ମାନବିକତା ଦେଖାଇଲେ ନବରଙ୍ଗପୁର ଜିଲ୍ଲାପାଳ : ଗାଡି ଅଟକାଇ ଦୃଷ୍ଟିହୀନ ଦମ୍ପତ୍ତିଙ୍କ ସମସ୍ୟା ବୁଝିଲେ, ସହାୟତା ଦେବାକୁ ପ୍ରତିଶ୍ରୃତି ଦେଲେ 

1,081
କନକ ବ୍ୟୁରୋ : ମାନବିକତା ଦେଖାଇଲେ ନବରଙ୍ଗପୁର ଜିଲ୍ଲାପାଳ । ବାଟରେ ଯାଉଥିବା ଦୃଷ୍ଟିହୀନ ଦମ୍ପତିଙ୍କୁ ଦେଖି ଗାଡ଼ି ଅଟକାଇଲେ । ଦୁଇଜଣ ବୃଦ୍ଧ ଦୃଷ୍ଟିହୀନ ଦମ୍ପତି ଅତି ଦୟନୀୟ ଅବସ୍ଥାରେ ରାସ୍ତାରେ ଯାଉଥିବା ବେଳେ ଜିଲ୍ଲାପାଳ ଡ଼କ୍ଟର ଅଜିତ କୁମାର ମିଶ୍ରଙ୍କ ଦୃଷ୍ଟି ତାଙ୍କ ଉପରେ ପଡ଼ିଥିଲା । ଆଉ ସେ ସଙ୍ଗେ ସଙ୍ଗେ ଗାଡ଼ି ଅଟକାଇ ସିଧାସଳଖ ସେମାନଙ୍କ ସହ କଥା ହୋଇଥିଲେ । ଆଉ  କଥା ହେବା ପରେ ଦୃଷ୍ଟିହୀନ ଦମ୍ପତିଙ୍କୁ ସହାୟତା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି  ଜିଲ୍ଲାପାଳ । ନବରଙ୍ଗପୁର ଜିଲ୍ଳା ପାପଡ଼ାହାଣ୍ଡି ବ୍ଲକ ତୁମ୍ବର୍ଲ ଛକ ନିକଟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ।
ବଦଳିବ ଦୃଷ୍ଟିହୀନ ଦମ୍ପତିଙ୍କ ଭାଗ୍ୟ । ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ । କାନ୍ଧରେ ଭିକ ମୁଣି ଆଉ ଖାଲି ପାଦରେ ବାଡି଼ ଧରି ରାସ୍ତା ଠଉରେଇ କଷ୍ଟେମଷ୍ଟେ ଘରକୁ ଫେରୁଥିବା ବୃଦ୍ଧ ଦୃଷ୍ଟିହୀନ ଦମ୍ପତିଙ୍କୁ ଦେଖିଲେ ଜିଲ୍ଲାପାଳ  । ଦୃଷ୍ଟିହୀନ ଦମ୍ପତିଙ୍କୁ ଦେଖିବା ପରେ ଡ୍ରାଇଭରକୁ  ତୁରନ୍ତ ଗାଡ଼ି ଅଟକାଇବା ପାଇଁ କହିଥିଲେ । ଆଉ ଗାଡ଼ି ଅଟକିବା ପରେ ଦୃଷ୍ଟିହୀନ ଦମ୍ପତିଙ୍କ ପାଖରେ ପହଞ୍ଚି ଯାଇଥିଲେ ଜିଲ୍ଲାପାଳ । ଦିବ୍ୟାଙ୍ଗ ଦମ୍ପତି ଦୁଇଜଣ ପାପଡ଼ାହାଣ୍ଡି ବ୍ଲକ ପାତ୍ରୀ ପଂଚାୟତର ସମ୍ବାରୁ ଭତ୍ରା ଓ ସୁକାନ୍ତି ଭତ୍ରା  । ତିନି ଦିନ ଝାଡ଼ାବାନ୍ତିର ଶିକାର ହୋଇଥିବା ବୃଦ୍ଧ ଦମ୍ପତି ପାପଡ଼ାହାଣ୍ଡି ମେଡ଼ିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରୁଥିଲେ । କିନ୍ତୁ ଦୁଃଖର କଥା ହେଲା ୧୨ କିଲୋମିଟର ଦୂରରେ ଥିବା ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କୁ କୌଣସି ବସ୍ କିମ୍ବା ଗାଡ଼ି ଉଠାଉନଥିବା କହିଥିଲେ ଦମ୍ପତି ।
ଅନ୍ୟପଟେ ମେଡ଼ିକାଲରେ ତାଙ୍କୁ କିପରି ଚିକିତ୍ସା ମିଳିଲା, ସେ ନେଇ ପଚାରି ବୁଝିଥିଲେ ଜିଲ୍ଲାପାଳ । ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ଚାଉଳ ଓ ଭତ୍ତା କିଛି ମିଳୁଛି କି ନାହିଁ ପଚାରି ବୁଝିଥିଲେ । ହେଲେ ଏଯାଏଁ କୌଣସି ସରକାରୀ ସହାୟତା ମିଳିନାହିଁ ବୋଲି କହିଥିଲେ ଉଭୟ । ତେବେ ଝାଟି ମାଟି ଘରେ ରହୁଥିବା ଏହି ବୃଦ୍ଧ ଦମ୍ପତିଙ୍କୁ ଖୁବ୍ ଶୀଘ୍ର ଆବାସ ଯୋଜନାରେ ଘର ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ । ଖଇରା ଗାଁର ଏହି ବୃଦ୍ଧ ଦିବ୍ୟାଙ୍ଗ ଦମ୍ପତି ପ୍ରତିଦିନ ଭିକ ମାଗି ବହୁ କଷ୍ଟରେ ଦିନ କାଟନ୍ତି । ତାଙ୍କ ପ୍ରତି ଜିଲ୍ଲାପାଳଙ୍କର ଏପରି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।