ନକଲି ଗୁଟଖା ତିଆରିର ଗଡ଼ ପାଲିଟିଛି ବ୍ରହ୍ମପୁର ସହର : ମାତ୍ର ସପ୍ତାହକ ମଧ୍ୟରେ କୋଟିଏ ଟଙ୍କା ଜବତ

291

କନକ ବ୍ୟୁରୋ : ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁର ସହର ଏବେ ବେଆଇନ, ନକଲି କୁଟ୍‌ଖା ଖଣିରେ ପରିଣତ ହୋଇଛି । ପ୍ରଶାସନ ଆଖିରେ ଧୂଳି ଦେଇ ବେପାରୀ ମନଇଚ୍ଛା ବିଭିନ୍ନ କମ୍ପାନି ନାଁରେ ଗୁଟ୍‌ଖା ତିଆରି କରି ଚାଲାଣ କରୁଛନ୍ତି । ଏପରିକି ଅଣଓସାରିଆ ଗଳିରେ ଛୋଟିଆ କୋଠରିରେ ମେସିନ୍‌ ବସାଇ ଲକ୍ଷ ଲକ୍ଷ ଟଙ୍କାର ଗୁଟ୍‌ଖା ପାଉଚ୍‌ ପ୍ରସ୍ତୁତ ହୋଇ ବଜାରକୁ ଛଡ଼ାଯାଉଛି । ଯାହାକି ବିଗତ ଦିନରେ ପୁଲିସ ଚଢ଼ଉ ବେଳେ ସ୍ପଷ୍ଟ ହୋଇ ଯାଇଛି ।

ଧରପଗଡ଼ ଅଭିଯାନରେ ମାତ୍ର ସପ୍ତାହେ ଭିତରେ ୧କୋଟିରୁ ଉର୍ଧ୍ବ ଟଙ୍କାର ଗୁଟ୍‌ଖା, ପ୍ୟାକିଂ ମେସିନ୍ ଓ ଅନ୍ୟ ସରଞ୍ଜାମ ଜବତ ହେଲାଣି । ବିଶେଷ କରି ସଦର ଥାନା ଓ ବଡ଼ ବଜାର ଥାନା ଇଲାକାରେ ଅଧିକ ଗୁଟ୍‌ଖା କାରବାର ହେଉଛି। ପ୍ରଶାସନ ଓ ପୁଲିସକୁ ଠକିବା ପାଇଁ କେତେକ ବେପାରୀ ପାନମସଲା ଲାଇସେନ୍ସ ଆଣି ଜର୍ଦ୍ଦା ମିଶ୍ରିତ ଗୁଟ୍‌ଖା ତିଆରି କରୁଛନ୍ତି । ଏଭଳି ଗୁଟଖା ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯାଉଥିବା ବେଳେ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶକୁ ମଧ୍ୟ ଚାଲାଣ ହେଉଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି । ବ୍ରହ୍ମପୁରରେ କୋଟି କୋଟି ଟଙ୍କାର ଗୁଟ୍‌ଖା ବେପାର ହେଉଛି ।

ସରକାର ଗୁଟ୍‌ଖାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି । ତଥାପି ବଜାରରେ ବିଭିନ୍ନ ପ୍ରକାର ଗୁଟ୍‌ଖା ଉପଲବ୍ଧ ହେଉଛି। ବିଗତ ବର୍ଷରେ ପ୍ରଶାସନ ଓ ପୁଲିସ ତରଫରୁ ବ୍ୟାପକ ଚଢ଼ଉ କରି ବହୁ ଗୁଟଖା କମ୍ପାନି ବନ୍ଦ କରାଯାଇଥିଲା । ଏହାପରେ ଗୁଟ୍‌ଖା କାରବାର କରୁଥିବା ବ୍ୟବସାୟୀମାନେ ପୁଡ଼ିଆରୁ ଜର୍ଦ୍ଦାକୁ ଅଲଗା ପ୍ୟାକେଟ କରି ଲୁଚାଛପା ବିକ୍ରି କରିବା ଆରମ୍ଭ କରିଥିଲେ। ଫଳରେ ତାହା ଧରିବା କଷ୍ଟକର ହୋଇ ପଡ଼ିଥିଲା । ଏବେ ବ୍ରହ୍ମପୁରରେ ପୁଣିଥରେ ଜର୍ଦ୍ଦା ମିଶ୍ରିତ ଗୁଟ୍‌ଖା ବିକ୍ରି ଚାଲିଛି ।

