ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୫କୁ ବୃଦ୍ଧି : ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଲା, ସୁସ୍ଥ ହୋଇ ଫେରିଲେଣି ୧୫୧ ଜଣ

1,569

କନକ ବ୍ୟୁରୋ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ଏବେ ୧୯ ଶହ ୬୫ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୫୧ ଜଣ ସୁସ୍ଥ ହୋଇଥିବା ବେଳେ ୫୦ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୩୩୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୩ଜଣଙ୍କର ମୃତ୍ୟୁ ହୋଇଛି ଓ ୪୨ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ର ପଛକୁ କେରଳରେ ୨୬୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି ଓ ୨୫ଜଣ ସୁସ୍ଥ ହୋଇ ଫେରିଛନ୍ତି । ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୪୨ ହଜାର ଟପିଲାଣି ।

ଆମେରିକାରେ ୨ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ମୃତ୍ୟୁ ସଂଖ୍ୟା ୪ହଜାର ଉପରେ । ଇଟାଲିରେ ୧ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୩ ହଜାର ଟପିଯାଇଛି । ସେପଟେ ସ୍ପେନରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷରୁ ଅଧିକ ଓ ୯ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଲାଣି ମାରାତ୍ମକ କରୋନା । ଚୀନରେ ୮୧ ହଜାର ପଜିଟିଭ ମାମଲା ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ହଜାର ୩୧୨ ରହିଛି ।

ସେପଟେ କରୋନା ଭୂତାଣୁ ସଂକ୍ରମଣରେ ଅମୃତସର ସ୍ଥିତ ଶିଖ୍ ଧର୍ମାବଲମ୍ବୀଙ୍କ ସବୁଠାରୁ ବଡ ଗୁରୁଦ୍ୱାର ସ୍ୱର୍ଣ୍ଣମନ୍ଦିରର ପୂର୍ବ ହଜୁରୀ ରାଗୀ ନିର୍ମଳଙ୍କର ଆଜି ସକାଳୁ ସକାଳୁ ଦେହାନ୍ତ ହୋଇଛି । ନିର୍ମଳ ବୁଧବାର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସମ୍ମାନିତ ନିର୍ମଳ ସିଂହଙ୍କ ବୟସ ୬୨ ବର୍ଷ ହୋଇଥିଲା । ଦୁଇ ଦିନ ପୂର୍ବରୁ ତାଙ୍କ ଦେହରେ କରୋନ ଭାଇରସର ଲକ୍ଷଣ ଦେଖାଦେଇଥିଲା । ତାପରେ ତାଙ୍କୁ ଅମୃତସର ସ୍ଥିତ ଗୁରୁ ନାନକ ଦେବ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । କିଛି ଦିନ ପୂର୍ବରୁ ସେ ଲଣ୍ଡନରୁ ଫେରିଥିଲେ ।