ରୋଗୀ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ଦୃଷ୍ଟିରୁ ଗତକାଲି ଦେଶର ସବୁଠାରୁ ଖରାପ ଦିନ ଥିଲା ବୋଲି କୁହାଯାଇପାରେ । ଗୋଟିଏ ଦିନରେ ୭ଶହରୁ ଅଧିକ ନୂଆ ରୋଗୀ ଚିହ୍ନଟ ହେବା ସାଧାରଣରେ ଚିନ୍ତା ବଢାଇ ଦେଇଛି । ଅନ୍ୟପଟେ ଗତକାଲି ଗୋଟିଏ ଦିନରେ ୩୧ ଜଣ ବ୍ୟକ୍ତି କରୋନା ସଂକ୍ରମଣରୁ ପ୍ରାଣ ହରାଇଛନ୍ତି । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ଏଯାଏଁ ୫୮୬୫ ଜଣ କରୋନା ଆକ୍ରାନ୍ତ ଥିବା ବେଳେ ୧୬୯ ଜଣ ଏଥିରେ ପ୍ରାଣ ହରାଇଛନ୍ତି ।