ଭାରତ-ଚୀନ୍‌ ସୀମା ବିବାଦ ଆଗକୁ ଆହୁରି ଜଟିଳ ହେବା ଆଶଙ୍କା : ଚୀନ୍‌ର ଷଡ଼ଯନ୍ତ୍ରକୁ ଦୃଷ୍ଟିରେ ରଖି ଏକ ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି ଭାରତ

768

କନକ ବ୍ୟୁରୋ : ଲଦାଖ୍‌ରେ ଭାରତ-ଚୀନ୍‌ ସୀମା ବିବାଦ ଆଗକୁ ଆହୁରି ଜଟିଳ ହେବା ଆଶଙ୍କା ରହିଛି। ଚୀନ୍‌ର ବଡ଼ ଷଡ଼ଯନ୍ତ୍ରକୁ ଦୃଷ୍ଟିରେ ରଖି ଭାରତ ଏକ ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି। ଉଭୟ ପକ୍ଷ ବିପୁଳ ସୈନ୍ୟ ଏବଂ ଭାରୀ ଯୁଦ୍ଧାସ୍ତ୍ର ମୁତୟନ କରିଛନ୍ତି ଏବଂ ବିଭିନ୍ନ ପର୍ଯ୍ୟାୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ଲଦାଖ୍‌ ସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟ‌‌ରେ ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ଗତ କିଛିଦିନ ଧରି ଯେଉଁ ଉତ୍ତେଜନା ସ୍ଥିତି ଲାଗି ରହିଛି ତାହା ଚୀନ୍‌ର ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ପ୍ରମାଣିତ ହୋଇଛି। ବିନା କାରଣରେ ଚୀନ୍‌ ଉତ୍ତେଜନା ସୃଷ୍ଟି କରି ଭାରତ ଉପରେ ଚାପ ସୃଷ୍ଟି କରିଛି । ଏ ବାବଦରେ ଆସନ୍ତା ୬ ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ।

ଉଭୟ ପକ୍ଷର ବରିଷ୍ଠ କମାଣ୍ଡରମାନେ ଏହି ବୈଠକରେ ଯୋଗ ଦେବେ। ବୈଠକ ପୂର୍ବରୁ ଉତ୍ତେଜନା ହ୍ରାସ କରିବାକୁ ଆଜି ଚୀନ୍‌ ସେନା ଗଲୱାନ ଘାଟିରେ ୨ କିମି ପଛକୁ ହଟିଥିବା ବେଳେ ଭାରତୀୟ ସେନା ୧ କିମି ପଛକୁ ଆସିଛି। ଭାରତରେ ‌‌ଲେହ ୧୪ କର୍ପ‌୍ କମାଣ୍ଡର ଭାରତୀୟ ପ୍ରତିନିଧିଙ୍କ ନେତୃତ୍ବ ନେବେ ବୋଲି ଜଣାପଡ଼ିଛି। ବିବାଦ ହଟାଇବାପାଇଁ ଏହା ସବୁଠୁ ଉଚ୍ଚସ୍ତରୀୟ ସାମରିକ କଥାବାର୍ତ୍ତା ।

ପୂର୍ବରୁ ମେଜର ଜେନେରାଲ୍‌ ରୢାଙ୍କ୍‌ ଅଧିକାରୀଙ୍କ ମଧ୍ୟରେ ୩ ରାଉଣ୍ଡ୍‌ କଥାବାର୍ତ୍ତା ହୋଇସାରିଛି। କିନ୍ତୁ ସମାଧାନର କୌଣସି ନିଷ୍କର୍ସ ନ ବାହାରିବାପରେ ଏହି ବୈଠକ ଡକାଯାଇଛି। ଅନ୍ୟପକ୍ଷେ ଏଲ୍‌ଏସି ନିକଟ‌ରେ ଚୀନ୍‌ ବିପୁଳ ସୈନ୍ୟ ମୁତୟନ କରି ଉତ୍ତେଜନା ବଢ଼ାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । ରାଜନାଥ କହିଛନ୍ତି, ବର୍ତ୍ତମାନ ସାମରିକ କଥାବାର୍ତ୍ତା ଜାରି ରହିଛି ଏବଂ ଆଗକୁ ମଧ୍ୟ ବରିଷ୍ଠ ସାମରିକ ଅଧିକାରୀସ୍ତରରେ ଆଲୋଚନା ହେବ। ଏନେଇ ରାଜନାଥ ସେନାମୁଖ୍ୟ ଏବଂ ଅନ୍ୟମାନଙ୍କ ସହ କଥା ହୋଇଥିବା ସୂଚନା ଦେଇଛନ୍ତି। କଥାବାର୍ତ୍ତା ମାଧ୍ୟମରେ ଭାରତ- ଚୀନ୍‌ ସୀମା ବିବଦାର ସମାଧାନ ହୋଇପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।