ବୌଦ୍ଧରେ କ୍ରସର ମାଫିଆଙ୍କ ଜଙ୍ଗଲୀ ରାଜ :ବେଆଇନ୍ ଭାବେ ମାଳମାଳ କ୍ରସର ବସାଇ ପଡୋଶୀ ଜିଲ୍ଲାକୁ ଚାଲାଣ କରୁଛନ୍ତି ଖଣିଜ ପଦାର୍ଥ,ପାହାଡ ବିସ୍ଫୋରଣ ଯୋଗୁଁ ନଷ୍ଟ ହେଉଛି ଚାଷ ଜମି 

208
କନକ ବ୍ୟୁରୋ : ବେଆଇନ ଭାବେ ଚାଲିଛି ପଥର ବ୍ଲାଷ୍ଟିଂ ଆଉ କ୍ରସର ଉତୋଳନ । ରାଜସ୍ୱ ବିଭାଗ ଓ କ୍ରସର ମାଫିଆଙ୍କ ମଧୁଚନ୍ଦ୍ରିକାରେ ସରକାରଙ୍କ କୋଟିକୋଟି ଟଙ୍କାର ରାଜସ୍ୱ ହାନୀ ହେଉଥିବା ବେଳେ ମାଲାମାଲ ହେଉଛନ୍ତି କ୍ରସର ମାଫିଆ । ବୌଦ୍ଧ ଜିଲ୍ଲାରେ ସରକାରଙ୍କ ନିୟମକୁ ଫୁ କରି ଉଡାଇ ଦେଇଛନ୍ତି କ୍ରସର ମାଫିଆ । ବେଧଡକ ଭାବେ ଚାଲିଛି ବୌଦ୍ଧ ଜିଲ୍ଲାରୁ ପଡୋଶୀ ଜିଲ୍ଲାକୁ   ମେଟାଲ  ଚିପ୍ସର  ଚୋରା ଚାଲାଣ  । ଆଉ ସବୁ ଦେଖି ନାଦା ବିଷ୍ଣୁ ସାଜିଛି ପ୍ରଶାସନ ।
ବୌଦ୍ଧ ଜିଲ୍ଲାରେ ଛତୁ ଫୁଟିଲା ସ୍ଥାପନ ହୋଇଛି କ୍ରସର ଶିଳ୍ପ । ବେଆଇନ୍ ଭାବେ କ୍ରସର ବସାଇ ପାହାଡ ଫଟେଇ ଜଙ୍ଗଲି ରାଜ୍ ଚଳାଇଛନ୍ତି କ୍ରସର ମାଫିଆ । ସାଧାରଣତଃ ସ୍ଥାନୀୟ ଅଂଚଳରେ ରେଳ ଧାରଣା କି ବଡ ବଡ ପୋଲ କାମ ପାଇଁ କ୍ରସର ସ୍ଥାପନ କରିବାକୁ ସରକାର ଅନୁମତି ଦେଇଥାନ୍ତି । କିନ୍ତୁ ବୌଦ୍ଧରେ ବିନା ରେଲୱେ ବିନା ପୋଲ ନିର୍ମାଣରେ ବି ବୌଦ୍ଧ ଜିଲ୍ଲାରେ ଛତୁ ଭଳି ଫୁଟିଚାଲିଛି କ୍ରସର ଶିଳ୍ପ । କ୍ରସର ମାଫିଆ ମାନେ ଡିନାମାଇଟ୍ ପକାଇ ପାହାଡ ଫଟେଇ ପଥର ଓ ଟିପ୍ସ ଚୋରା ଚାଲାଣ କରୁଥିବା ବେଳେ ପରିବେଶ ପ୍ରଦୂଷିତ ହେଉଛି ।
ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ  କହୁଛି ।
୧. ଗାଁ ଠାରୁ ଅତିକମ୍ରେ ୨ କିଲୋମିଟର ଦୂରରେ କ୍ରସର ସ୍ଥାପନ ହେବ ।
୨. କ୍ରସର ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁରୀ ନିତ୍ୟାନ୍ତ ଜରୁରୀ ।
୩. ମାଇନ୍ସ ଏବଂ ମିନେରାଲ ଆକ୍ଟ ଅନୁଯାୟୀ ଲିଜ ଅନୁସାରେ ସୀମିତ ଏରିଆରେ ଭିତରେ କ୍ରସର ସ୍ଥାପନ  କରାଯାଇ ପାରିବ ।
ହେଲେ ବୌଦ୍ଧରେ ସରକାରୀ ନିୟମକୁ ଫୁ କରି ଜାଗା ଦଖଲ କରି କ୍ରସର ମାଫିଆମାନେ ଚଳାଇଛନ୍ତି ଜଙ୍ଗଲୀ ରାଜ । ଦିନରାତି ଖୁଲମଖୁଲା ଶହଶହ ହାଇୱାରେ ବାହାର ଜିଲ୍ଲାକୁ ଖଣିଜ ପଦର୍ଥ ଚୋରା ଚାଲାଣ ହେଉଛି ।  ପାହାଡ ବ୍ଲାଷ୍ଟିଂ ଯୋଗୁଁ ଚାଷ ଜମିରେ ପଥର ଗୁଣ୍ଡ ଛାଇ ଯାଉଛି । ଫଳରେ ଚାଷ ଜମିଗୁଡିକ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବାୟୁମଣ୍ଡଳ ପ୍ରଦୂଷଣ ସାଙ୍ଗକୁ ଧୂଳି ଧୂଆଁ ଯୋଗୁଁ ସ୍ଥାନୀୟ ବାସିନ୍ଦା ବିଭିନ୍ନ ସଂକ୍ରମଣ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।
ବେଆଇନ୍ ପଥର ବ୍ଲାଷ୍ଟିଂ ରୋକିବା ପାଇଁ ବର୍ଷ ବର୍ଷ ଧରି ସାଧାରଣ ଲୋକେ ଦାବି  କରିଆସୁଥିଲେ ହେଁ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି । ତୁରନ୍ତ ଏଥିପ୍ରତି ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ତିବ୍ର ହେବ ବୋଲି ଅଂଚଳବାସୀ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଶୁଣନ୍ତୁ ଏନେଇ କଣ କହୁଛନ୍ତି ଜିଲ୍ଲାପାଳ  । ସରକାର ଏଥିପ୍ରତି ସଚେତନ ହୋଇ ରାଜସ୍ୱ ହାନୀକୁ ରୋକିବା ସହ ବେଆଇନ କ୍ରସର ଗୁଡିକ ଉପରେ ରୋକ ଲଗାଇବାକୁ ଦାବୀ ହେଉଛି ।