ଅନ୍ତରାଷ୍ଟ୍ରିୟ ମୁଦ୍ରାପାଣ୍ଠିର ଆକଳନ : ପୁଣି କମିବ ଜିଡିପି,୨୦୧୯-୨୦ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୪.୮ ପ୍ରତିଶତ ରହିବା ନେଇ ଆଶଙ୍କା

166

କନକ ବ୍ୟୁରୋ : ଅନ୍ତରାଷ୍ଟ୍ରିୟ ମୁଦ୍ରା ପାଣ୍ଠି ବା ଆଇଏମଏଫ ଭାରତର ଅଭିବୃଦ୍ଧି ପୁଣି କମିବ ବୋଲି ଆକଳନ କରିଛି । ୨୦୧୯-୨୦ରେ ଦେଶର ଜିଡିପି ଅଭିବୃଦ୍ଧି ହାର ୪.୮ ପ୍ରତିଶତ ରହିବ ବୋଲି ଆଶଙ୍କା କରିଛି ଆଇଏମଏଫ । ଭାରତ ଭଳି ବିକାଶଶୀଳ ରାଷ୍ଟ୍ରଗୁଡିକର ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ କୁପ୍ରଭାବ ପକାଇବାର ଆଶଙ୍କା ରହିଛି ବୋଲି କହିଛି ଆଇଏମଏଫ । ଅନ୍ୟପକ୍ଷରେ ଆଇଏମଏଫ ଆଶା ରଖିଛି,  ଆମେରିକା ଓ ଚାଇନା ମଧ୍ୟରେ ଖୁବଶୀଘ ବାଣିଜ୍ୟିକ ଯୁଦ୍ଧର ଅବସାନ ଘଟିବ । ଦୁଇ ଦେଶ ପରସ୍ପର ମଧ୍ୟରେ ବ୍ୟବସାୟିକ ଚୁକ୍ତି କରିବେ । ଏହି ଚୁକ୍ତି ପରେ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ହେବାର ସମ୍ଭାବନା ରହିଛି ।

ଆଇଏମଏଫ ଆହୁରି ମଧ୍ୟ କହିଛି, ୨୦୨୦ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୫.୮ ଓ ୨୦୨୧ରେ ଅଭିବୃଦ୍ଧି ହାର ୬.୫ ରହିବା ନେଇ ଆଶା କରାଯାଉଛି । ଆଇଏମଏଫ ବର୍ଷ ୨୦୧୯ରେ ବିଶ୍ୱ ଅର୍ଥନୀତି ୨.୯ ପ୍ରତିଶତ ଏବଂ ୨୦୨୦ରେ ୩.୩ ପ୍ରତିଶତ ବୃଦ୍ଧି ପାଇବାର ପୂର୍ବାନୁମାନ କରିଛି । ଆଇଏମଏଫର ୱାର୍ଲଡ ଇକୋନୋମିକ ଆଉଟଲୁକ ରିପୋର୍ଟରେ କୁହାଯାଇଛି, ଭାରତର ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ ସେକ୍ଟରରେ ସମସ୍ୟା ସୃଷ୍ଟି ହେବାରୁ ଲୋକଙ୍କ ଚାହିଦା ଦେଶ ମଧ୍ୟରେ ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଛି । ଏହି କାରଣରୁ ଦେଶର ଅଭିବୃଦ୍ଧି ମଧ୍ୟ ତଳକୁ ଖସିବାରେ ଲାଗିଛି ।

ଡାଭୋସରେ ଚାଲିଥିବା ବିଶ୍ୱ ଆର୍ଥିକ ମଂଚ ବା ଡବ୍ଲ୍ୟୁଇଏଫ ବୈଠକରେ ଏହି ଆକଳନ ସଂକ୍ରାନ୍ତ ରିପୋର୍ଟ ଜାରି କରିଛି । ତେବେ ଏଭଳି ସ୍ଥିତି ଜାରି ରହିଲେ ଭାରତ ସରକାରଙ୍କ ୫ ଟ୍ରିଲିୟନ ଅର୍ଥନୀତି ସ୍ୱପ୍ନ ପୁରଣ ହେବା କଷ୍ଟକର ବ୍ୟାପାର ହେବ ବୋଲି ଚର୍ଚ୍ଚା ହେଉଛି ।