ସାରାଦେଶରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବ ଭାରତୀୟ ସେନା : ଆସନ୍ତା ରବିବାର ଆକାଶରୁ ଡାକ୍ତରଖାନା ଗୁଡିକ ଉପରେ ହେବ ଫୁଲବର୍ଷା, ସିଡିଏସ ଜେନେରାଲ୍ ବିପିନ୍ ରାୱତଙ୍କ ସୂଚନା

356

କନକ ବ୍ୟୁରୋ : ଦେଶର ସମସ୍ତ କରୋନା ଯୋଦ୍ଧାଙ୍କୁ ସେନା ଜଣାଇବ ସମ୍ମାନ । ଭାରତୀୟ ସେନା ଆସନ୍ତା ୩ ତାରିଖ ରବିବାର ଦିନ ଦେଶର କରୋନା ଯୋଦ୍ଧା ମାନଙ୍କୁ ନିଆରା ଢଙ୍ଗରେ ସମ୍ମାନ ଜଣାଇବାକୁ ନିଷ୍ପତି ନେଇଛି । କରୋନା ବିରୋଧୀ ଲଢେଇରେ ନିଜ ଜୀବନକୁ ବାଜି ଲଗାଇ ସାମିଲ ହୋଇଥିବା ଦେଶର ସମସ୍ତ ଡାକ୍ତର , ନର୍ସ , ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀ , ପୋଲିସ କର୍ମୀ , ଟ୍୍ରାଫିକ୍ ପୋଲିସ , ଗଣମାଧ୍ୟମ କର୍ମଚାରୀଙ୍କୁ ସମ୍ମାନ ଜଣାଇବ ଭାରତୀୟ ସେନାର ତିନି ବିଭାଗ ।

ସ୍ଥଳସେନା, ବାୟୁସେନା ଓ ଜଳସେନା । ଶ୍ରୀନଗରରୁ ତ୍ରିଭେନ୍ଦ୍ରମ୍, ଆସାମର ଦିବ୍ରୁଗଡରୁ ଗୁଜରାଟର କଛକୁ ଉଡିବ ବିମାନ । ଡାକ୍ତରଖାନା ଗୁଡିକ ଉପରେ ଏହି ଅବସରରେ ଆକାଶରୁ କରାଯିବ ଫୁଲ ବର୍ଷା । ସେହିପରି ଜଳପଥରେ ନୌସେନା କରିବ ସ୍ପେଶାଲ ସୋ । ସ୍ଥଳ ସେନା ସ୍ପେଶାଲ ବ୍ୟାଣ୍ଡ ବଜାଇବ । ଦେଶର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଏହା ସେନାର ଉଦ୍ୟମ ବୋଲି ସ୍ପଷ୍ଟ କରିଛନ୍ତି ସିଡିଏସ ଜେନେରାଲ୍ ବିପିନ୍ ରାୱତ୍ ।