ପୁଣେ ଟେଷ୍ଟରେ ଭାରତର ବିରାଟ ପରାଜୟ ! ଅଷ୍ଟ୍ରେଲିଆଠୁ ୩୩୩ ରନରେ ହାରିଲା ଟିମ୍ ଇଣ୍ଡିଆ

48

କନକ ବ୍ୟୁରୋ : ଘରୋଇ ମାଟିରେ ଟିମ୍ ଇଣ୍ଡିଆର ଦୟନୀୟ ପ୍ରଦର୍ଶନ । ୧୩ ବର୍ଷ ପରେ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଠାରୁ ଟେଷ୍ଟ ହାରିଛି ଭାରତ । ପୁଣେ ଟେଷ୍ଟକୁ ୩୩୩ ରନରେ ଜିତି ନେଇଛି କଂଗାରୁ ଦଳ । ଆଉ ନିଜ ମାଟିରେ ବେଶ୍ ଶକ୍ତିଶାଳୀ ବୋଲାଉଥିବା ଟିମ୍ ଇଣ୍ଡିଆକୁ ମାତ୍ ଦେଇଛି ଅଷ୍ଟ୍ରେଲଆ । ଲଗାତର ୧୯ଟି ଟେଷ୍ଟରେ ପରାଜୟର ମୁହଁ ଦେଖିନଥିବା ବିରାଟ ବାହିନୀକୁ ୨୦ ତମ ଟେଷ୍ଟରେ ଲାଗିଛି ଝଟକା ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୦ ରନ୍ କରିଥିବା ବେଳେ ଜବାବରେ ମାତ୍ର ୧୦୫ ରନରେ ଅଲଆଉଟ୍ ହୋଇଥିଲା ଘରୋଇ ଦଳ । ପ୍ରଥମ ଥର ପାଇଁ ଭାରତରେ ଖେଳୁଥିବା ଅଷ୍ଟ୍ରେଲୀୟ ସ୍ପିନର ଷ୍ଟିଭ୍ ଓକିଫ୍ ହିଁ ଟିମ୍ ଇଣ୍ଡିଆ ପାଇଁ କାଳ ସାଜିଥିଲେ । ତାଙ୍କ ସ୍ପିନ୍ ଯାଦୁ ଆଗରେ ଆତ୍ମସମର୍ପଣ କରିଥିଲେ ଭାରତୀୟ ବ୍ୟାଟସମ୍ୟାନ୍ । ସେହିପରି ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସରେ ୨୮୫ ରନ୍ କରି ଭାରତ ଆଗରେ ୪୪୧ ରନରେ ଟାର୍ଗେଟ୍ ରଖିଥିଲା ।

ହେଲେ ଜବାବରେ ପୁଣି ଥରେ ଦୟନୀୟ ପ୍ରଦର୍ଶନ କରି ୧୦୭ ରନରେ ସୀମିତ ରହିଥିଲା ଟିମ୍ ଇଣ୍ଡିଆ । ଉଭୟ ଇନିଂସରେ ମୋଟ୍ ୧୨ଟି ୱିକେଟ୍ ଦଖଲ କରି ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ଓକିଫ୍ । ଫଳରେ ୪ ଟିକିଆ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ ।