ମିଗ-୨୭ର ଭାବୁକ ବିଦାୟ : ଯୋଧପୁର ଏୟାରବେସରୁ ଶେଷ ଉଡାଣ ଭରିଲା ବାୟୁସେନା ଯୁଦ୍ଧ ବିମାନ 

401

କନକ ବ୍ୟୁରୋ : ଅବସର ନେଲା ବାୟୁସେନାରୁ ଲଢୁଆ ଯୁଦ୍ଧ ବିମାନ ମିଗ୍-୨୭ । କାରଗିଲ୍ ଯୁଦ୍ଧର ହିରୋ ଓ ଭାରତର ବାହାଦୁର’ ଭାବେ ପରିଚିତ ‘ମିଗ୍ – ୨୭’ ଲଢ଼ୁଆ ଯୁଦ୍ଧ ବିମାନ ଆଜି ରାଜସ୍ଥାନର ଯୋଧପୁରର ଏୟାର ଫୋର୍ସ ଷ୍ଟେସନରେ ଭରିଛି ଶେଷ ଉଡାଣ । ଏହି ଅବସରରେ ବାୟୁସେନା ଦେଇଛି ଶେଷ ବିଦାୟ । ମିଗ୍ ୨୭କୁ ବିଦାୟ ଦେବା ଅବସରରେ ଭବ୍ୟ ପରେଡ ପ୍ରଦର୍ଶନ କରିଛନ୍ତି ବାୟୁସେନାର ଯବାନ ।

୧୯୮୧ ମସିହାରେ ପ୍ରଥମ କରି ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା ଶକ୍ତିଶାଳୀ ମିଗ୍ ୨୭ ଲଢୁଆ ଯୁଦ୍ଧ ବିମାନ । ୪ ଦଶନ୍ଧି ଧରି ଭାରତୀୟ ପ୍ରତିରକ୍ଷା ବିଭାଗକୁ ମିଗ୍ ଦେଇଛି ଅନେକ ରୋମାଞ୍ଚଭରା କ୍ଷଣ । ବିଶେଷ କରି କାରଗିଲ ଯୁଦ୍ଧ ସମୟରେ ବାହାଦୁର  ନିଭାଇଥିଲା ବଡ ଭୂମିକା । ଏହା ବଳରେ ଭାରତୀୟ ବାୟୁସେନା ତାର ଶକ୍ତି ବଳରେ ପାକିସ୍ତାନକୁ ଧୂଳି ଚଟେଇଥିଲା । ଆଜି ଏହାକୁ ଡି-କମିସନ୍ ଅର୍ଥାତ ସେବାନିବୃତ କରାଯାଇଛି ।

ଶେଷ ଉଡ଼ାଣ ସହ ଭାରତୀୟ ବାୟୁସେନାରୁ ଅବସର ଗ୍ରହଣ କରିଛି ‘ବାହାଦୁର’ ନାମରେ ପରିଚିତ ଥିବା ଯୁଦ୍ଧ ବିମାନ । ଅର୍ଥାତ୍ ଆଗକୁ ଆଉ କେବେ ଭାରତୀୟ ଆକାଶରେ ଦେଖିବାକୁ ମିଳିବ ନାହିଁ ଏହି ଯୁଦ୍ଧ ବିମାନକୁ । ଗୌରବମୟ ୪ ଦଶନ୍ଧୀ ପରେ ଏହାକୁ ଅବସର ଦେବାକୁ ଗତ ୪ ବର୍ଷ ଧରି ପ୍ରସ୍ତୁତି ଚଳାଇଥିଲା ବାୟୁସେନା । ଯୋଧପୁର ବାୟୁସେନା ଘାଟିରେ ମିଗ୍-୨୭ର ଶେଷ ସ୍କ୍ୱାଡ୍ରନର ୭ଟି ବିମାନକୁ ଆଜି ସେବାନିବୃତ କରାଯାଇଛି । ଏହା ସହିତ ସାରା ବିଶ୍ୱରେ ଏହି ବିମାନ ଏବେ ଇତିହାସ ପାଲଟିଯାଇଛି । କାରଣ ଅନ୍ୟ କୌଣସି ଦେଶରେ ବର୍ତମାନ ଏହି ଯୁଦ୍ଧ ବିମାନ ଆଉ ସେବାରେ ନାହିଁ ।