କରୋନା ପାଇଁ ଆସୁ ନାହାନ୍ତି ପର୍ଯ୍ୟଟକ : ହୁମା ମନ୍ଦିର ଖାଁ ଖାଁ, ଖାଇବାକୁ ପାଉନାହାନ୍ତି କୁଡ଼ୋ ମାଛ

Advertisment
କରୋନା ପାଇଁ ଆସୁ ନାହାନ୍ତି ପର୍ଯ୍ୟଟକ : ହୁମା ମନ୍ଦିର ଖାଁ ଖାଁ, ଖାଇବାକୁ ପାଉନାହାନ୍ତି କୁଡ଼ୋ ମାଛ

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲାର ହୁମାସ୍ଥିତ ପ୍ରସିଦ୍ଧ ବକ୍ର ମନ୍ଦିରରକୁ କରୋନା ପାଇଁ ପ୍ରାୟ ମାସେ ହେଲା ପର୍ଯ୍ୟଟକ ଓ ଭକ୍ତଙ୍କ ଆଗମନ ବନ୍ଦ ହୋଇ ଯାଇଛି । ଯଦିଓ ଏହି ପ୍ରାଚୀନ ଶୈବ ପୀଠରେ ବିମଳେଶ୍ବର ବାବାଙ୍କ ଦୈନିକ ପୂଜାବିଧି ଚାଲିଛି, ଅନ୍ୟ ସବୁ କାର୍ଯ୍ୟକ୍ରମ ବନ୍ଦ ରହିଛି । ଏଥିରେ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି ଏହି ପୀଠର ଅନ୍ୟତମ ଆକର୍ଷଣ କୁଡ଼ୋ ମାଛ ।

ହୁମା ମନ୍ଦିର ସଂଲଗ୍ନ ମହାନଦୀର ମଛିନ୍ଦ୍ର ଘାଟ ଓ ଆଖପାଖରେ ଦେଖାଯାଆନ୍ତି ହଜାର ହଜାର ସଂଖ୍ୟାରେ କୁଡ଼ୋ ମାଛ । ଏହି ମାଛମାନଙ୍କୁ ସେଠାରେ ମତ୍ସ୍ୟବତାର ରୂପରେ ପୂଜା କରାଯାଏ । ଏହି ମାଛ ଧରିବା ବା ମାରିବା ସଂପୂର୍ଣ୍ଣ ନିଷେଧ । ମାଛଗୁଡ଼ିକ ଘାଟକୁ ଲାଗି ପହଁରିବା ସହ ପର୍ଯ୍ୟଟକ ଓ ଭକ୍ତମାନେ ଦେଉଥିବା ଖାଦ୍ୟ ଖାଇ ବଞ୍ଚନ୍ତି। ପର୍ଯ୍ୟଟକଟିଏ ପାଣିରେ ଖାଦ୍ୟ ପକାଇବା ମାତ୍ରେ ତାକୁ ଝାମ୍ପି ଖାଇବା ପାଇଁ ଏକା ସାଂଗରେ ବହୁ ସଂଖ୍ୟାରେ ମାଛଙ୍କ ପ୍ରତିଦ୍ବନ୍ଦ୍ବିତାର ଦୃଶ୍ୟ ଅତ୍ୟନ୍ତ ମନମୁଗ୍‌ଧକର ହୋଇଥାଏ । ଏହି ମାଛମାନଙ୍କ ପାଇଁ ହୁମା ମନ୍ଦିର ସଂଲଗ୍ନ ନଦୀ ଘାଟ ନିକଟରେ ବିଭିନ୍ନ ପ୍ରକାର ଖାଦ୍ୟ ବିକ୍ରି ହୋଇଥାଏ ।

ଏମାନେ ମୁଖ୍ୟତଃ ବିଭିନ୍ନ ପ୍ରକାର ଲଡ଼ୁ, ଚାଉଳ ଇତ୍ୟାଦି ଖାଇଥାଆନ୍ତି। ପର୍ଯ୍ୟଟକମାନେ ତାହା କିଣି ମାଛଙ୍କୁ ଖାଇବାକୁ ଦିଅନ୍ତି। ବର୍ଷତମାମ ପର୍ଯ୍ୟଟକଙ୍କଠାରୁ ମିଳୁଥିବା ଖାଦ୍ୟକୁ ମହା ଆନନ୍ଦରେ ଖାଇ ଏହି ମାଛମାନେ ବେଶ ହୃଷ୍ଟପୁଷ୍ଟ ହୋଇ ବଢ଼ିଥାଆନ୍ତି। ବଡ଼ ବଡ଼ ମାଛଗୁଡ଼ିକର ଓଜନ ୫ କେଜି ଓ ଲମ୍ବ ଦୁଇ ଫୁଟ୍‌ରୁ ଅଧିକ ହୋଇଥାଏ। ଏମାନେ ବି ପର୍ଯ୍ୟଟକଙ୍କ ବେଶ ମନୋରଂଜନ କରନ୍ତି।

କିନ୍ତୁ ଏବେ ଖାଇବାକୁ ନ ପାଇ ଏହି ମାଛମାନଙ୍କର ଦୁର୍ଦ୍ଦଶା ବଢ଼ି ଯାଇଛି। କରୋନା କଟକଣା ଯୋଗୁଁ ପର୍ଯ୍ୟଟକଙ୍କ ଆସିବା ବନ୍ଦ ହୋଇଯିବା କାରଣରୁ ପ୍ରାୟ ମ‌ାସେ ହେଲା ଏହି ମାଛମାନେ ଠିକ୍‌ରେ ଖାଇବାକୁ ପାଉନାହାନ୍ତି। ଏହି ମାଛମାନେ ନଦୀର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରହନ୍ତି ଓ ଖାଦ୍ୟ ସଂଗ୍ରହ ପାଇଁ ଅନ୍ୟତ୍ର ଯାଆନ୍ତି ନାହିଁ। ଏମାନଙ୍କ ପାଇଁ ପ୍ରଶାସନ ତରଫରୁ ଖାଦ୍ୟ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଓ ଭକ୍ତମାନେ ଦାବି କରୁଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe