ବିକଶିତ ଦେଶ ତୁଳନାରେ ଆୟତରେ ଅଛି ଭାରତ ସ୍ଥିତି । ସୀମିତ ସମୟରେ ଭାରତରେ କାର୍ଯ୍ୟକ୍ଷମ ହୋଇଛି ଏକ ଲକ୍ଷରୁ ଅଧିକ କୋଭିଡ଼୍ ବେଡ଼୍ । କରୋନା ମୁକାବିଲାରେ ସହାୟକ ହୋଇଛି ଇଣ୍ଟିଗ୍ରେଟେଡ୍ ଆପ୍ରୋଚ୍ ଏବଂ ସମୟ ଅନୁସାରେ ପଦକ୍ଷେପ

344

କନକ ବ୍ୟୁରୋ : ଭାରତର କରୋନା ମୁକାବିଲା ପ୍ରଣାଳୀକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ପ୍ରଧାନମନ୍ତ୍ରୀଙ୍କ ଲକଡାଉନ ନିଷ୍ପତ୍ତିକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି । ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ସମସ୍ୟା ବଢ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିନଥିଲେ ଭାରତ ସରକାର । ସମସ୍ୟା ଦେଖାଯିବା ତୁରନ୍ତ ପରେ କରୋନା ସଂକ୍ରମଣ ରୋକିବାକୁ କଠୋର ନିଷ୍ପତ୍ତି ନେଇ ୨୧ ଦିନର ଲକଡାଉନ୍ ଘୋଷଣା କରାଯାଇଥିଲା । ଏପରି ସଙ୍କଟରେ କୌଣସି ବି ଦେଶ ସହ ତୁଳନା କରିବା ଉଚିତ ନୁହେଁ । ତଥାପି ଦୁନିଆରେ ବଡ଼ ବଡ଼ ଦେଶ କରୋନା ସଂକ୍ରମିତ ସଂଖ୍ୟା ତୁଳନାରେ ଆଜି ଭାରତ ଭଲ ସ୍ଥିତିରେ ରହିଛି ।

ଦେଶରେ ବଡ଼ ବଡ଼ ସମର୍ଥବାନ ଦେଶରେ କରୋନା ସଂକ୍ରମଣ ସ୍ଥତି ଉଦବେଗଜନକ ରହିଛି । ତାଙ୍କ ତୁଳନାରେ ଭାରତର ସ୍ଥିତି ଆୟତରେ ରହିଛି । ମାସେ ଦେଢ଼ ମାସ ପୂର୍ବରୁ ଅନେକ ଦେଶରେ କରୋନା ସଂକ୍ରମଣ ସ୍ଥିତି ଭାରତ ସହ ବରାବର  ରହିଥିଲା । ହେଲେ ଆଜି ସେଦେଶ ଗୁଡ଼ିକରେ ସ୍ଥିତି ଅଣାୟତ ରହିଛି । ସେହି ଦେଶ ଗୁଡ଼ିକରେ କରୋନା ସଂକ୍ରମଣ ସଂଖ୍ୟା ଭାରତ ତୁଳନାରେ ୨୫ରୁ ୩୦ ପ୍ରତିଶତ ଅଧିକ ବଢ଼ିଯାଇଛି । ଭାଇରସରେ ସଂକ୍ରମିତ ହୋଇ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ଭାରତରେ କଠୋନ ନିଷ୍ପତ୍ତି ଆପଣାଇ ନଥିଲେ ସମୟରେ ଆଜି ଭାରତକୁ ସ୍ଥିତି ଅଣାୟତ ହୋଇଥାଆନ୍ତା ।

