ଶତ୍ରୁର ବାଟ ଓଗାଳିବାକୁ ସୀମା ଜଗିଛି ପୁଅ । ରାତିରେ ଶୋଇପାରୁନି ବୁଢ଼ୀ ମା’ । ଆକାଶରେ ଘନ ଘନ ଚକ୍କର କାଟୁଛି ଯୁଦ୍ଧ ବିମାନ । ମନେ ପଡ଼ିଯାଉଛି କାରଗିଲ ଯୁଦ୍ଧ କଥା . . . ରକ୍ତ ଜର୍ଜରିତ ଶହ ଶହ ବୀରପୁତ୍ରର ମରଶରୀର . . ପୁଅ କଥା ଚିନ୍ତା କରି ଛାତିରେ କୋହ ଭରିଯାଉଛି,  ଆଉ ଆଖିରେ ଲୁହ ଜକେଇ ଆସୁଛି

1,224

କନକ ବ୍ୟୁରୋ : ସୀମା ଜଗିଛି ବୀରପୁତ୍ର । ଶତ୍ରୁକୁ ଦେଶରେ ପୂରାଇ ନଦେବାକୁ ପଣ କରିଛି । ନାଲି ଆଖି ଦେଖାଉଥିବା ଚୀନକୁ ପାନେ ଚଖାଇବା ପାଇଁ ସୀମାରେ ରଣହୁଙ୍କାର ଦେଉଛି ପରାକ୍ରମୀ ପୁତ୍ର । ହେଲେ ବୀର ପୁତ୍ରକୁ ଜନ୍ମ ଦେଇଥିବା ଏହି ବୀରାଙ୍ଗନା ମା’ର ମନ ମାନୁନି । କେଉଁ ସମୟରେ ଯେ ଯୁଦ୍ଧ ବିଗୁଲ ବାଜିବ କହିହେଉନି । ଯୁଦ୍ଧ ଆଶଙ୍କାରେ ମନାଟା ଗୋଳେଇ ଘାଣ୍ଟି ହେଉଛି । ଆକାଶରେ ଘନ ଘନ ଚକ୍କର କାଟୁଛି ଯୁଦ୍ଧ ବିମାନ । ମନେ ପଡ଼ିଯାଉଛି କାରଗିଲ ଯୁଦ୍ଧ କଥା । ଯୁଦ୍ଧର ଭୟଙ୍କର ସ୍ଥିତି ଆଉ ଭାରତୀୟ ଯବାନଙ୍କ ବଳିଦାନ କଥା ମନରୁ ଲିଭିନି ।  ତ୍ରିରଙ୍ଗାରେ ଢ଼ାଙ୍କି ହୋଇଥିବା ରକ୍ତ ଜର୍ଜରିତ ଶହ ଶହ ବୀରପୁତ୍ରର ମରଶରୀର ।  ସେଦିନର କଥା ମନେ ପଡ଼ିଲେ ଆଜି ବି ଛାତିରେ କୋହ ଭରିଯାଉଛି ଆଉ ଆଖିରେ ଲୁହ ଜକେଇ ଆସୁଛି ।

ଲଦାଖର ଫରୱାର୍ଡ଼ ପୋର୍ଷ୍ଟରେ ମୁତୟନ ଅଛନ୍ତି ବୀରାଙ୍ଗନା ମା’ର ବୀର ପୁତ୍ର  । ସବୁ ଦିନ ଯୁଦ୍ଧ ଆଶଙ୍କାରେ ଜୀବନ ବିତାଉଥିବା ମା’ର ମନ ଆଜି ଭାରି ଅଥୟ ହେଉଛି । ଲଦାଖର ସିଂହ କୁହାଯାଉଥିବା ଅବସରପ୍ରାପ୍ତ କର୍ଣ୍ଣେଲ ସୋନମ ବାଇଚୁଙ୍ଗୁଙ୍କ ମା’ର ମନ ମାନୁନି । କାରଗିଲ ଯୁଦ୍ଧ ସମୟରେ ପୁଅ ପାହାଡ଼ର ଅଗ୍ରଭାଗରେ ଶତ୍ରୁ ସହ ଲଢ଼େଇ କରି ଅନୁପ୍ରବେଶକାରୀଙ୍କ ହାତରୁ ସମସ୍ତ ଘାଟିକୁ ମୁକ୍ତ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲା । ୨୦ ବର୍ଷ ପୂର୍ବର ସେହି ଯୁଦ୍ଧର ଭୟଙ୍କର ଦୃଶ୍ୟ ଏବେ ସୁଦ୍ଧା ହୃଦୟରୁ ଲିଭିନି । ଆଉ ଏବେ ନାତି, ଜୀବନକୁ ବାଜି ଲଗାଇ ଶତ୍ରୁକୁ ମାତ୍ ଦେବାକୁ ସୀମା ଜଗୁଛି ।

ଏବେ ଲଦାଖରେ ଅଞ୍ଚଳବାସୀଙ୍କ ମୁହଁରେ ସେହି ଗୋଟିଏ କଥା  । ପୁଣି ଯୁଦ୍ଧ ହେବ କି ? ସମସ୍ତଙ୍କୁ ଯୁଦ୍ଧ ଆଶଙ୍କା ଘାରିଛି । କାରଣ ଘାଟିର ମଣିଷ ହିଁ ଜାଣେ ଯୁଦ୍ଧର ଭୟାବହତା । ଆଖି ଆଗରେ ସହିଦ ହୋଇଯାଆନ୍ତି ଶହ ଶହ ବୀର ପୁତ୍ର । ମାଟି ମା’ର ସେବା ପାଇଁ ହସି ହସି ପ୍ରାଣବଳୀ ଦେଇଦିଅନ୍ତି ।

ପୁଅ ପରେ ଏବେ ନାତି ଶତ୍ରୁର ମୁହାଁମୁହିଁ ହେବାପାଇଁ ପ୍ରସ୍ତୁତ ।  ଯୁଦ୍ଧ ଆଶଙ୍କାରେ ମା’ ଘରେ ଶୋଇ ପାରୁନି ।  ନିତି ପ୍ରଦିଦିନ ବୀରପୁତ୍ରର ରକ୍ତ ଜର୍ଜରିତ ଶରୀର ଆଉ ଦେଖିପାରୁନି ମା’ । ମନରେ ଭାବନା ଉଦ୍ରେକ ହେଉଛି , ଏ ଯୁଦ୍ଧ ଅଶଙ୍କା କ’ଣ କେବେ ଥମିବନି ।  ସତରେ କ’ଣ ଏ ସୀମା ବିବାଦର ଅନ୍ତ ନାହିଁ । ଆଉ କେତେ ଦିନ ଏ ଅଭାଗିନୀ ମା’ଟା ପୁତ୍ର ଶରୀରର ରକ୍ତ ଦେଖିବ ।