ଦିଲ୍ଲୀ ପାଇଁ ବାୟୁ ପ୍ରଦୂଷଣ ବିପଦ : ୯ବର୍ଷ କମୁଛି ରାଜଧାନୀବାସୀଙ୍କ ଆୟୁଷ

146

କନକ ବ୍ୟୁରୋ : ଦୀପାବଳି ପରେ ଗ୍ୟାସ ଚାମ୍ବର ପାଲଟିଛି ଦିଲ୍ଲୀ । ଅଣନିଶ୍ୱାସୀ ହୋଇପଡ଼ିଛନ୍ତି ରାଜଧାନୀବାସୀ । ପ୍ରଦୂଷିତ ଧୂଆଁର ଚାଦରରେ ଢ଼ାଙ୍କି ହୋଇଯାଇଛି ଦିଲ୍ଲୀ । ଦୀପାବଳି ପରେ ଦିଲ୍ଲୀର ପ୍ରଦୂଷ ସ୍ଥିତି ଅତି ଶୋଚନୀୟ । ଆତସବାଜି ଯୋଗୁଁ ଦିଲ୍ଲୀ ଧୂଆଁ ଜହରରେ ପରିଣତ ହୋଇଯାଇଛି । ବର୍ଦ୍ଧିତ ପ୍ରଦୂଷଣ ଯୋଗୁଁ ରାଜଧାନୀବାସୀଙ୍କ ଜୀବନ ଉପରେ ସଙ୍କଟ ସୃଷ୍ଟି ହୋଇଛି ।

ଶିକାଗୋ ୟୁନିଭରସିଟିର ଏଜେନ୍ସି ପଲିସି ଇଷ୍ଟିଚ୍ୟୁଟ ଦ୍ୱାରା ଜାରି ହୋଇଥିବା କ୍ୱାଲିଟି ଲାଇଫ ଇଣ୍ଡେକ୍ସ (AQLI) ରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ପ୍ରଦୂଷଣ ଯୋଗୁଁ ଲୋକଙ୍କ ଆୟୁଷ କମୁଛି । ରିପୋର୍ଟ ଅନୁସାରେ ଭାରତରେ ବାୟୁ ପ୍ରଦୂଷଣର ମାତ୍ରା କମ୍ ରହିଲେ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମାନକ ଅନୁସାରେ ବାୟୁର ଗୁଣବତ୍ତା ରହିଲେ, ଲୋକେ ନିଜ ଆୟୁଷର ଅଧିକ ୪ ବର୍ଷ ଜୀବନଧାରଣ କରିପାରନ୍ତେ । ହେଲେ ଦିଲ୍ଲୀର ସ୍ଥିତି ଦେଖିଲେ ସ୍ପଷ୍ଟ ଅନୁମାନ କରାଯାଉଛି ରାଜଧାନୀବାସୀ ଏବେ ଶ୍ୱାସରୁଦ୍ଧ ଅବସ୍ଥାରେ ଅଛନ୍ତି ।

ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ଅନୁୁସାରେ ଦିଲ୍ଲୀ-ଏନସିଆର ସହିତ ଅଧିକ ଜନସଂଖ୍ୟା ଥିବା ସହରରେ ବାୟୁ ଯୋଗୁଁ ଲୋକଙ୍କ ଆୟୁଷ ୯ବର୍ଷ ପର୍ଯ୍ୟନ୍ତ କମ୍ ହୋଇଯାଉଛି । ଏହି ସହର ଗୁଡିକରେ ପ୍ରଦୂଷଣର ମାତ୍ରା କମିଗଲେ, ଲୋକଙ୍କ ଆୟୁଷ ୯ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଅନେକ ସମ୍ଭାବନା ରହିଛି । ସେହିଭଳି ଯଦି ଆଗ୍ରାରେ ବାୟୁ ପ୍ରଦୂଷଣର ମାତ୍ରା କମ୍ ରୁହେ, ତେବେ ସେଠାରେ ରହୁଥିବା ଲୋକଙ୍କ ବୟସ ୮.୧ବର୍ଷ ଏବଂ ବରେଲିରେ ରହୁଥିବା ଲୋକଙ୍କ ବୟସ ୭.୮ବର୍ଷ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି ।