କନକ ବ୍ୟୁରୋ : ଯାଜପୁର ଜିଲ୍ଲାର ଡଙ୍କାରୀ ପାହାଡ଼କୁ ନିଶ୍ଚିହ୍ନ କରିଦେଲେଣି ମାଫିଆ । ଏମିତି ଯେ ଦୈନିକ ଦୁଇ କୋଟିରୁ ଅଧିକ ଟଙ୍କାର ଲୁଟ୍ ହେଉଛି। କେବଳ ଏହି ଗୋଟିଏ ଜାଗାରୁ ନୁହେଁ, ରାଜନେତା-ଜିଲ୍ଲା ପ୍ରଶାସନ ଓ ପୁଲିସ ଏକାଠି ହୋଇ ସବୁ ପାହାଡକୁ ହରିଲୁଟ୍ କରୁଛନ୍ତି। ଏଥିରେ ଶାସକ ଦଳର ନେତାଙ୍କର ଭୂମିକା ରହିଛି । ଲୋକଙ୍କୁ ମାରିଦିଆଯାଉଛି । ଅନୁରୂପ ଢଙ୍ଗରେ ବାଲି ବି ରାଜ୍ୟ ଓ ଦେଶ ବାହାରକୁ ଯାଉଛି । ଆଜି ବିଧାନସଭାରେ ଏଭଳି ସଙ୍ଗିନ୍ ଅଭିଯୋଗ ଆଣି ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି । ସରକାର ସବୁ ଜାଣିଶୁଣି କିଭଳି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି, ସେକଥା ଉଠାଇଛନ୍ତି ଗୃହରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ବିଧାନସଭାରେ ବିରୋଧୀ ବିଜେପି ପକ୍ଷରୁ ‘ଲଘୁ ଖଣିଜ ସଂପଦ ବେଆଇନ ଖନନ ଯୋଗୁଁ ବ୍ୟାପକ ରାଜସ୍ବ ହାନି: ଡଙ୍କାରୀ ପାହାଡ ଗୁମର ଖୋଲିଲା ପରେ କାର୍ଯ୍ୟାନୁଷ୍ଠାନ କେବେ’ ଶୀର୍ଷକରେ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଆଲୋଚନା ଆରମ୍ଭ କରି ଏହି କେଳେଙ୍କାରୀର ବିଶାଳତା ସଂପର୍କରେ ତଥ୍ୟ ଓ ପ୍ରମାଣ ରଖିଥିଲେ ଗୃହରେ । ଅଭିଯୋଗ କରିଥିଲେ ଯେ ସରକାର ଜାଣିଥିଲେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଯାଜପୁର ଜିଲ୍ଲା ଡଙ୍କାରୀ ପାହାଡର ଲଘୁ ଖଣିଜ ସମ୍ପଦକୁ ରାଜନେତା-ପ୍ରଶାସକ-ପୁଲିସର ତ୍ରିକୋଣୀୟ ମେଣ୍ଟ ଲୁଟି ନେଇଛନ୍ତି । ପାହାଡ ବିକ୍ରି କରି ଦଲାଲମାନେ ରାଜନେତା ଓ ପ୍ରଶାସକଙ୍କୁ ମୋଟା ଅଙ୍କର ଅର୍ଥ ଦେଇଛନ୍ତି । ଅନ୍ୟଥା ସରକାର ୨୦୧୬ରୁ ଏହାର ସୂଚନା ପାଇଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ।
ଶ୍ରୀ ସେଠୀ କହିଥିଲେ ଯେ ୨୦୧୬ ଅଗଷ୍ଟ ୨୩ ତାରିଖରେ ୧୦ ଜଣ ରାଜସ୍ବ ନିରୀକ୍ଷକଙ୍କ ଭୂମିକା ନେଇ ଆପତ୍ତି ଉଠାଯାଇଥିଲା । ବିଭିନ୍ନ ସମୟରେ ଏମାନେ ଦାୟିତ୍ବରେ ଥିଲେ । ଶଙ୍କର୍ଷଣ ଶତପଥୀ, ମହେଶ୍ବର ପଣ୍ଡା, ଦାଶରଥି ରାଉତ, ପଦ୍ମନାଭ ପଣ୍ଡା, ଉତ୍ସବ ଚରଣ ଜେନା, ସୁଶାନ୍ତ କୁମାର ସ୍ବାଇଁ, ସୁନୀଲ କୁମାର ନାୟକ, ବୀରକିଶୋର ମହାରଣା, ନୀଳଲୋହିତ ନାଥ ଓ ବସନ୍ତ ଦେହୁରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିପରି ବିଭିନ୍ନ ସମୟରେ କାର୍ଯ୍ୟ କରିଥିବା ୧୦ ତହସିଲଦାରଙ୍କ ନାମ ପ୍ରଶାସନ ସାମ୍ନାକୁ ଆଣିଥିଲା। ଶରତ ଚନ୍ଦ୍ର ପଣ୍ଡା, ନିରାକାର ସାମଲ, ବ୍ରଜ କିଶୋର ପଟ୍ଟନାୟକ, ହରିଶ ଚନ୍ଦ୍ର ନାୟକ, ଅଜୟ କୁମାର ଦାସ, ଅଶୋକ କୁମାର ବେହୁରିଆ, ଦିଲ୍ଲୀପ କୁମାର ବଳ, ରବୀନ୍ଦ୍ର କୁମାର ସାବତ, ଅରୁଣ କୁମାର ବେହେରା, ରଂଜନ କୁମାର ବେହେରାଙ୍କ ସଂପର୍କରେ କି ପଦକ୍ଷେପ ନିଆଯାଗଲା, ସେ କଥା ମନ୍ତ୍ରୀ ଗୃହରେ କୁହନ୍ତୁ । କେବଳ ସେତିକି ନୁହେଁ, ବିଭିନ୍ନ ସମୟରେ ଜିଲ୍ଲାରେ କାର୍ଯ୍ୟ କରିଥିବା ଉପ ଜିଲ୍ଲାପାଳଙ୍କ ଭୂମିକା ବି ବିବାଦୀୟ ହୋଇଛି। ପୂର୍ବତନ ଉପଜିଲ୍ଲାପାଳ ଗୌତମ ଚନ୍ଦ୍ର ନାୟକ, ଅମରେନ୍ଦ୍ର କୁମାର ରଥ, ସୁଶାନ୍ତ କୁମାର ମହାନ୍ତି, ବିନୋଦ ଚନ୍ଦ୍ର ମିଶ୍ର, ଧନଞ୍ଜୟ ସ୍ବାଇଁ ଓ ମହେଶ୍ବର ପାଣିଗ୍ରାହୀଙ୍କ ସଂପର୍କରେ ସରକାରଙ୍କ ନିଷ୍ପତ୍ତି ଜାଣିବାକୁ ଚାହିଁଥିଲେ ଶ୍ରୀ ସେଠୀ।
ଆହୁରି ତଥ୍ୟ ରଖି ବିରୋଧୀ ଦଳ ଉପନେତା କହିଥିଲେ ଯେ ପୂର୍ବତନ ଜିଲ୍ଲାପାଳ ସତ୍ୟ ମଲ୍ଲିକ, ଖଣି ନିର୍ଦେଶକ ଦୀପକ ମହାନ୍ତି ଓ ରାଜସ୍ବ ବିଭାଗର ଅଧିକାରୀ ଅଭୟ ନାୟକ ପ୍ରମୁଖ ଏ କେଳେଙ୍କାରୀ ସଂପର୍କରେ ବିଭିନ୍ନ ସମୟରେ କହିଛନ୍ତି। ସରକାର ସ୍ବଚ୍ଛତା କଥା କହୁଛନ୍ତି। ୫-ଟି ସଚିବ ଏସବୁ ତହସିଲଦାର ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ଦେଖନ୍ତୁ। ଶ୍ରୀ ସେଠୀ କହିଥିଲେ ଯେ ରାମକୋ, ରୂପେଶ ଭଦ୍ର, ସ୍ମିତାରାଣୀ ହତ୍ୟା ମାମଲାର ଖିଅ ଏହି ପାହା଼ଡ ସହ ଯୋଡି ହୋଇ ରହିଛି। ଦୈନିକ ୨ କୋଟି ଟଙ୍କାର ଲୁଟ୍ ଚାଲିଛି। ଏଠାରେ ତୈଳଭଣ୍ଡାର ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଥିବା ବେଳେ ଶାସକ ଦଳ ନେତାମାନେ ପ୍ରକଳ୍ପ ବିରୋଧୀ ମଞ୍ଚ ଗଠନ କରିଛନ୍ତି। ୨୦୦୦ ହାଵା, ୨୦୦ ହିଟାଚି କୋରି ଦେଲେଣି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ ୫ବର୍ଷରେ ୩୦ରୁ ଅଧିକ ଲୋକ ଏଠାରେ ମୃତ୍ୟୁବରଣ କରିଛନ୍ତି। ୨୦୧୫ରୁ ତତ୍କାଳୀନ ଜିଲ୍ଲାପାଳ ବନ୍ଦ କରିବାକୁ ନିର୍ଦେଶ ଦେଇଥିବା ବେଳେ କାହିଁକି ଏକଥା ହେଲାନି? ରାଜ୍ୟ ଓ ରାଜ୍ୟ ବାହାରର ମାଫିଆଙ୍କ ଦୃଷ୍ଟି ଏବେ ଏହି ପାହାଡ ଉପରେ ପଡିଛି। କେନ୍ଦ୍ର ସରକାରଙ୍କ ତରଫରୁ ୨୦୧୪ ସେପ୍ଟେମ୍ବରରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ୩୮୦୦ କୋଟି ବ୍ୟୟରେ ତୈଳଭଣ୍ଡାର ହେବ। ୫ବର୍ଷ ବିତିଗଲାଣି। ରାଜ୍ୟ ସରକାର ଏହି ଜମି ଦେବାର ନା ଗନ୍ଧ ଧରୁନାହାନ୍ତି। ତହସିଲଦାରଙ୍କ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ମୋଟା ଅଙ୍କର ବଟି ନେଇ ନିରବଦ୍ରଷ୍ଟା ସାଜିବା ଜିଲ୍ଲାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ସବୁଠାରୁ କୌତୂହଳର କଥା ହେଲା, ୨୦୧୮ରେ ମୁଖ୍ୟ ସଚିବ ଡଙ୍କାରୀ ବନ୍ଦ ପାଇଁ ନିର୍ଦେଶ ଦେଇଥିଲେ। ତଥାପି ଏହାର କାର୍ଯ୍ୟାନ୍ବୟନ ହେଲାନି। ବିଜେପି ପକ୍ଷରୁ ମୁକେଶ ମହାଲିଙ୍ଗ କହିଥିଲେ ଯେ ଲଘୁଖଣିଜ ସଂପଦ ଉପରେ ରାଜ୍ୟ ସରକାରଙ୍କ ନଜର ନାହିଁ। ସରକାରଙ୍କ ଜାଣତରେ ଏହି ହରିଲୁଟ ହେଉଛି ଓ ଏହାକୁ ପ୍ରୋତ୍ସାହନ ମିଳୁଛି।
ଅନ୍ୟପକ୍ଷରେ କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ ଋଷିକୂଲ୍ୟା ନଦୀରୁ ବାଲି ଲୁଟ୍ ଚାଲିଛି। ସମସ୍ତେ ଦେଖୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା। ତଥାପି କେହି କିଛି କହୁନାହାନ୍ତି। ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଛି। ଜିଲ୍ଲାପାଳ, ତହସିଲଦାରଙ୍କ ଆଖିରେ କଣ ଅନ୍ଧପୁଟୁଳି ବନ୍ଧା ଯାଇଛି? ରାଜସ୍ବ ବିଭାଗ କଣ କରୁଛନ୍ତି? ପୂର୍ବରୁ ରାଜ୍ୟ ବାହାରକୁ ଯାଉଥିଲା, ଏବେ ଅଭିଯୋଗ ଓ ଆଲୋଚନା ପରେ ଟ୍ରେନ, ପାଣି ଜାହଜ ମାଧ୍ୟମରେ ଦେଶ ବାହାରକୁ ଗଲାଣି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ବଲାଙ୍ଗୀର ଜିଲ୍ଲା ଖୋଲାଖୋଲି ଲୁଟ୍ ଚାଲିଛି। ୮୬ଟି ରାଜସ୍ବ ନିରୀକ୍ଷକ ପଦରୁ ୮୨ଟି ଖାଲି। କିଭଳି ରାଜସ୍ବ ଆଦାୟ ହେବ? କେବଳ ଡଙ୍କାରୀ କାହିଁକି ବଲାଙ୍ଗୀର, ଋଷିକୂଲ୍ୟା, ଖୋର୍ଦ୍ଧା ସବୁଠି ଲଘୁ ଖଣିଜ ସମ୍ପଦର ବେଆଇନ ଚାଲାଣ ହେଉଛି ବୋଲି ବିରୋଧୀ ଅଭିଯୋଗ କରିଥିଲେ । ଡଙ୍କାରୀ ପାହାଡ ନେଇ ମନ୍ତ୍ରୀ ତାଙ୍କ ଉତ୍ତରରେ ଚୋରି ଅଭିଯୋଗକୁ କେଉଁଠି ବି ମନା କରିନାହାନ୍ତି। ରାମକୋ କଂପାନି ହେଉଛି, ଏହାର ମୂଳ ମଞ୍ଜି। ଏଥିସହିତ ଏହି ପ୍ରସଙ୍ଗକୁ ସ୍ମିତାରାଣୀ ମାମଲା ସହ ଯୋଡି ସରକାରଙ୍କୁ ଘେରିଥିଲେ।