ଶିକାରୀଙ୍କୁ ଅନୁକୂଳ ଲକ୍‌ଡାଉନ୍ : ବଢ଼ୁଛି ବନ୍ୟଜନ୍ତୁ ଶିକାର, ଗାଁ ଗାଁରେ ମିଳୁଛି ମାଂସ

747

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ରୋକିବା ଲାଗି ଲକ୍‌ଡାଉନ୍ ଜାରି ରହିଥିବା ବେଳେ ଏହାର ଅବଧିକୁ ରାଜ୍ୟ ସରକାର ପୁଣି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ହେଲେ ଏହି ଲକ୍‌ଡାଉନ୍ ବର୍ତ୍ତମାନ ଗ୍ରାମାଞ୍ଚଳର ବନ୍ୟଜନ୍ତୁ ଶିକାରୀଙ୍କ ପାଇଁ ଅନୁକୂଳ ସମୟ ପାଲଟିଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି, ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍‌ରେ ।

ପ୍ରତି ଗ୍ରାମାଞ୍ଚଳରେ ରହୁଥିବା ବିଭିନ୍ନ ବର୍ଗର ଲୋକେ ବର୍ତ୍ତମାନ ପାର୍ଶ୍ବବର୍ତ୍ତୀ ଜଙ୍ଗଲରେ ବନ୍ୟଜନ୍ତୁ ଶିକାରରେ ମାତି ଯାଇଛନ୍ତି । ଫଳରେ ପ୍ରତିଦିନ ବାର୍‌ହା, ଜିଆଦ ଓ କୁଟୁରା ସମେତ ବିଭିନ୍ନ ବନ୍ୟଜନ୍ତୁଙ୍କ ଅବାଧ ଶିକାର ବଢ଼ିବାରେ ଲାଗିଛି । ଆଉ ଏହାର ମାଂସ ଗ୍ରାମାଞ୍ଚଳର ପ୍ରତି ସାହି ଗଳିରେ ମିଳୁଛି । ଶିକାରୀମାନେ ମାଂସ ଭାଗ କରି ବିକୁଛନ୍ତି । ଏଭଳି ପରିସ୍ଥିତିରେ ବନବିଭାଗ ନିରୁପାୟ ପାଲଟିଯାଇଛି ।

ବନ୍ୟଜନ୍ତୁ ମାଂସରେ ବ୍ୟଞ୍ଜନ ପ୍ରସ୍ତୁତ ହୋଇ ଲୋକେ ପ୍ରଚୁର ମଦ ପିଉଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଖାଲି ଏତିକି ନୁହେଁ, ମଦ ମାଫିଆମାନେ ବେଶ୍ ସକ୍ରିୟ ହୋଇଯାଇଥିବା ସହ ଗାଁରେ ଜୁଆ ଆଡ଼ା ମଧ୍ୟ ବଢ଼ିବାରେ ଲାଗିଛି । ଅଧିକାଂଶ ଲୋକ ଗରିବ ହୋଇଥିଲେ ହେଁ, ବର୍ତ୍ତମାନ ସରକାରଙ୍କ ତରଫରୁ ୪ ମାସର ଅଗ୍ରୀମ ଭତ୍ତା ମିଳି ସାରିଥିବାରୁ ଏହାର ସୁଯୋଗ ନେଇ ମଦ ମାଫିଆ ଗାଁ ଗାଁ ବୁଲି ଚୋରା ମଦ ବିକୁଛନ୍ତି । ଆଉ ଶିକାରୀ ରାତି ଉଜାଗର ରହି ବନ୍ୟଜନ୍ତୁ ଶିକାରରେ ମାତିଛନ୍ତି ।

ଗତ ୨ ଦିନ ତଳେ କୁବରେଶ୍ବର ମନ୍ଦିର ନିକଟ ଏକ କେନାଲରେ ଏକ ଜିଆଦର ଶବ ପଡ଼ିଥିବା ଖବର ପାଇ ବନବିଭାଗ କର୍ମଚାରୀ ଏହାକୁ ଜବତ କରିଥିଲେ । ଶିକାରୀ ଗୁଳିରେ ଆହତ ହୋଇ ଜିଆଦଟିର ମୃତ୍ୟୁ ହୋଇଥିଲେ ମଧ୍ୟ ବନବିଭାଗ ଏହାକୁ ଖଣ୍ଡନ କରିଥିଲା । ଫଳରେ ବନବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।