ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ! ସ୍ୱାଧୀନତା ଦିବସ ଉପଲକ୍ଷେ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ

65

କନକ ବ୍ୟୁରୋ : ଦେଶର ୭୧ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲା ଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ସେ ଶୁଭକାମନା ଜଣାଇଛନ୍ତି । କହିଛନ୍ତି, ଦେଶର ସୁରକ୍ଷା ସବୁ ଭାରତୀୟଙ୍କ ଦାୟିତ୍ୱ । ଏହାସହ ମୋଦିଙ୍କ ଅଭିଭାଷଣରେ ସ୍ଥାନ ପାଇଛି ଗୋରଖପୁର ବାବା ରାଘବ ଦାସ ମେଡିକାଲ କଲେଜରେ ଶିଶୁ ମୃତ୍ୟୁ ଘଟଣା । ଏହା ଏକ ସମ୍ବେଦନଶୀଳ ଘଟଣା ବୋଲି କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜିଏସଟି ରହିଛି । ମୋଦି କହିଛନ୍ତି ବିମୁଦ୍ରାକରଣ ଦେଶର ଏକ ବଡ ଶକ୍ତି । ଏହାଦ୍ୱାରା ଦେଶକୁ ୮ଶହ କୋଟିର ବେନାମୀ ଟଙ୍କା ଫେରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଶତ୍ରୁପକ୍ଷକୁ କଡା ଯବାବ ଦେଇ ଆଗକୁ ବଢିବାକୁ ହେବ । ନୂତନ ଭାରତ ଗଢିବା ପାଇଁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ୧.୨୫ ଲକ୍ଷ କୋଟିର କଳାଧନ ସାମ୍ନାକୁ ଆସିଛି । ଦୁର୍ନୀତିମୁକ୍ତ ଭାରତ ଗଠନ ପାଇଁ ପ୍ରୟାସ ଜାରି ରହିଛି । ବିମୁଦ୍ରାକରଣ ପରେ ୩ ଲକ୍ଷ କୋଟିର ବ୍ୟାଙ୍କରେ ଜମା ହୋଇଛି । ୨ ଲକ୍ଷ କୋଟି ଟଙ୍କା କଳାଧନ ବ୍ୟାଙ୍କକୁ ଆସିଛି ।

ସମଗ୍ର ବିଶ୍ୱ ଆଜି ଭାରତକୁ ଭିନ୍ନ ଦୃଷ୍ଟିରେ ଦେଖୁଛି । ସର୍ଜିକାଲ ଷ୍ଟ୍ରାଇକ ହେଉ ବା ବିମୁଦ୍ରକରଣ ଅଥବା ଜିଏସଟି ସବୁ ଏକ ନ୍ୟୁ ଇଣ୍ଡିଆ ଗଠନ ଦିଗରେ ଗୋଟିଏ ଗୋଟିଏ ପଦକ୍ଷେପ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଗୋରଖପୁର ଡାକ୍ତରଖାନାରେ ଶିଶୁମୃତ୍ୟୁ ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମାନବ ସମ୍ପଦର ବିକାଶ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆଦି ଦେଶ ବିକାଶରେ ସହାୟତା କରୁଛି ଓ କରିବ ମଧ୍ୟ ବୋଲି ମୋଦି କହିଛନ୍ତି । ଆସ୍ଥା ଓ ବିଶ୍ୱାସ ନାମରେ ଦେଶରେ କୌଣସି ହିଂସାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।