ନ୍ୟାୟ ପାଇଲେ ଦିଶା : ହାଇଦ୍ରାବାଦ ପୁଲିସକୁ ଧନ୍ୟବାଦ, ହେଲେ ଏଯାଏଁ ନିର୍ଭୟାଙ୍କୁ ନ୍ୟାୟ ମିଳିନି

519

କନକ ବ୍ୟୁରୋ : ଦିଶାଙ୍କୁ ମିଳଲା ନ୍ୟାୟ । ଦିଶାଙ୍କ ଆତ୍ମାକୁ ଶାନ୍ତି ମିଳିଲା ।ଦୁଷ୍କର୍ମକାରୀଙ୍କୁ ମିଳିଲା ଦଣ୍ଡ । ଗର୍ଜିଲା ପୋଲିସର ଗୁଳି । ସଜା ପାଇଲେ ସଇତାନ୍ । ଏନକାଉଣ୍ଟରରେ ୪ ଦୁଷ୍କର୍ମକାରୀ ମୃତ ।  ହାଇଦ୍ରାବାଦ ପୁଲିସକୁ ଧନ୍ୟବାଦ । ଯେଉଁ ସ୍ଥାନରେ ମହିଳା ଡାକ୍ତରଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା, ସେହି ସ୍ଥାନରେ ଦଣ୍ଡ ପାଇଲେ ନରପିଶାଚ । ଦେଶକୁ ଦୋହଲାଇ ଦେଇଥିବା ଘଟଣାରେ ଅଭିଯୁକ୍ତ ଶାସ୍ତି ପାଇଛନ୍ତି ।

ଦଶ ଦିନରେ ଦିଶାକୁ ମିଳିଲା ନ୍ୟାୟ । ଦିଶାଙ୍କ ମା’ବାପା ଆଜି ଟିକିଏ ଶାନ୍ତିରେ ନିଶ୍ୱାସ ମାରିବେ । ଝିଅ ରହିଲାନି, ହେଲେ ଅଭିଯୁକ୍ତଙ୍କୁ ଦଣ୍ଡ ଦେଲା ପୋଲିସ୍ । କ୍ରାଇମ୍ ସିନ୍ ରିକିଏଟ୍ କରିବା ସମୟରେ ଅଭିଯୁକ୍ତଙ୍କୁ ଖସି ପଳାଇବା ପାଇଁ ଚେଷ୍ଟା କରୁଥିଲେ । ଆଉ ସେଥିପାଇଁ ଶେଷରେ ଉପାୟଶୂନ୍ୟ ହୋଇ ପୋଲିସକୁ ଏନକାଉଣ୍ଟର କରିବାକୁ ପଡ଼ିଲା ।

ତେଲେଙ୍ଗାନା ପୋଲିସକୁ ଏଥିପାଇଁ ପୀଡ଼ିତାଙ୍କ ପରିବାର ଧନ୍ୟବାଦ ଜଣାଇଛନ୍ତି । ତେଲେଙ୍ଗାନା ସରକାର ଓ ପୋଲିସଙ୍କ ନିକଟରେ କୃତଜ୍ଞ ବୋଲି ମଧ୍ୟ କହିଛନ୍ତି । ଦେଶରେ ଦିନକୁ ଦିନ ବଢ଼ିଚାଲିଥିବା ଦୁଷ୍କର୍ମ ଅଭିଯୁକ୍ତଙ୍କ ପାଇଁ ଏହି ଘଟଣା ଭୟ ସୃଷ୍ଟି କରିପାରେ । ହୋଇପାରେ ଏହି ଘଟଣା ପରେ ଦୁଷ୍କର୍ମ ଘଟଣା କିଛିକାଂଶରେ କମିପାରେ ।

ସେପଟେ ଏହି ଖବର ଶୁଣି ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି, ଏ ଖବର ୨୦୧୨ରୁ ତାଙ୍କୁ ଯନ୍ତ୍ରଣା ଦେଉଥିବା କ୍ଷତ ପାଇଁ ମଲମ ସଦୃଶ । ସେ କହିଛନ୍ତି ଅନ୍ତତଃ ଜଣେ ଝିଅକୁ ନ୍ୟାୟ ମିଳିଲା । ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି ନିର୍ଭୟାଙ୍କ ମା’ । ଏହାସହ ସେ କହିଛନ୍ତି ଏ ଭଳି ଘୃଣ୍ୟ ଅପରାଧ ଭିଆଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଏ ଘଟଣା ଭୟ ସଞ୍ଚାର କରିବ ।