ବାଲି ମାଫିଆଙ୍କ ମନମାନି : ଟେଣ୍ଡର ଆଇନକୁ ଖୋଲାଖୋଲି ବେଖାତିର, ଜେସିବି ସାହାଯ୍ୟରେ ମଝି ନଈରୁ ଚାଲିଛି ବାଲି ଉଠାଣ

146

କନକ ବ୍ୟୁରୋ : ବାଲିଟେଣ୍ଡର ମାଲିକଙ୍କ ମନମୁଖୀ କାର୍ଯ୍ୟ । ଟେଣ୍ଡର ଆଇନକୁ ଖିଲାପ କରି ବେଆଇନ୍ ଭାବେ ଜେସିବି ମେସିନ୍ ଦ୍ୱାରା ନଦୀ ମଝିରୁ ବାଲି ଉଠାଣ କରୁଛନ୍ତି । ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରି ବେଆଇନ ଭାବେ ନଦୀ ମଝିରୁ ମେସିନ ସାହାଯ୍ୟରେ ବାଲି ଉଠାଇ ବିକ୍ରି କରୁଛନ୍ତି । ବେଆଇନ କାର୍ଯ୍ୟକଳାପକୁ ବିରୋଧ କରିଲେ ଗ୍ରାମବାସୀଙ୍କୁ ଟେଣ୍ଡର ମାଲିକ ନାଲିଆଖି ଦେଖାଇ ଗୁଣ୍ଡା ଲଗାଇ ଧମକ ଦେଉଥିବା ଏବଂ ପୋଲିସ ଡାକି ଗ୍ରାମବାସୀଙ୍କ ବିରୋଧରେ ଗଣ୍ଡୋଗୋଳ କରୁଥିବା ଅଭିଯୋଗ କରାଇ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଆମ୍ବାଦୋଳା ଗାଁରେ ।

ନଦୀ ଗର୍ଭରେ ମାଫିଆଙ୍କ ମନମାନି । ଟେଣ୍ଡର ଆଇନ୍କୁ ଫୁ’ କରି ନଦୀ ଖୋଳି ପକାଉଛନ୍ତି ବାଲି ମାଫିଆ । ଜେସିବି ଲଗାଇ ଟ୍ରିପ୍ ଟ୍ରିପ୍ ବାଲି ବିକ୍ରୀ କରି ମାଲାମାଲ ମାଫିଆ, ବିପଦରେ ନଈକୂଳିଆ ଗ୍ରାମବାସୀ । ନଦୀ ଗର୍ଭରୁ ବାଲି ଉଠାଣ ପାଇଁ ସ୍ଥାନୀୟ ପ୍ରଶାସନ ଟେଣ୍ଡର ଡକାଏ । ଏଥିପାଇଁ କେତେକ ନିୟମ କାନୁନ ଥାଏ ।


୧. ଜୈବ ବିବିଧତା ଅକ୍ଷୁର୍ଣ୍ଣ ରଖିବା ସହ ପରିବେଶ ସନ୍ତୁଳନକୁ ନଜରରେ ରଖିବେ ନିଲାମକାରୀ ।
୨. ବାଲି ଉଠାଣରେ ମେସିନ ବ୍ୟବହାର କରିପାରିବେ ନାହିଁ ।
୩. ଶ୍ରମିକ ଲଗାଇ ବାଲି ଉଠାଇବେ ।

ନଦୀ ପଠା ନିଲାମ ନେବା ବେଳେ ସବୁ ନିୟମକୁ ପାଳନ ପାଇଁ ପ୍ରତିଶ୍ରୁତି ଦିଅନ୍ତି ନିଲାମକାରୀ । ହେଲେ ଟେଣ୍ଡର ମିଳିଯିବା ପରେ ସବୁ କିଛି ଚାଲେ ମାଫିଆଙ୍କ ଇଚ୍ଛାରେ । ଜେସିବି ଲଗାଇ ନଦୀ ଗର୍ଭକୁ ଖୋଳି ପକାନ୍ତି ମାଫିଆ, ଆଉ ଏହାକୁ ବିରୋଧ କଲେ ଟେଣ୍ଡର ମାଲିକ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଆମ୍ବାଦଳା ଗ୍ରାମବାସୀ ।

ବାଲି ମାଫିଆଙ୍କ ଦାଦାଗିରି ବାବଦରେ ଜାଣିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନବରଙ୍ଗପୁର ଉପଜିଲ୍ଲାପାଳ । ବାଲି ଉଠାଣରେ ଲାଗୁଥିବା ଜେସିବି ମେସିନକୁ ଜବତ କରିବା ସହ ନିଲାମକାରୀଙ୍କ ଟେଣ୍ଡର ବାତିଲ କରାଯିବ ବୋଲି ସେ କହିଛନ୍ତି ।

ନଦୀ ପଠାରୁ ବାଲି ଉଠାଣ କାମରେ ମେସିନ ନଲଗାଇ ଯଦି ଶ୍ରମିକଙ୍କ ଦ୍ୱାରା ବାଲି ଉଠା ଯାଆନ୍ତା ତେବେ କିଛି ଲୋକ କାମ ପାଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।