ଉପାନ୍ତ ଅଞ୍ଚଳବାସୀଙ୍କ ଚିନ୍ତାରେ ଆଇଏଏସ୍ ! ଲୋକଙ୍କ ସମସ୍ୟା ବୁଝିବାକୁ ପାହାଡ଼ିଆ ଜଙ୍ଗଲୀ ରାସ୍ତାରେ ୪ କିଲୋମିଟର ଚାଲିଲେ ଚଞ୍ଚଳ ରାଣା 

354
କନକ ବ୍ୟୁରୋ : ଆଇଏଏସଙ୍କୁ ଉପାନ୍ତ ଅଞ୍ଚଳବାସୀଙ୍କ ଚିନ୍ତା । ଲୋକଙ୍କ ସମସ୍ୟା ବୁଝିବାକୁ ୪ କିଲୋମିଟର ଚାଲିଲେ ଯୁବ ଆଇଏଏସ୍  । ପାହାଡ଼ିଆ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଗଜପତିର ତଳମୁଣ୍ଡା ଗ୍ରାମରେ ପହଞ୍ଚିଲେ ଗଜପତି ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା । ଉଦ୍ଦେଶ୍ୟ ଥିଲା ‘ତିତିଲି’ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସମତଳ ଅଞ୍ଚଳକୁ ଆଣି ଥଇଥାନ୍ କରାଇବା । ଉପାନ୍ତ ଅଞ୍ଚଳବାସୀଙ୍କ ସରକାରୀ ଯୋଜନାର ଆଭିମୁଖ୍ୟ ବୁଝାଇବା  । ହେଲେ ଭିଟାମାଟି ଛାଡ଼ି ଅନ୍ୟ ସ୍ଥାନକୁ ଯିବାପାଇଁ ମଙ୍ଗୁନଥିବା ଲୋକଙ୍କୁ ମନେଇବା ଏତେ ସହଜ ନଥିଲା । ଆଉ ସେଥିପାଇଁ ବ୍ଲକ ପ୍ରାଶସନ ସହ ନିଜେ ପହଞ୍ଚିଥିଲେ ଯୁବ ଆଇଏଏସ୍ ଅଧିକାରୀ ଚଞ୍ଚଳ ରାଣା ।
ପ୍ରାକୃତିକ ସମ୍ପଦ ଭରା ଗଜପତି ଜିଲ୍ଲାର ଅନେକ ଅଞ୍ଚଳରେ ଏବେ ବି ବିକାଶ ପହଞ୍ଚିପାରିନି । ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ । ଯୋଗାଯୋଗ ସୁବିଧା ନଥିବାରୁ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଲେ ଯୁବ ଆଇଏଏସ୍ ଅଧିକାରୀ । ପାହାଡ଼ିଆ ଅଞ୍ଚଳକୁ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ଡରଥାଏ ।  ଗଣ୍ଡାହାତୀ ପଞ୍ଚାୟତର ତାଳମୁଣ୍ଡା, ମୁନିସିଂ, ବାହାଡ଼ାସାହି ଗ୍ରାମର ଲୋକ ବାତ୍ୟା ‘ତିତଲି’ ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ପ୍ରାୟ ସମୟରେ ଧନଜୀବନ ହାନୀ ହେବାସହ ଅନେକ କ୍ଷୟକ୍ଷତି ସହୁଥିଲେ ସୁଦ୍ଧା ସେମାନେ ଭିଟାମାଟି ଛାଡ଼ିବାକୁ ନାରାଜ । ସମତଳ ଅଞ୍ଚଳରେ ଥଇଥାନ କରିବା ପାଇଁ ପ୍ରଶାସନ ବୁଝାଇ ବୁଝାଇ ଥକିଗଲେ ବି ଉପାନ୍ତ ଅଞ୍ଚଳବାସୀ ନଛୋଡ଼ବନ୍ଧା । ନିଜ ଘରଦ୍ୱାର, କଷ୍ଟ ଅର୍ଜିତ ସମ୍ପତ୍ତ ଛାଡ଼ି ସମତଳ ଅଞ୍ଚଳକୁ ଯିବାପାଇଁ ମଙ୍ଗୁନଥିଲେ । ପ୍ରଶାସନର ବାରମ୍ବାର ବୁଝାଇବା ସତ୍ୱେ ବୁଝିନଥିଲେ ପାହାଡ଼ୀ ଲୋକେ । ହେଲେ ହାରିଯାଇନଥିଲେ ଯୁବ ଆଇଏଏସ୍ ।  ଲୋକଙ୍କୁ ବୁଝାଇବା ପାଇଁ ନିଜେ ପହଞ୍ଚିଗଲେ । ୪ କିମି ରାସ୍ତା ଚାଲିଚାଲି  ଲୋକଙ୍କ  ନିକଟରେ ପହଞ୍ଚି ଅନେକ ସମୟ ଆଲୋଚନା କରିଥିଲେ ।
ଆଲୋଚନା କରୁକରୁ ସନ୍ଧ୍ୟା ହୋଇଥିଲା । ନବୁଝିବା ପର୍ୟ୍ୟନ୍ତ ଲୋକଙ୍କୁ ବୁଝାଇ ଚାଲିଥିଲେ । ଦୀର୍ଘ ସମୟ ବୁଝାସୁଝା କରିବା ପରେ ମାନିଥିଲେ ଉପାନ୍ତ ଲୋକେ । ଭିଟାମାଟି ଛାଡ଼ୁନଥିବା ଅବୁଝା ସରଳ ଲୋକଙ୍କୁ ବୁଝାଇରେ ସଫଳ ହୋଇଥିଲେ ଚଞ୍ଚଳ ରାଣା । ପାହାଡ଼ିଆ ଅଞ୍ଚଳ ଛାଡ଼ି ସମତଳ ଅଞ୍ଚଳକୁ ଆସିବାକୁ ସହମତି ପ୍ରକାଶ କରିଥିଲେ । ସରଳ ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ ଚଞ୍ଚଳ ରାଣାଙ୍କ ପ୍ରୟାସ ସ୍ୱାଗତଯୋଗ୍ୟ ।