କନକ ବ୍ୟୁରୋ : ଭାରତର ରାସ୍ତାରେ ଏବେ ଚୀନ୍ ହିଁ ସବୁଠାରୁ ବଡ଼ କଣ୍ଟା ସାଜିଛି । ଚୀନ୍ର ଲଗାତାର ବିରୋଧ ଓ ଭିଟୋ ଯୋଗୁଁ ଭାରତ ପରମାଣୁ ଯୋଗାଣକାରୀ ରାଷ୍ଟ୍ରସମୂହ (ଏନଏସ୍ଜି)ର ସଦସ୍ୟତା ହାସଲ କରିପାରୁ ନାହିଁ । ଭାରତକୁ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରମାନଙ୍କର ପୂର୍ଣ୍ଣ ସମର୍ଥନ ସତ୍ତ୍ୱେ ଚୀନ୍ର ଭିଟୋ ଯୋଗୁଁ ଭାରତକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଆମେରିକା ସ୍ପଷ୍ଟ କରିଛି । ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୪୮ ସଦସ୍ୟ ବିଶିଷ୍ଟ ପରମାଣୁ କ୍ଲବ୍ରେ ସାମିଲ ହେବାପାଇଁ ଭାରତର ପ୍ରୟାସକୁ ଚୀନ୍ ଲଗାତାର ବିରୋଧ କରି ଚାଲିଛି ଏବଂ ପାକିସ୍ତାନକୁ ବାହାନା କରି ବିଭ୍ରାନ୍ତି ସୃଷ୍ଟି କରିଛି । ଭାରତ ଭଳି ଦାୟିତ୍ୱସଂପନ୍ନ ମହାଶକ୍ତିକୁ ଏନଏସଜିରୁ ବଞ୍ଚିତ ରଖିବା ପାଇଁ ଚୀନ୍ ନାନା ବାହାନା ସୃଷ୍ଟି କରୁଛି ଏବଂ ସଦସ୍ୟ ରାଷ୍ଟ୍ରମାନଙ୍କ ଉପରେ ମଧ୍ୟ ଚାପ ପକାଉଛି ।
ତେବେ ଚୀନ୍ର ଏହି ଚାଲ୍ ଅଧିକ ଦିନ ତିଷ୍ଠି ରହିପାରିବ ନାହିଁ, ଭାରତ ଯଥା ସମୟରେ ଏନଏସଜି ସଦସ୍ୟତା ହାସଲ କରିବ ବୋଲି ଆମେରିକାର ଦକ୍ଷିଣ ଏବଂ କେନ୍ଦ୍ର ଏସିଆ ବ୍ୟାପାର ମୁଖ୍ୟ ଏଲିସ୍ ୱେଲସ୍ କହିଛନ୍ତି । ଭାରତ-ଆମେରିକା ସାମରିକ ସଂପର୍କ ଏବେ ନୂଆ ପର୍ଯ୍ୟାୟରେ ପହଞ୍ଚିଛି । ଆମେରିକା ନିଜର ସର୍ବାଧିକ ଘନିଷ୍ଠ ରାଷ୍ଟ୍ରଙ୍କ ମଧ୍ୟରେ ଭାରତକୁ ସାମିଲ କରି ଷ୍ଟ୍ରଟେଜିକ୍ ଟ୍ରେଡ ଅଥରାଇଜେସନ (ଏସଟିଏ-୧) ମାନ୍ୟତା ପ୍ରଦାନ କରିଛି । ରଣନୀତିକ ଦୃଷ୍ଟିରୁ ଭାରତ-ଆମେରିକା ଅତ୍ୟନ୍ତ ଘନିଷ୍ଠ ଏବଂ ଏହା ବିଶ୍ୱ ଶାନ୍ତି ପାଇଁ ଉଦ୍ଦିଷ୍ଟ ବୋଲି ଏଲିସ୍ କହିଛନ୍ତି ।