ଖାକି ବର୍ଦ୍ଦିକୁ ସଲାମ୍ : ଲଗାଣ ବର୍ଷାରେ ଟ୍ରାଫିକ୍ ପୋଷ୍ଟରେ ଛିଡ଼ାହୋଇ କର୍ତ୍ତବ୍ୟ କଲେ ହୋମଗାର୍ଡ଼ ଏସ. ଚନ୍ଦ୍ରଶେଖର, ଚାରିଆଡ଼ୁ ଛୁଟିଲା ପ୍ରଶଂସାର ସୁଅ

436

କନକ ବ୍ୟୁରୋ : ଖାକି ବର୍ଦ୍ଦିକୁ ସଲାମ୍ । ପୋଲିସବାବୁଙ୍କ କର୍ତ୍ତବ୍ୟନିଷ୍ଠାକୁ ସଲାମ୍  । କର୍ତ୍ତବ୍ୟ ଆଗ, ବ୍ୟକ୍ତିଗତ ସୁବିଧା ସୁଯୋଗ ପଛ । ଲଗାଣ ବର୍ଷାରେ ବି ନିଜର କର୍ତ୍ତବ୍ୟକୁ ନଭୁଲି ସୁଚାରୁରୂପେ ନିଭାଇଛନ୍ତି ହୋମଗାର୍ଡ଼ ଏସ ଚନ୍ଦ୍ରଶେଖର । ଓଡ଼ିଶାରେ ବର୍ତ୍ତମାନ ପାଗ ବଦଳିବା ହେତୁ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଶୀତ ଦିନରେ ଅଦିନିଆ ବର୍ଷା ଯୋଗୁଁ ଲୋକେ ଘରୁ ଗୋଡ଼ କାଢ଼ିବାକୁ ମଙ୍ଗୁନଥିବାବେଳେ ଏହି ପୋଲିସ କର୍ମୀ ଜଣକ ନିଜର କର୍ତ୍ତବ୍ୟ କରିବାରେ ଟିକିଏ ବି ହେଳା କରିନାହାନ୍ତି । ତାଙ୍କର ଏପରି କାର୍ଯ୍ୟଶୈଳୀ ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି ।

ଶ୍ରୀଯୁକ୍ତ ଏସ ଚନ୍ଦ୍ରଶେଖର, ବ୍ରହ୍ମପୁରର କମାପାଲି ସ୍କୟାରରେ ହୋମଗାର୍ଡ଼ ରୂପେ କାର୍ଯ୍ୟରତ । ଆଜିକାଲି ପୁଲିସକୁ ନେଇ ଲୋକଙ୍କ ମନରେ ଦ୍ୱେଷ ଭାବ ରହିଥିବା ବେଳେ ଏହି ହୋମଗାର୍ଡ଼ ଜଣଙ୍କ ସମସ୍ତଙ୍କ ମନରୁ ଭ୍ରାନ୍ତ ଧାରଣା ଦୂର କରିଛନ୍ତି । ଲୋକଙ୍କୁ ସୁବିଧାରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାର ପାଇଁ ବର୍ଷାରେ ଛିଡ଼ା ହୋଇ କାମ କରୁଛନ୍ତି । ଦେଖନ୍ତୁ ଲଗାଣ ବର୍ଷାରେ କିପରି କତ୍ତର୍ବ୍ୟ କରିଚାଲିଛନ୍ତି ସେ । ଟ୍ରାଫିକ ପୋଷ୍ଟରେ ଅଧିକ ଭିଡ଼ ନଥିଲେ ମଧ୍ୟ ନିଜ କର୍ମରୁ ବିରତ ହୋଇନାହାନ୍ତି ।

ହୋମଗାର୍ଡ଼ ଏସ ଚନ୍ଦ୍ରଶେଖରଙ୍କ ଏହି କାମକୁ ବ୍ରହ୍ମପୁର ଏସପି ଖୁବ ପ୍ରଶଂସା କରିଛନ୍ତି । ବ୍ରହ୍ମପୁର ପୋଲିସ ଏହି ଭିଡ଼ିଓକୁ ନିଜ ଟ୍ୱିଟର ପେଜରେ ସେୟାର କରିବା ସହ ସଲାମ ଜଣାଇଛନ୍ତି । ଭିଡ଼ିଓ ଦେଖି ସାଧାରଣ ଜନତା ମଧ୍ୟ ତାଙ୍କର ଭୁରି ଭୁରି ପ୍ରଶଂସା କରୁଛନ୍ତି ।