ପ୍ରତିଦିନ ବିଭିନ୍ନ ସ୍ଥାନକୁ ବ୍ରହ୍ମପୁରରୁ ଗୁଟ୍‌ଖା ଚାଲାଣ ହେଉଛି । ବଡ଼ ବଜାର, ସଦର ଓ ବୈଦ୍ୟନାଥପୁର ଥାନା ପୁଲିସ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିଥିଲା । ଗତ ପ୍ରାୟ ସପ୍ତାହେ ମଧ୍ୟରେ ହୋଇଥିବା ଏଭଳି ଚଢ଼ାଉ ପରେ ବିଭିନ୍ନ ଥାନାରେ ମୋଟ ୬ଟି ମାମଲା ରୁଜୁ ହୋଇଥିବା ବେଳେ ୧୨ଜଣଙ୍କୁ ଗିରଫ କରାଯାଇଛି । ସଦର ଥାନା ଅନ୍ତର୍ଗତ ବୋରିଗାଁ ଓ ଭୂତପପଲ୍ଲୀରେ ଚାଲିଥିବା କାରଖାନାରୁ ପ୍ରାୟ ୪ଟ୍ରକ୍‌ ଗୁଟ୍‌ଖା ଜବତ ହୋଇଥିଲା । ସେହିପରି ବଡ଼ ବଜାର ଥାନା ପୁଲିସ ଗତ ୩ତାରିଖରେ ଶାର୍ଗୁଣାସାହିରେ ଚଢ଼ଉ କରି ୪୦ବସ୍ତା ଗୁଟ୍‌ଖା ଜବତ କରିଥିଲା ।

ସେହିଭଳି ପାଣିଗ୍ରାହୀପେଣ୍ଠ ସାହିରୁ ଶହେ ବସ୍ତା ବିଭିନ୍ନ ପ୍ରକାର ଗୁଟ୍‌ଖା ଜବତ ହୋଇଥିଲା । ଏହି ଚଢ଼ଉ ବେଳେ ମିକ୍ସଚର୍‌ ଓ ପ୍ୟାକିଂ ମେସିନ୍‌ ସହିତ ବିଭିନ୍ନ କମ୍ପାନି ନାଁ ରହିଥିବା ପଲିଥିନ୍‌ ବଣ୍ଡଲ୍‌ ଜବତ କରାଯାଇଛି । ଗତକାଲି ବୈଦ୍ୟନାଥପୁର ଥାନା ପୁଲିସ ନୂଆବସଷ୍ଟାଣ୍ଡରେ ଚଢ଼ଉ କରି କୋଲକାତା ଚାଲାଣ ପାଇଁ ରଖାଯାଇଥିବା ୪୮ବସ୍ତା ଗୁଟ୍‌ଖା ଜବତ କରିଥିଲା । ଜବତ ହୋଇଥିବା ଗୁଟ୍‌ଖା ମଧ୍ୟରେ ମୋର୍‌, କିଷାନଜୀ ମାୱା ମସଲା, ସଫାରୀ, ଗୋକୁଳ ଡିଲକ୍ସମିକ୍ସ, ଚେତନ ଡିଲକ୍ସ, କେ.କେ ଡିଲକ୍ସ ପ୍ରଭୃତି କମ୍ପାନିର ଗୁଟ୍‌ଖା ରହିଛି । ଏବେ ବି ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଏଭଳି ଗୁଟ୍‌ଖା ତିଆରି ଚାଲିଛି । ସେଗୁଡ଼ିକ ମଧ୍ୟ ଠାବ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି ।