ଘରୋଇ ସଂସ୍ଥାକୁ ଟେକି ଦେଲେ ଲାଲକିଲ୍ଲାର ରକ୍ଷଣାବେକ୍ଷଣ ଦାୟିତ୍ୱ ! ୫ବର୍ଷ ପାଇଁ ଡାଲମିଆଁ ଭାରତ ଗ୍ରୁପକୁ ହସ୍ତାନ୍ତର କଲେ କେନ୍ଦ୍ର ସରକାର, ଐତିହ୍ୟର ବିକାଶ ଓ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ କରିବ ୨୫କୋଟି ଟଙ୍କା

158

କନକ ବ୍ୟୁରୋ : ଘରୋଇ ସଂସ୍ଥା ହାତକୁ ଚାଲିଗଲା ଦିଲ୍ଲୀର ଲାଲକିଲ୍ଲା । ଆସନ୍ତା ୫ବର୍ଷ ପାଇଁ ଲାଲ କିଲ୍ଲାକୁ ଡାଲମିଆ ଭାରତ ଗ୍ରୁପକୁ ହସ୍ତାନ୍ତର କଲେ କେନ୍ଦ୍ର ସରକାର । ଆଡପ୍ଟ ଏ ହେରିଟେଜ ସ୍କିମ ଅଧିନରେ ଲାଲ କିଲ୍ଲାକୁ ପୌଷ୍ୟ ଭାବେ ଗ୍ରହଣ କରିଛି ଭାରତ ଡାଲମିଆ ଗୃପ । ଗତବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ସଂସ୍ଥାମାନେ ଐତିହ୍ୟ ସ୍ଥଳି ଗୁଡିକର ବିକାଶ ପାଇଁ ଘରୋଇ ଓ ବ୍ୟକ୍ତିଗତ ସଂସ୍ଥା ମାନଙ୍କୁ ହସ୍ତାନ୍ତର ନେଇ ନିଷ୍ପତ୍ତି ହୋଇଥିଲା । ତେବେ ପ୍ରଥମ ସଂସ୍ଥା ଭାବେ ଭାରତ ଡାଲମିଆ ଗ୍ରୁପ ଲାଲ କିଲ୍ଲାକୁ ପୌଷ୍ୟ ଭାବେ ଗ୍ରହଣ କରିଛି । ତେବେ ଏହା ସହ ଲାଲକିଲ୍ଲାର ଆନୁସଙ୍ଗୀକ ବିକାଶ ଓ ରକ୍ଷଣା ବେକ୍ଷଣ ଦାୟିତ୍ୱ ମଧ୍ୟ ଏହି ଘରୋଇ ସଂସ୍ଥା ହାତରେ ରହିବ । ୨୫କୋଟି ଟଙ୍କାରେ ଲାଲ୍ କିଲ୍ଲାକୁ ପୌଷ୍ୟ ଭାବେ ଗ୍ରହଣ କରିଛି ଭାରତ ଡାଲମିଆ । ଲାଲ କିଲ୍ଲାର ବିକାଶ ପାଇଁ ବାର୍ଷିକ ଖର୍ଚ୍ଚ ହେବ ୫କୋଟି ଟଙ୍କା । ଲାଲ କିଲ୍ଲା ଭିତରେ ଭିତ୍ତିଭୂମିର ବିକାଶ ସହ ପର୍ଯ୍ୟଟକଙ୍କ ପାଇଁ ଆଧୁନିକ ଶୈଳୀରେ ଆନୁସଙ୍ଗୀକ ବିକାଶ କରାଯିବ । ପର୍ଯ୍ୟଟକ ବୁଲାବୁଲି କରିବା ବେଳେ ସେମାନଙ୍କ ସାମଗ୍ରୀ ରଖିବା ପାଇଁ ବ୍ୟବସ୍ଥା କରିବ ଘରୋଇ ସଂସ୍ଥା ।

ଲୋକଙ୍କ ପାଇଁ କିଛି ସୂଚନା ଫଳକ ଓ ବିଜ୍ଞାପନ ବି ରହିପାରେ । ଏହା ସହ ଲାଲକିଲ୍ଲା ପରିସରରେ ଶୁଦ୍ଧ ପାନୀୟଜଳର ବ୍ୟବସ୍ଥା ରହିବ । ସେହିପରି ରାତି ସମୟରେ ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବା ସହ ଐତିହାସିକ ସଂଗ୍ରହାଳୟର ବି ନର୍ମିାଣ ପାଇଁ ଯୋଜନା ହୋଇଛି । ଭାରତର ଐତିହ୍ୟ ଓ ସଂସ୍କୃତି ସହ ଯୋଡି ହୋଇ ରହିଛି ଲାଲ କିଲ୍ଲା । ସ୍ୱାଧିନ ଭାରତର ପ୍ରଥମ ମୁକ ଶାଖି ହେଉଛି ଏହି ଦୁର୍ଗ । ୧୬ଶହ ଶତାବ୍ଦୀରେ ତିଆରି ହୋଇଥିବା ଲାଲ କିଲ୍ଲା ମୋଗଲ ସାମ୍ରାଜ୍ୟର ଅନେକ ପରମ୍ପରା ସହ ବି ଯୋଡି ହୋଇ ରହିଛି । ଇଂରେଜ ଶାସନରେ ଏହି ଦୁର୍ଗରୁ ଶୁଭିଥିଲା ସ୍ୱାଧିନତାର ମହାମନ୍ତ୍ର । ଆଉ ପରବର୍ତୀ ସମୟରେ ସ୍ୱାଧିନତା ଦିବସ ଆସିଲେ ଲାଲ କିଲ୍ଲାର ତ୍ରିରଙ୍ଗା ଉପରେ ସାରା ଦେଶର ନଜର ଥାଏ । କାହିଁକି ନା ସ୍ୱାଧିନ ଭାରତର ନୀଳ ଆକାଶରେ ଏହି ଦୁର୍ଗରୁ ଉଡିଥିଲା ଭାରତର ଜାତୀୟ ପତାକା । ସେପଟେ ଲାଲକିଲ୍ଲାକୁ ଘରୋଇ ସଂସ୍ଥା ପୋଷ୍ୟ ଭାବେ ଗ୍ରହଣ କରିବା ପରେ ଏହାକୁ ସମାଲୋଚନା କରିଛି କଂଗ୍ରେସ । ଐତିହାସିକ ସ୍ଥାନକୁ ଘରୋଇ ସଂସ୍ଥା ପୋଷ୍ୟ ଭାବେ ଗ୍ରହଣ କରିବା ପରେ ଟ୍ୱିଟ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି ଦଳ । ଏମିତିକି ଏକ ବ୍ୟଙ୍ଗାତ୍ମକ ଛବିକୁ ପୋଷ୍ଟ କରି ମୋଦି ସରକାର ଐତିହାସିକ ସ୍ଥାନକୁ ବିକ୍ରି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି । ସେପଟେ ଏହି ଘଟଣାପରେ ବିଭିନ୍ନ ରାଜନୈତିକ ଦଳ ବି ପ୍ରତିକ୍ରିୟା ରଖିଛନ୍ତି ।