ଆଦର୍ଶ ପ୍ରଧାନଶିକ୍ଷକ : କାଗଜ, ପ୍ଲାଷ୍ଟିକ ବୋତଲ ଏବଂ କାର୍ଡବୋର୍ଡ ବ୍ୟବହାର କରି ଶିକ୍ଷାଦାନ କରୁଛନ୍ତି

299

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କୁ ନୂଆ କୌଶଳରେ ଶିକ୍ଷାଦାନ କରୁଛନ୍ତି ପ୍ରଧାନ ଶିକ୍ଷକ । କାଗଜ, ପ୍ଲାଷ୍ଟିକ ବୋତଲ ଏବଂ କାର୍ଡ ବୋର୍ଡ ବ୍ୟବହାର କରି ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା ସହ ଏହାକୁ ବ୍ୟବହାର କରି ଦିଆଯାଉଛି ଶିକ୍ଷା । ଫଳରେ ସ୍କୁଲର ପରିବେଷ ପରିସ୍କାର, ପରିଛନ୍ନତା ରହିବା ସହ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଦଶିପୁର ପଂଚାୟତର ଆଦମପୁର ଗ୍ରାମରେ ଥିବା କୁଳସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ।

୨୦୦୮ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ରହିଛି ଓ ୩୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପ୍ରଧାନଶିକ୍ଷକଙ୍କୁ ମିଶାଇ ଦୁଇଜଣ ଶିକ୍ଷକ ଅଛନ୍ତି । ହେଲେ ପ୍ରଧାନ ଶିକ୍ଷକ ପ୍ରଦ୍ୟୁମ କୁମାର ରାଉତରାୟ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ନିଆରା ଶୈଳୀ ଆପଣେଇଛନ୍ତି । ବର୍ଯ୍ୟବସ୍ତୁରୁ ବିଭିନ୍ନ ଶିକ୍ଷଣୀୟ ସାମଗ୍ରୀର ମଡେଲ ପ୍ରସ୍ତୁତ କରି ଗଣିତ ଓ ବିଜ୍ଞାନ ବିଷୟରେ ପାଠ ପଢ଼ାଉଛନ୍ତି । ସେହିପରି ବିଭିନ୍ନ ସମୟରେ ନାଚ ଗୀତ ସହ ଅଭିନୟ ମାଧ୍ୟମରେ ମଧ୍ୟ ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତି ।

ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ଶିକ୍ଷାଦାନ ଦ୍ୱାରା ସେମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ସହିତ ଭଲ ମଣିଷ ଟିଏ ଗଢ଼ି ତୋଳିବାର ନିଶା ସ୍ଥାନୀୟ ଅଂଚଳରେ ବେଶ୍ ଆଦୃତ ହୋଇଛି । ପ୍ରଧାନ ଶିକ୍ଷକଙ୍କ ଏହି ନିଆରା ପାଠ ପଢ଼ା ଶୈଳୀକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ବେଶ୍ ଆଦୃତ ହୋଇଛି । ଏହା ସହ ବିଦ୍ୟାଳୟ ପରିସରରେ ଫୁଲ ଗଛ ଲଗାଇବା ସହ ପରିସ୍କାର ପରିଛନ୍ନ ରଖିବାକୁ ସେ ନିଜ ହାତରେ ଝାଡୁ ଧରି ସଫା କରଥାନ୍ତି ।