‘ଫୋନି’ ଭାଙ୍ଗିଛି ୬ ହଜାରୁ ଅଧିକ ବିଦ୍ୟାଳୟ ! ସାମୁଦ୍ରିକ ବାତ୍ୟାରେ ପ୍ରାୟ ୪୧୪ କୋଟି କ୍ଷୟକ୍ଷତିର ଆକଳନ କଲେ ସୂଚନା ଓ ଲୋକସମ୍ପର୍କ ସଚିବ

85

କନକ ବ୍ୟୁରୋ : ଫୋନି ଆଁରେ ନଷ୍ଟଭ୍ରଷ୍ଟ ହୋଇଯାଇଛି ଅଧା ଓଡ଼ିଶା । ଓଡ଼ିଶାର ୧୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛନ୍ତି । ଫୋନି ପ୍ରଭାବରେ ପୁରୀ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ସାମୁଦ୍ରିକ ବାତ୍ୟା ଫୋନି ଯୋଗୁଁ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ୪୧୭ କୋଟି କ୍ଷୟକ୍ଷତିର ଆକଳନ କରାଯାଇଛି । ଅନେକ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି । ୧୪ଟି ପ୍ରଭାବିତ ଜିଲ୍ଲାରେ ୬ ହଜାର ୪୯୮ ସ୍କୁଲକୁ କ୍ଷତି ପହଞ୍ଚିଛି । କେବଳ ପୁରୀରେ ହିଁ ୨୧୩୪ ଟି ବିଦ୍ୟାଳୟର ଅବସ୍ଥା ଏବେ ସଙ୍ଗୀନ ।

ଅନ୍ୟପଟେ ପୁରୀରେ ୧୭.୪୫ ପ୍ରତିଶତ ଏଟିଏମ କାମ କରୁଛି । ଖୋର୍ଦ୍ଧାରେ ୪୭.୮ ପ୍ରତିଶତ, କଟକ ୫୪.୩୪ ପ୍ରତିଶତ, ଜଗତସିଂହପୁରରେ ୬୧.୩୭ ପ୍ରତିଶତ, ଗଞ୍ଜାମରେ ୯୨.୯୧ ପ୍ରତିଶତ ଓ କେନ୍ଦ୍ରାପଡ଼ାରେ ୬୬.୦୮ ପ୍ରତିଶତ ଏଟିଏମ୍ ଏବେ କାର୍ଯ୍ୟକ୍ଷମ ଅଛନ୍ତି । ଏହାବ୍ୟତୀତ ରାଜଧାନୀ ଭୁବନେଶ୍ୱରରେ ୫୬ ପ୍ରତିଶତ ଟାୱାର କାମ କରୁଥିବା ବେଳେ ପୁରୀରେ ୧୮ ପ୍ରତିଶତ ଟାୱାର କାର୍ଯ୍ୟକ୍ଷମ ରହିଛି । ବ୍ୟାଙ୍କ ସେବା ବିଷୟରେ ଆଲୋଚନା କଲେ ପୁରୀରେ ବର୍ତ୍ତମାନ ସମୟରେ ୭୫.୨୨ ପ୍ରତିଶତ ବ୍ରାଂଚ କାମ କରୁଥିବା ବେଳେ ଖୋର୍ଦ୍ଧା ରେ ୮୨.୯୫ ପ୍ରତିଶତ ବ୍ରାଂଚ କାର୍ଯ୍ୟକ୍ଷମ ରହିଛି ।

ରାଜଧାନୀର କିଛି ସ୍ଥାନରେ ବିଦ୍ୟୁତ ସଂଯୋଗ ସ୍ୱାଭାବିକ ରହିଛି । କଳିଙ୍ଗନଗର ଓ ଉତ୍ତରାରେ କିଛି ଅଂଶରେ ଏବେ ବି ସମସ୍ୟା ଘେରରେ କାଳାତିପାତ କରୁଛନ୍ତି ଲୋକେ । ଦିନେ ଦୁଇ ଦିନ ଭିତରେ ରାଜଧାନୀରେ ବିଦ୍ୟୁତ ସେବା ସ୍ଥିର ହୋଇଯିବ । ଅନ୍ୟପଟେ ପୁରୀରେ ଆସନ୍ତା ୧୫ ସୁଦ୍ଧା ସମସ୍ତ ସ୍ଥାନକୁ ବିଜୁଳି ସଂଯୋଗ ଦିଆଯିବ ବୋଲି କହିଛନ୍ତି । ବଡ଼ଦାଣ୍ଡରେ ବର୍ତ୍ତମାନ ଡିଜି ସେଟ୍ ଜରିଆରେ ବିଜୁଳି ଦିଆଯାଉଛି ।