କନକ ବ୍ୟୁରୋ : ଭାରତ-ଚୀନ୍ ମଧ୍ୟରେ ବିଗିଡ଼ି ଯାଇଥିବା ସମ୍ପର୍କକୁ ସୁଧାରିବା ସହ ଆଗାମୀ ୧୫ ବର୍ଷ ଯାଏଁ ଉଭୟ ଦେଶ ମଧ୍ୟରେ ଶାନ୍ତି ଓ ସହଯୋଗ ସ୍ଥାପନା ପାଇଁ ଅନୌପଚାରିକ ଶିଖର ବୈଠକ ଆୟୋଜିତ ହେବାକୁ ଯାଉଛି । ଆସନ୍ତା ସପ୍ତାହରେ ବେଜିଂର ବୁହାନ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଜିି ଜିନ୍ ପିଙ୍ଗ୍ଙ୍କ ମଧ୍ୟରେ ଦୁଇ ଦିନ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ବେଜିଂରେ ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଚୀନ୍ ବିଦେଶ ମନ୍ତ୍ରୀ ଓ୍ଵାଙ୍ଗ୍ ଚି କହିଛନ୍ତି ଯେ, ଦୁଇ ନେତାଙ୍କ ମଧ୍ୟରେ ଆସନ୍ତା ୨୭-୨୮ ତାରିଖରେ ଶିଖର ବୈଠକ ହେବ । ଗତବର୍ଷ ଡୋକ୍ଲାମ ଓ ଚଳିତବର୍ଷ ଅରୁଣାଚଳ ବିବାଦ ପରେ ମୋଦି-ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନା ହେଉଛି ।
ପ୍ରଧାନମନ୍ତ୍ରୀ ହେବା ପରଠାରୁ ମୋଦିଙ୍କ ଏହା ଚତୁର୍ଥ ଚୀନ୍ ଗସ୍ତ, ଏହା ବ୍ୟତୀତ ଅସନ୍ତା ଜୁନ୍ ମାସରେ ମଧ୍ୟ ସେ ଚୀନ୍ ଗସ୍ତରେ ଯିବେ । ଆଜି ଯୁଗ୍ମ ସମ୍ମିଳନୀକୁ ସମ୍ବୋଧିତ କରି ଚୀନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ୍ଵାଙ୍ଗ୍ ଚି ସାଂଘାଇ ସହଯୋଗ ସଂଗଠନରେ ସାମିଲ ହୋଇଥିବାରୁ ଭାରକୁ ଧନ୍ୟବାଦ ଜଣାଇଥିଲେ । ୧୯୮୮ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଚୀନ୍ ଗସ୍ତକରି ଆଲୋଚନା କରିବା ଦ୍ୱାରା ଉଭୟ ଦେଶ ମଧ୍ୟରେ ଅତି ତିକ୍ତ ହୋଇଯାଇଥିବା ସମ୍ପର୍କ ପୁଣିଥରେ ନୂଆକରି ଆରମ୍ଭ ହୋଇଥିଲା । ଠିକ୍ ସେହିଭଳି ମୋଦିଙ୍କ ବର୍ତ୍ତମାନର ଚୀନ୍ ଗସ୍ତ ଉଭୟ ଦେଶର ସମ୍ପର୍କରେ ସୁଧାର ଆଣିବ ବୋଲି ଆଶା କରାଯାଇ ଛି।