ଅଭିନନ୍ଦନଙ୍କ ଫେରିବାରେ ବିଳମ୍ବ ନେଇ ଘନଉଛି ସନ୍ଦେହ ! ଅଧାରାସ୍ତାରେ ଅଟକାଇ ପ୍ରଚାର ପାଇଁ ଭିଡିଓ ସୁଟ୍ କଲା ପାକ୍ ଆର୍ମି

393

କନକ ବ୍ୟୁରୋ : ଅଭିନନ୍ଦନଙ୍କ ଫେରିବାରେ ବିଳମ୍ବ ନେଇ ପୁଣି ଥରେ ପଦାରେ ପଡିଛି ପାକିସ୍ତାନର ସନ୍ଦେହ ଜନକ କାର୍ଯ୍ୟ । ଅଭିନନ୍ଦନଙ୍କୁ ମୁକ୍ତ କରିବା ପାଇଁ ବାରମ୍ବାର ସମୟ ଗଡାଇ ଚାଲିଥିଲା ପାକ୍ ସରକାର । ପ୍ରଥମେ ସକାଳ ୧୦ଟା ୫୦ରେ ଛାଡିବାକୁ କହି ତାପରେ ସମୟ ଗଡାଇ ଚାଲିଥିଲା । ଆଉ ଶେଷରେ ରାତି ପ୍ରାୟ ୯ଟା ୨୫ରେ ଭାରତ ମାଟିରେ ପ୍ରବେଶ କରିଥିଲେ ବୀର ଅଭିନନ୍ଦନ । କିନ୍ତୁ ଏହାରି ଭିତରେ ନିଜର ପ୍ରଚାର କରିବା ପାଇଁ ଅଭିନନ୍ଦନଙ୍କୁ ଅଧାରାସ୍ତାରେ ଅଟକାଇ ପ୍ରଚାର ପାଇଁ ଭିଡିଓ ସୁଟ୍ କରିଥିଲା ପାକ୍ ଆର୍ମି । ଯାହାକୁ ନେଇ ପୁଣି ଥରେ ପାକିସ୍ତାନର କାର୍ଯ୍ୟକୁ ନେଇ ସନ୍ଦେହ ବଢ଼ିଛି ।

ଅଭିନନ୍ଦନଙ୍କୁ କରିବା ହସ୍ତାନର ପୂର୍ବରୁ ରାତି ସାଢ଼େ ୮ଟାରେ ପାକିସ୍ତାନ ଉଦ୍ଦେଶ୍ୟକୁ ସୁହାଇଲା ଭଳି  ଭିଡିଓର ୧୯ କଟ୍ ସମ୍ବଳିତ ସମ୍ପାଦିତ କଳେବର ପ୍ରସାରିତ କରାଯାଇଥିଲା । ସେଥିରେ ଭାରତୀୟ ଗଣମାଧ୍ୟମକୁ ଅଭିନନ୍ଦନ ଭୀଷଣ ସମାଲୋଚନା କରିବା ସହ ପାକ୍ ସେନାକୁ ପ୍ରଶଂସାରେ ପୋତି ଦେଇଥିବା ଦେଖାଯାଇଥିଲା । ସେହିପରି ଭିଡିଓ ବାର୍ତ୍ତାରେ ଅଭିନନ୍ଦନ ପାକିସ୍ତାନ ଆକାଶ ସୀମାକୁ ପଶି ଆସି ଲକ୍ଷ୍ୟସ୍ଥଳ ଖୋଜୁଥିବା ବେଳେ ପାକ୍ ସେନା ତାଙ୍କ ବିମାନକୁ ଗୁଳି କରିଥିଲେ ବୋଲି କହିଛନ୍ତି ।

ଦୁର୍ଘଟଣାଗ୍ରସ୍ତ ବିମାନରୁ ବାହାରି ସେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ବେଳେ ଦୁଇ ଜଣ ପାକ୍ ସେନାଧିକାରୀ ଲୋକଙ୍କ କବଳରୁ ତାଙ୍କୁ ଉଦ୍ଧାର କରିଥିଲେ ବୋଲି କହିଛନ୍ତି । ପାକ୍ ସେନାର ଏଭଳି ସହଯୋଗ ମନବୃତ୍ତିକୁ ସେ ଖୁବ୍ ତାରିଫ କରିଥିବା ଭିଡିଓରେ ପ୍ରଦର୍ଶିତ ହୋଇଛି । ବିଶ୍ୱରେ ଏକଘରିକିଆ ହୋଇପଡିଥିବା ପାକିସ୍ତାନ ନିଜ ଛବି ବଦଳେଇବାକୁ ଏହି ଭିଡିଓ ଜରିଆରେ ନୂଆ ବାଟ ଖୋଜୁଛି ବୋଲି କୁହାଯାଉଛି ।