କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲାର ହୁମାସ୍ଥିତ ପ୍ରସିଦ୍ଧ ବକ୍ର ମନ୍ଦିରରକୁ କରୋନା ପାଇଁ ପ୍ରାୟ ମାସେ ହେଲା ପର୍ଯ୍ୟଟକ ଓ ଭକ୍ତଙ୍କ ଆଗମନ ବନ୍ଦ ହୋଇ ଯାଇଛି । ଯଦିଓ ଏହି ପ୍ରାଚୀନ ଶୈବ ପୀଠରେ ବିମଳେଶ୍ବର ବାବାଙ୍କ ଦୈନିକ ପୂଜାବିଧି ଚାଲିଛି, ଅନ୍ୟ ସବୁ କାର୍ଯ୍ୟକ୍ରମ ବନ୍ଦ ରହିଛି । ଏଥିରେ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି ଏହି ପୀଠର ଅନ୍ୟତମ ଆକର୍ଷଣ କୁଡ଼ୋ ମାଛ ।
Kanak News is now on WhatsApp
Join and get latest news updates delivered to you via WhatsApp
ହୁମା ମନ୍ଦିର ସଂଲଗ୍ନ ମହାନଦୀର ମଛିନ୍ଦ୍ର ଘାଟ ଓ ଆଖପାଖରେ ଦେଖାଯାଆନ୍ତି ହଜାର ହଜାର ସଂଖ୍ୟାରେ କୁଡ଼ୋ ମାଛ । ଏହି ମାଛମାନଙ୍କୁ ସେଠାରେ ମତ୍ସ୍ୟବତାର ରୂପରେ ପୂଜା କରାଯାଏ । ଏହି ମାଛ ଧରିବା ବା ମାରିବା ସଂପୂର୍ଣ୍ଣ ନିଷେଧ । ମାଛଗୁଡ଼ିକ ଘାଟକୁ ଲାଗି ପହଁରିବା ସହ ପର୍ଯ୍ୟଟକ ଓ ଭକ୍ତମାନେ ଦେଉଥିବା ଖାଦ୍ୟ ଖାଇ ବଞ୍ଚନ୍ତି। ପର୍ଯ୍ୟଟକଟିଏ ପାଣିରେ ଖାଦ୍ୟ ପକାଇବା ମାତ୍ରେ ତାକୁ ଝାମ୍ପି ଖାଇବା ପାଇଁ ଏକା ସାଂଗରେ ବହୁ ସଂଖ୍ୟାରେ ମାଛଙ୍କ ପ୍ରତିଦ୍ବନ୍ଦ୍ବିତାର ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର ହୋଇଥାଏ । ଏହି ମାଛମାନଙ୍କ ପାଇଁ ହୁମା ମନ୍ଦିର ସଂଲଗ୍ନ ନଦୀ ଘାଟ ନିକଟରେ ବିଭିନ୍ନ ପ୍ରକାର ଖାଦ୍ୟ ବିକ୍ରି ହୋଇଥାଏ ।
ଏମାନେ ମୁଖ୍ୟତଃ ବିଭିନ୍ନ ପ୍ରକାର ଲଡ଼ୁ, ଚାଉଳ ଇତ୍ୟାଦି ଖାଇଥାଆନ୍ତି। ପର୍ଯ୍ୟଟକମାନେ ତାହା କିଣି ମାଛଙ୍କୁ ଖାଇବାକୁ ଦିଅନ୍ତି। ବର୍ଷତମାମ ପର୍ଯ୍ୟଟକଙ୍କଠାରୁ ମିଳୁଥିବା ଖାଦ୍ୟକୁ ମହା ଆନନ୍ଦରେ ଖାଇ ଏହି ମାଛମାନେ ବେଶ ହୃଷ୍ଟପୁଷ୍ଟ ହୋଇ ବଢ଼ିଥାଆନ୍ତି। ବଡ଼ ବଡ଼ ମାଛଗୁଡ଼ିକର ଓଜନ ୫ କେଜି ଓ ଲମ୍ବ ଦୁଇ ଫୁଟ୍ରୁ ଅଧିକ ହୋଇଥାଏ। ଏମାନେ ବି ପର୍ଯ୍ୟଟକଙ୍କ ବେଶ ମନୋରଂଜନ କରନ୍ତି।