ଜୀବନ ଯୁଦ୍ଧରେ ହାରିନାହାନ୍ତି ପ୍ରକାଶ : ଦୁର୍ଘଟଣା ଗୋଡ଼ ଅଚଳ କରିଦେଲା ସିନା ମନବୋଳ ଭାଙ୍ଗିପାରିଲାନି. . ପରିବା ବିକ୍ରି କରି ପେଟ ପାଳୁଛନ୍ତି ଦିବ୍ୟାଙ୍ଗ

341

କନକ ବ୍ୟୁରୋ : ଜୀବନର ରଣଭୂମିରେ ଦିବ୍ୟାଙ୍ଗଙ୍କ ସଂଘର୍ଷ । ଦୁର୍ଘଟଣାରେ ଦୁଇ ଗୋଡ଼ ଚାଲୁନି । ହେଲେ ଦୃଢ଼ ଇଚ୍ଛାଶକ୍ତି ଆଗରେ ଅକ୍ଷମତା ପ୍ରତିବନ୍ଧକ ସାଜିପାରିନି । ଅବିଚ୍ଛିନ୍ନ ସଂଘର୍ଷ ତାଙ୍କୁ ନୂଆ ପରିଚୟ ଦେଇଛି । ଫୁଲବାଣୀର ପ୍ରକାଶ ସାହୁ କଠିନ ପରିଶ୍ରମ କରି ପରିବାର ପାଳୁଛନ୍ତି । ଗୋଡ଼ ଚଳୁନଥିବେ ବି କାହା ସରକାରୀ ସାହାଯ୍ୟକୁ ଅପେକ୍ଷା ନକରି ପନିପରିବା ବେପାର କରି ଘର ଚଳାଉଛନ୍ତି । କାହା ଦୟାରେ ଚଳୁନାହାନ୍ତି , କି କାହା ପାଖରେ ହାତ ପତାଉନାହାନ୍ତି । ଅନ୍ୟ ଉପରେ ଭରସା ନକରି ସ୍ୱାବଲମ୍ବୀ ହୋଇପାରିଛନ୍ତି ।

ପ୍ରକାଶଙ୍କ ଘର ଫୁଲବାଣୀ ନିକଟ ଗୁମାଗଡରେ । ୫୦ ବର୍ଷୀୟ ପ୍ରକାଶଙ୍କ ଚଲାବୁଲା ପାଇଁ ଆଶା ବାଡି ଉପରେ ଭରସା କରୁଛନ୍ତି । ପରିବାର କହିଲେ ପାଖରେ ଅଛନ୍ତି ପତ୍ନୀ ସରସ୍ୱତୀ । ୨ ଝିଅଙ୍କ ବାହାଘର ସରିଛି । ଆଉ ଏକ ମାତ୍ର ପୁଅ ନିଜ ପରିବାର ସହ ଅନ୍ୟତ୍ର ରହୁଛି । ପ୍ରକାଶଙ୍କର ଗାଁରେ ଧନ ସମ୍ପତ୍ତି ସେମିତି କିଛି ନାହିଁ । ସେ ଜଣେ ଭଲ ରାଜମିସ୍ତ୍ରୀ ହୋଇଥିବାରୁ ଫୁଲବାଣୀ ଆସି କାମ କରୁଥିଲେ । ସଂସାର ଠିକଠାକ୍ ଚାଲିଥିଲା । ହେଲେ ୪ବର୍ଷ ପୂର୍ବେ ପ୍ରକାଶଙ୍କ ଜୀବନରେ ବଡ ବିପତ୍ତି ମାଡି ଆସିଲା । ଜଣେ ବ୍ୟକ୍ତିଙ୍କ ଘରେ ସେ ରାଜମିସ୍ତ୍ରୀ କାମ କରୁଥିଲେ ।

ସିମେଣ୍ଟ ଦରକାର ପଡିବାରୁ ସଂପୃକ୍ତ ବ୍ୟକ୍ତିଜଣକ ବାଇକରେ ବସାଇ ପ୍ରକାଶଙ୍କୁ ଦୋକାନକୁ ନେଇଥିଲେ । ସିମେଣ୍ଟ ଧରି ବାଇକରେ ଆସିବା ସମୟରେ ଫୁଲବାଣୀ ସର୍କିଟ ହାଉସ ନିକଟରେ ଅନ୍ୟ ଏକ ଗାଡି ଧକ୍କା ଦେଇଥିଲା । ପ୍ରକାଶଙ୍କ ଉଭୟ ଗୋଡ ଗୁରୁତର ଆଘାତ ଲାଗିଥିଲା । ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିଲେ ବି ତାଙ୍କୁ କୌଣସି ପ୍ରକାର ସହାୟତା ମିଳି ନ ଥିଲା । କିଛି ଦିନ ପରେ ପ୍ରକାଶ ସୁସ୍ଥ ହେଲେ ସତ । ହେଲେ ତାଙ୍କର ୨ଟି ଗୋଡ ଏକରକମ ଅଚଳ ହୋଇଗଲା । ଏହା ପରଠାରୁ ପ୍ରକାଶ ଆଉ ରାଜମିସ୍ତ୍ରୀ କାମ କରିବାକୁ ସକ୍ଷମ ହୋଇ ପାରିଲେ ନାହିଁ ।

କଣ କରିବେ , ଏମିତି ଚିନ୍ତା କରି ଆଜକୁ ୩ବର୍ଷ ପୂର୍ବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପନିପରିବା ବେପାର ଆରମ୍ଭ କରିଥିଲେ । ତାଙ୍କୁ ସାହାଯ୍ୟ କରିଥିଲେ ପତ୍ନୀ ସରସ୍ୱତୀ । ଖରା , ବର୍ଷା ଓ ଶୀତରେ ପନିପରିବା ବେପାର କରୁଥିବା ବେଳେ ଦିନକୁ ୨ଶହରୁ ୩ଶହ ଟଙ୍କା ଲାଭ ମିଳୁଥିବା ନେଇ କହିଛନ୍ତି ପ୍ରକାଶ । ଏଥିରୁ ୧୫ଶହ ଟଙ୍କା ଘରଭଡା ଦେବାକୁ ପଡୁଛି । ବାକି ଯାହା କିଛି ରହୁଛି, ସେଥିରେ ତାଙ୍କର ସଂସାର କଷ୍ଟେମଷ୍ଟେ ଚାଲିଛି ବୋଲି ସେ କହନ୍ତି । ଅକ୍ଷମ ନୁହେଁ ସେ ସକ୍ଷମ ବୋଲି ପ୍ରମାଣ କରି ଦେଖାଇଛନ୍ତି ପ୍ରକାଶ । ପ୍ରକାଶଙ୍କ ଏଭଳି ଉଦ୍ୟମ ନିଶ୍ଚୟ ଅନ୍ୟମାନଙ୍କ ପାଇଁ ଉଦାହରଣ , ଏଥିରେ କୌଣସି ଦ୍ୱିମତ ନାହିଁ ।