ରାଜଧାନୀ ଦିଲ୍ଲୀ ଠାରୁ ମାୟାନଗରୀ, ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା : ଆଜି ଓ ଆସନ୍ତାକାଲି ପାଇଁ ହାଇଆଲର୍ଟ ଜାରି

124

କନକ ବ୍ୟୁରୋ : ବେଶ୍ କିଛି ଦିନ ଶୁଖିଲା ପରେ ସାରା ଦେଶରେ ଆରମ୍ଭ ହୋଇଛି ପ୍ରବଳ ବର୍ଷା । ଲଗାଣ ବର୍ଷା ଯୋଗୁଁ ଜନଜୀନବ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି । ଦେଶର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ବନ୍ୟାର ପ୍ରକୋପ ଜାରି ରହିଛି । ଲଗାତାର ବର୍ଷା ଆଶଙ୍କା କରି ରାଜଧାନୀ ଦିଲ୍ଲୀ ଓ ମାୟନଗରୀ ମୁମ୍ବାଇ ପାଇଁ ସତର୍କ ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ । ପ୍ରବଳ ବର୍ଷାର ଯୋଗୁଁ ବିହାର, ମହାରାଷ୍ଟ୍ର ଓ ଆସମା ଅଧିକ ପ୍ରଭାବିତ ହୋଇଛନ୍ତି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ଷାର ପରିମାଣ ଆଗକୁ ଆହୁରି ବଢ଼ିବ । ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହୋଇପାରେ । ଲୋକମାନଙ୍କୁ ସମୁଦ୍ର କୂଳରେ ବୁଲାବୁଲି କରିବା ପାଇଁ ମନା କରାଯାଇଛି ।  ପ୍ରବଳ ବର୍ଷାରେ ମୁମ୍ୱାଇ ସ୍ଥିତି ବେହାଲ । ଦୁଇ ଦିନର ଲଗାଣ ବର୍ଷା ପରେ ଚାରି ଆଡେ ଏବେ ପାଣି ଆଉ ପାଣି । ଖାସ୍ କରି ତଳି ଅଂଚଳରେ ପାଣି ସ୍ତର ବଢିବାରେ ଲାଗିଛି ।  ସହରରେ ପାଣି , ତଳି ଅଂଚଳରେ ପାଣି । କହିବାକୁ ଗଲେ ଘରୁ ପଦାକୁ ବାହାରିବାକୁ ହେଲେ ଆଣ୍ଠୁଏ ପାଣିରେ ଯିବାକୁ ପଡୁଛି । ଅନେକ ଅଂଚଳରେ ପାଣି ଘେରରେ ଫସିଥିବା ଲୋକଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରିବାକ ୁପ୍ରଶାସନ ପ୍ରସ୍ତୁତି କରିଛି । ଜଳବନ୍ଦୀରେ ଥିବା ଲୋକଙ୍କ ନିକଟରେ ପାନୀୟ ଜଳ, ଖାଦ୍ୟ ପହଁଚାଇବା ପ୍ରଶାସନ ପାଇଁ ଚ୍ୟାଲେଂଜ ହୋଇଛି ।

ସେପଟେ ଅଧିକ ଚିନ୍ତା ବଢାଇଲାଣି ଆସାମ ଓ ବିହାରର ବନ୍ୟା ସ୍ଥିତି । ଅନେକ ନଦୀ ଏଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଗୌହାଟିରେ ସ୍ଥିତି ଅତି ବିଗିଡିଛି । ଆସାମ ଓ ବିହାରରେ ବନ୍ୟା ମୃତ୍ୟୁ ସଂଖ୍ୟା ୨୦୦ ଛୁଇଁଥିବା ସରକାରୀ ଭାବେ କୁହାଯାଇଛି । ବିଭିନ୍ନ ସ୍ଥାନରେ ଜଳବନୀ ଲୋକଙ୍କୁ ଉଦ୍ଧାର ପାଇଁ ସେନା , ଏନଡିଆରଏଫ୍ ଓ ଏସଡିଆରଏଫ୍ କୁ ମୁତୟନ କରାଯାଇଛି ।

ଅନ୍ୟପଟେ କୋଙ୍କଣ, ଗୋଆ, ଗୁଜରାଟର କିଛି ଅଞ୍ଚଳରେ ଆଜି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାସହ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡର କିଛି ଅଂଚଳରେ ମଧ୍ୟ ବର୍ଷା ହୋଇପାରେ । ପୂର୍ବ ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ଆଶଙ୍କା କରାଯାଉଛି । ପାଣିପାଗ ବିଭାଗ ଅନୁସାରେ ମଧ୍ୟ ମହାରାଷ୍ଟ୍ର ଓ ପୂର୍ବ ରାଜସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ନଯିବା ପାଇଁ ପରାମର୍ଶ ଦିଆଯାଇଛି ।