ନବରଙ୍ଗପୁରରେ ଶ୍ରମିକଙ୍କ ପାଖକୁ ଆସିଲା ଆୟକର ବିଭାଗର ନୋଟିସ : ବ୍ୟାଙ୍କ ଖାତାରେ ୧ କୋଟି ଟଙ୍କାରୁ ଅଧିକ କାରବାର, ଟିପ ଚିହ୍ନ ନେଇ ଫସାଇ ଦେଲେ ମାଲିକ

417

କନକ ବ୍ୟୁରୋ : ନୋଟସି ଆସିଛି ଆୟକର ଅଫିସରୁ । ପରେ ଘରେ ମୂଲ ଲାଗି ପେଟ ପୋଷୁଥିବା ଆଦିବାସୀଙ୍କୁ ଆସିଛି ଏହି ନୋଟିସ । ଶୁଣିବାକୁ ଟିକିଏ ଅଡୁଆ ଲାଗୁଥିଲେ ବି ଘଟଣାଟି ସତ । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୂଜାରୀଗୁଡା ଅଂଚଳରୁ ଆସିଛି ଏହି ଖବର । ଗାଁର ସନଧର ଗଣ୍ଡଙ୍କ ବ୍ୟାଙ୍କ ଖାତାରେ କାରବାର ହୋଇଛି ଏକକୋଟି ୪୭ ଲକ୍ଷ ୫୭ ଟଙ୍କା । ଆଉ ଏହା ପରେ ଆୟକର ବିଭାଗ ଦେଇଛି ୨ ଲକ୍ଷ ୬୦ ହଜାର ଟଙ୍କାର ନୋଟିସ । ଉମରକୋଟ ଆଇସିଆଇସିଆଇ ବ୍ୟାଙ୍କରେ ଏହି କାରବାର ହୋଇଛି । ଆଉ ଏତେ ଟଙ୍କାର କାରବାର ହେବା ପରେ ଆସିଛି ନୋଟିସ ।

ଦୀର୍ଘଦିନ ହେଲା ସନଧର ସ୍ଥାନୀୟ ଅଚଂଳର ବ୍ୟକ୍ତି ପପୁ ଅଗ୍ରୱାଲଙ୍କ ପାଖରେ କାମ କରିଆସୁଛନ୍ତି । ନିଜର ପେଟ ପାଇଁ ସଂଘର୍ଷ କରୁଥିବା ସନଧରକୁ ଯେତେବେଳେ ଏହି ନୋଟିସ ଆସିଥିଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନୋଟିସ ପାଇବା ପରେ ସେ ଏହି ନୋଟିସକୁ ଧରି ନିଜ ମାଲିକ ପାଖକୁ ଯାଇଥିଲେ । କିନ୍ତୁ ମାଲିକ ଏ ନେଇ କିଛି କହିନଥିଲେ । ପରେ ସନଧର ଅନ୍ୟ ବ୍ୟକ୍ତିଙ୍କ ନିକଟରୁ ଏ ବିଷୟ ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

ସେ ନିଜ ମାଲିକଙ୍କ ନିକଟକୁ ଯାଇ ଏ ବିଷୟରେ କହିଥିଲେ । ସନଧରଙ୍କ କହିବା କଥା ହେଲା, ମାଲିକ ଏକ କାଗଜରେ ତାଙ୍କ ଦସ୍ତଖତ ନେଇଯାଉଥିଲେ । ଆଉ ସରଳତାର ସୁଯୋଗ ନେଇ ସଂପୃକ୍ତ ମାଲିକ ଏହି କାରବାର କରିଥିବା ଜଣାଯାଇଛି ।