ଶାଶୁଘର ଲୋକଙ୍କ ବର୍ବରତା : ଯୌତୁକ ନମିଳିବାରୁ ଆଖି ଫୁଟାଇବା ସହ ବୋହୂକୁ ବିଷ ଦେଇ ହତ୍ୟା କଲେ

43

କନକ ବ୍ୟୁରୋ : ବିହାରର ନାଳନ୍ଦା ଜିଲ୍ଲାରେ ଘଟିଥିବା ଏକ ଘଟଣାକୁ ନେଇ ଏବେ ଚଞ୍ଚଲ୍ୟ ଖେଳି ଯାଇଛି । ଯୌତୁକ ପ୍ରଥାକୁ ହଟାଇବା ପାଇଁ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଚେଷ୍ଟା ଚଳାଇଥିବା ବେଳେ ଏପରି ଏକ ଘଟଣା ଘଟିବା ନିନ୍ଦନୀୟ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ନାଳନ୍ଦା ଜିଲ୍ଲାର ଫୁଲବାରିୟା ଗ୍ରାମରେ ଶାଶୁଘର ଲୋକେ ନିଜ ବୋହୂ ବବିତା ଦେବୀଙ୍କୁ ଯୌତୁକ ପାଇଁ ହତ୍ୟା କରିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହା ପରେ ପୁଲିସ ପୀଡ଼ିତାଙ୍କ ସ୍ୱାମୀଙ୍କୁ ଗିରଫ କରିଥିବା ବେଳେ ପରିବାରର ଅନ୍ୟ ୫ଜଣ ସଦସ୍ୟ ଫେରାର ଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ପ୍ରଥମେ ସେମାନେ ବବିତାଙ୍କ ଆଖି ଫୁଟାଇବା ସହ ପରେ ବିଷ ଦେଇ ତାଙ୍କୁ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି । ହତ୍ୟା ପରେ କାହାକୁ ଯେମିତି ସନ୍ଦେହ ନ ହେଉ ସେଥିପାଇଁ ଶାଶୁ ଘର ଲୋକେ ବବିତାଙ୍କ ମୃତଦେହ ନେଇ ଜହାନାବାଦ୍‌ ଏକ ବିଲରେ ଫିଙ୍ଗି ଦେଇଥିଲେ । ଗୁରୁବାର ଏହି ଘଟଣା ଘଟିଥିବା ବେଳେ ଶୁକ୍ରବାର ସକାଳୁ ଜାନାବାଦ୍‌ର ସ୍ଥାନୀୟ ଲୋକେ ମୃତଦେହ ଦେଖି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ ।

ପୁଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଥିଲା । ଯାହା ପରେ ବବିତାଙ୍କ ପରିଚୟ ସାମ୍ନାକୁ ଆସିଥିଲା । ଏ ନେଇ ପୀଡ଼ିତାଙ୍କ ବାପଘର ଲୋକଙ୍କୁ ସୂଚନା ମିଳିବା ପରେ ସେମାନେ ପୀଡ଼ିତାଙ୍କ ଶାଶୁଘର ଲୋକଙ୍କ ଉପରେ ଅଭିଯୋଗ ଆଣିଛନ୍ତି ।