ଇଣ୍ଟିଗ୍ରେଟେଡ୍ ଆପ୍ରୋଚ୍ ଏବଂ ସମୟ ଅନୁସାରେ ପଦକ୍ଷେପ ନ ନେଇଥିଲେ ପରିସ୍ଥିତି ସମ୍ପର୍କରେ କଳନା କରିବା ଅସମ୍ଭବ ।  ବିଗତ ଦିନର ଅନୁଭବ ଅନୁସାରେ, ଭାରତ ସରକାରଙ୍କ ସମୟ ଅନୁସାରେ ନିଷ୍ପତ୍ତି ଆଜିକା ପାଇଁ ଠିକ । ସାମାଜିକ ଦୂରତ୍ୱ ଓ ଲକଡାଉନର ବହୁତ ବଡ଼ ଲାଭ ଦେଶକୁ ମିଳିଛି । କେବଳ ଆର୍ଥିକ ଦୃଷ୍ଟିରେ ଦେଖିଲେ ଦେଶକୁ ଅନେକ କ୍ଷତି ସହିବାକୁ ପଡ଼ିଛି । ଭାରତବାସଙ୍କ ଜୀବନ ଆଗରେ ଏହାର କୌଣସି ତୁଳନା ନାହିଁ ।

କରୋନାର ୧୦,୦୦୦ ରୋଗୀ ହେଲେ ୧୫୦୦ରୁ ୧୬୦୦ ବେଡ଼ର ଆବଶ୍ୟକତା ପଡ଼ିଥାଏ । ହେଲେ ଭାରତରେ ଆଜି ଏକ ଲକ୍ଷରୁ ଅଧିକ କୋଭିଡ଼୍ ବେଡ଼ର ବ୍ୟବସ୍ଥା କରାଯାଇଛି । କେବଳ ଏତିକି ନୁହେଁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ କମ ସମୟ ମଧ୍ୟରେ ୬୦୦ରୁ ଅଧିକ କୋଭିଡ଼୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇସାରିଛି । ଯେଉଁଠାରେ କେବଳ କରୋନା ରୋଗୀ ଚିକିତ୍ସିତ ହେଉଛି । ଏହି ସୁବିଧାକୁ ଅଧିକ ବଢ଼ାଇବା ପାଇଁ କାମ ଚାଲିଛି । ଏହାସହ ବିଶ୍ୱ କଲ୍ୟାଣ ଓ ମାନବ କଲ୍ୟାଣ ପାଇଁ ଦେଶର ବୈଜ୍ଞାନିକଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାମନ୍ତ୍ରୀ । କରୋନାର ଭ୍ୟାକସିନ ତିଆରି କରିବାରେ ନିଜକୁ ସାମିଲ କରିବା ପାଇଁ ମୋଦି କହିଛନ୍ତି । ଧୈର୍ଯ୍ୟର ସହ ନିମୟର ପାଳନ କଲେ କରୋନା ପରି ମହାମାରୀକୁ ମାତ ଦେବା ସମ୍ଭବ ।

ରାଜ୍ୟ ସରକାର ଓ ପ୍ରତିଟି ବ୍ୟକ୍ତି ସୂଚାରୁରୂପେ ନିଜୟ ଦାୟିତ୍ୱ ସମ୍ପର୍ଣ୍ଣ କରିଛନ୍ତି । ୨୪ ଘଣ୍ଟା ନଜ ନିଜ କର୍ତ୍ତବ୍ୟ କରିଛନ୍ତି । ସ୍ଥିତିର ମୁକାବିଲା କରିଛନ୍ତି । ହେଲେ ଏସବୁ ପ୍ରୟାସ ମଧ୍ୟରେ କରୋନା ଯେପରି ଭାବେ ପ୍ରଭାବ ବିସ୍ତାର କରୁଛି, ସାରା ବିଶ୍ୱରେ ହେଲ୍ଥ ଏକ୍ସପଟ୍ ଓ ସରକାରଙ୍କୁ ଆଉ ଅଧିକ ସତର୍କ କରାଯାଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ଭାରତରେ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ମେ ୩ ପର୍ଯ୍ୟନ୍ତ ତାଲାବନ୍ଦରେ ରହିବ ଭାରତ । ଏହି ସମୟରେ ଲକଡାଉନ କଟକଣାକୁ ପୂର୍ବ ଅପେକ୍ଷା ଆହୁରି କଡାକଡି କରାଯିବ । ଅତି ଆବଶ୍ୟକ ନପଡିଲେ ଘରୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ  ।

