ଲଦାଖ ଗଲୱାନ ଘାଟିରୁ ପଛକୁ ହଟିଲା ଚୀନ ସେନା । ୧ କିଲୋମିଟରରୁ ୨ କିଲୋମିଟର ପର୍ଯ୍ୟନ୍ତ ପଛକୁ ହଟିଥିବା ନେଇ ସୂଚନା । ଉତ୍ତେଜନା କମାଇବା ପାଇଁ ଦୁଇ ଦେଶ ମଧ୍ୟରେ ହୋଇଥିଲା ସୈନ୍ୟ ସ୍ତରୀୟ ବୈଠକ

1,324

କନକ ବ୍ୟୁରୋ : ଗଲୱାନ ଘାଟିରୁ ପଛକୁ ହଟିଲା ଚୀନ । ଭାରତ ସହ ଏଲଏସିରେ ବିବାଦ ମଧ୍ୟରେ ଚୀନ ସେନା କିଛି ମାତ୍ରାରେ ପଛକୁ ହଟିଛି । ଗଲୱାନ ଘାଟିର ଘଟଣାସ୍ଥଳରୁ ଚୀନ ସେନା ପ୍ରାୟ ଗୋଟିଏ କିଲୋମିଟରରୁ ୨ କିଲୋମିଟର ଯାଏଁ ପଛକୁ ହଟିଥିବା ଜଣାଯାଇଛି । ୧୫ ଜୁନରେ ଏହି ସ୍ଥାନରେ ଭାରତ ଓ ଚୀନର ସେନା ମୁହାଁମୁହିଁ ହୋଇଥିଲେ । ଉତେଜନା କମାଇବା ପାଇଁ ଭାରତ ଓ ଚୀନ ମଧ୍ୟରେ ଅନେକ ଥର ସୈନ୍ୟ ସ୍ତରୀୟ ବୈଠକ ବି ହୋଇଥିଲା । ଆଲୋଚନା ପରେ ପ୍ରଥମ ପର୍ଯ୍ୟାୟ ସ୍ୱରୂପ ଚୀନ ସେନା ଏକରୁ ୨ କିଲୋମିଟର ପଛକୁ ହଟିଥିବା ଜଣାଯାଇଛି । ଖବର ଅନୁସାରେ, ଦୁଇଦେଶ ମଧ୍ୟରେ କୌଣସି ହିଂସାର ପୁନରାବୃତି ନ କରିବାକୁ ଗଲୱାନ ଘାଟି ନିକଟରେ ଏବେ ବଫର ଜୋନ କରାଯାଇଛି । ଚୀନ ସେନା ନିଜର ଟେଂଟ, ଗାଡି ଓ ସୈନିକଙ୍କୁ ପଛକୁ ହଟାଇବା ଆରମ୍ଭ କରିଛି ।

ଦୁଇଦେଶର କମାଣ୍ଡରସ୍ତରୀୟ ବୈଠକରେ ଏହି ନିଷ୍ପତି ହୋଇଥିଲା । ସେନା ସୁତ୍ର ଅନୁସାରେ, ଚୀନ ସେନା ପଛକୁ ହଟିଛି, ଯାହା ଭାରତୀୟ ଅଂଶରୁ ଦେଖାଯାଉଛି । ଏହି ଘଟଣା ପରେ ଉଭୟ ପକ୍ଷ ପୁଣି ଆଲୋଚନା ଆରମ୍ଭ କରିବା ସମ୍ଭାବନା ସୃଷ୍ଟି ହୋଇଛି । ଗତ ମେ ମାସରୁ ହିଁ ଏଲଏସିରେ ଭାରତ-ଚୀନ ମଧ୍ୟରେ ଉତେଜନାମୂଳକ ସ୍ଥିତି ରହିଛି । ଲଦାଖ ସୀମାର ଗଲୱାନ ଘାଟିର ପେଙ୍ଗଙ୍ଗ ଲେକ ଯାଏଁ ଦୁଇଦେଶର ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଜୁନ ପ୍ରଥମ ସପ୍ତାହରେ ଦୁଇଦେଶ ମଧ୍ୟରେ ସୈନ୍ୟସ୍ତରୀୟ ବୈଠକ ହୋଇଥିଲା । କିନ୍ତୁ ୧୫ ଜୁନରେ ଦୁଇଦେଶ ମଧ୍ୟରେ ଗଲୱାନ ଘାଟିରେ ବିବାଦ ଦେଖାଦେଇଥିଲା । ଏଥିରେ ଭାରତୀୟ ସେନାର ୨୦ ଯବାନ ସହିଦ ହୋଇଥିଲେ । ଚୀନପକ୍ଷରୁ ବି ବ୍ୟାପକ କ୍ଷତି ହୋଇଥିଲା ।

କିନ୍ତୁ ବେଜିଂ ଏହାକୁ ମାନିନଥିଲା । ବିବାଦ ପରେ ଭାରତୀୟ ସେନା ପକ୍ଷରୁ ୬ ଜୁନ,୨୨ଜୁନ ଓ ୩୦ ଜୁନରେ ଚୀନ ସେନା ସହ କଥାବାର୍ତା ବି ହୋଇଥିଲା । ଭାରତ ନିଜ ଆଭିମୁଖ୍ୟରେ କାଏମ ରହିଥିବାବେଳେ ଚୀନ କିନ୍ତୁ ଏହାକୁ ମାନିନଥିଲ । ଗତ ଶୁକ୍ରବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଚନାକ ଲେହ ଗସ୍ତ ସମସ୍ତଙ୍କୁ ଚମକାଇ ଦେଇଥିଲା । ମୋଦି ଆହତ ସୈନିକଙ୍କୁ ଭେଟିବା ସହ ଚୀନକୁ କଡା ସନ୍ଦେଶ ଦେଇଥିଲେ ।