ଅନେକ ରାଜ୍ୟ କେନ୍ଦ୍ରର ଘୋଷଣା ପୂର୍ବରୁ ଲକଡାଉନ୍ ଘୋଷଣା କରି ସାରିଛନ୍ତି । ତେବେ ବଢ଼ିଥିବା ଲକଡାଉନ ଅବଧି ମଧ୍ୟରେ କଟକଣା ଆହୁରି ବଢ଼ିଯିବ । କରୋନାକୁ ନୂଆ ଅଞ୍ଚଳରେ ପ୍ରଭାବ ବିସ୍ତାର କରିବାକୁ ଦେବାନି । ସ୍ଥାନୀୟ ଅଞ୍ଚଳରେ ଜଣେ ବି କରୋନା ରୋଗୀ ବଢ଼ିଲେ ଚିନ୍ତାର ବିଷୟ ହେବା ଉଚିତ ।

ଏଥିପାଇଁ ହଟସ୍ପଟକୁ ପୂର୍ବାପେକ୍ଷା କଡ଼ା ନଜର ରଖିବା ପାଇଁ ପଡ଼ିବ । ଅନ୍ୟପଟେ ଯେଉଁ ସ୍ଥାନ ଗୁଡ଼ିକରେ ସଂକ୍ରମଣ ଆଶଙ୍କା ଅଧିକ ସେହି ସ୍ଥାନକୁ ନେଇ କଠୋର ପଦକ୍ଷେପ ନେବାକୁ ପଡ଼ିବ । ନୂଆ ହଟସ୍ପଟ ତିଆରି ନହେବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଏଥିପାଇଁ କରୋନା ବିରୋଧୀ ଲଢ଼େଇ ,ଆହୁରି କଠୋର ହେବ କଟକଣା । ୨୦ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ଥାନା, ସହର,  ସମସ୍ତ ସହର ଓ ରାଜ୍ୟ ଉପରେ କଡ଼ା ନଜର ରଖାଯିବ । ଉକ୍ତ ଅଞ୍ଚଳରେ ଲକଡାଉନର କିପରି ପାଳନ କରାଯାଉଛି, ତାହାର ଲଗାତାର ମୂଲ୍ୟାଙ୍କନ କରାଯିବ । ଦେଶରେ ଔଷଧ ଠାରୁ ଆରମ୍ଭ କରି ରାସନ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି । ପରିବନହରେ ସୃଷ୍ଟି ହେଉଥିବା ବାଧା ଲଗାତାର ଦୂର କରାଯାଉଛି ।

ଏହି ଅଗ୍ନିପରୀକ୍ଷାରେ ସଫଳ ହେବା ପାଇଁ ନିଜ ଅଞ୍ଚଳରେ ହଟସ୍ପଟ ବୃଦ୍ଧି ନହେବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ତେବେ ଯେଉଁଠି ହଟସ୍ପଟ୍ ବୃଦ୍ଧି ହେବାର ଆଶଙ୍କା କମ ରହିବ, ସେଠାରେ ୨୦ ଏପ୍ରିଲ ଠାରୁ ତାଲାବନ୍ଦ ନିୟମ ଆଂଶିକ କୋହଳ କରାଯିବ ।  ଏପ୍ରିଲ ୨୦ ଠାରୁ ଜିଲ୍ଲା ଓ ଥାନା ସ୍ତରରେ ସ୍ଥିିତିର ସମୀକ୍ଷା କରାଯିବ  । ଏବଂ ଯେଉଁ ଅଂଚଳରେ କୌଣସି ନୂଆ ମାମଲା ଆସିନଥିବ ସେହି ଅଂଚଳରେ ସର୍ତ୍ତମୂଳକ ଭାବେ କିଛି କଟକଣା କୋହଳ କରାଯିବ । କିନ୍ତୁ କଟକଣା କୋହଳ ପରେ ଯଦି ନୂଆ ମାମଲା ଆସେ ,ତେବେ ସେହି ସ୍ଥାନରେ ପୁଣି କଟକଣାକୁ କଡାକଡି କରାଯିବ । ଏନେଇ ଆସନ୍ତାକାଲି ନୂଆ ଗାଇଡଲାଇନ ଜାରି ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।