ଶୋଷଣର ଶିକାର ଚାଷୀ : ଜାଲ ବିଛାଇ ଛକିଛନ୍ତି ମିଲ୍ ମାଲିକ ଓ ଦଲାଲ, କମ୍ ଦାମରେ ଧାନ ବିକିବାକୁ ବାଧ୍ୟ ଚାଷୀ

259

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲାରେ ପ୍ରସ୍ତୁତ ହୋଇ ସାରିଛି ଚାଷୀ ଶୋଷଣର ଖସଡ଼ା । ଆଉ ଏହି ପ୍ରସ୍ତୁତ ଖସଡ଼ା ଅନୁସାରେ ଜାଲ ବିଛାଇଛନ୍ତି ମିଲ୍ ମାଲିକ ଓ ଦଲାଲ । ଚାଷୀଙ୍କ ଅସହାୟତାର ସୁଯୋଗ ନେଇ କମ୍ ଦାମରେ ଧାନ କିଣି ନେଉଥିବା ବେଳେ ମଣ୍ଡି ଖୋଲିବା ପୂର୍ବରୁ କିଛି ମିଲରେ ଭର୍ତି ହୋଇ ସାରିଲାଣି ଧାନ । ଗୋଟିଏ ପଟେ ମିଲ୍ ମାଲିକଙ୍କ ଷଡଯନ୍ତ୍ର ନେଇ ପ୍ରଶାସନ ଏକ ପ୍ରକାର ଚୁପ୍ ବସିଥିବା ବେଳେ ଅନ୍ୟପଟେ ବାଧ୍ୟବାଧକତାରେ କମଦାମରେ ବିକ୍ରି କରିଦେଉଛି ବଲାଙ୍ଗୀର ଚାଷୀ ।

ବଲାଙ୍ଗୀର ଜିଲ୍ଲାରେ ଚାଷୀ କମ୍ ଦାମରେ ଧାନ ବିକ୍ରି କରି ଦେଉଥିବା ବେଳେ ଆଉ ଗୋଟିଏପଟେ ମଣ୍ଡି ଖୋଲିବା ପୂର୍ବରୁ ତୁଷୁରା କେଡ଼ିଆ ଭଳି ଏକାଧିକ ମିଲରେ ଭର୍ତ୍ତି ହୋଇସାରିଲାଣୀ ଧାନ ଗୋଦାମ । ଟୋକନ୍ ପାଇବା ପୂର୍ବରୁ ଏବଂ ମଣ୍ଡି ଆରମ୍ଭ ହେବା ପୂର୍ବରୁ ବଲାଙ୍ଗୀର ଜିଲ୍ଲାରେ ଅନେକ ଚାଷୀ, ଧାର୍ଯ୍ୟ ମୁଲ୍ୟଠାରୁ ବହୁ କମ୍ ଦାମରେ ଧାନ ବିକ୍ରି କରିଦେଉଛନ୍ତି । କାରଣ-

-ଟୋକନ୍ ବ୍ୟବସ୍ଥା ଅନୁସାରେ କ୍ରମାନ୍ୱୟରେ ଚାଷୀ ଧାନ ବିକ୍ରିର ବ୍ୟବସ୍ଥାରେ ରହିଛି । ଫଳରେ ଚାଷୀଙ୍କ ନାଁ ଆସିଲା ବେଳକୁ ମଣ୍ଡି ବନ୍ଦ ହେବାର ଆଶଙ୍କା ରହୁଛି

-ବୁଲବୁଲ ବର୍ଷା ଯୋଗୁଁ କିଛି ଧାନ ଭିଜି ଯାଇଥିବାରୁ କଟଣୀ ହେବାର ଆଶଙ୍କା ରହୁଛି

-ଚାଷୀଙ୍କୁ ମଣ୍ଡିରୁ ମିଲ ଯାଏଁ ଚାଷୀଙ୍କୁ ନିଜସ୍ୱ ଖର୍ଚ୍ଚରେ ଧାନ ନେବାକୁ ପଡୁଛି

ଆଉ ଏହି ସମସ୍ୟାକୁ ଫାଇଦା ଉଠାଉଛନ୍ତି ମିଲର୍ । ଦଲାଲଙ୍କ ସହାୟତାରେ କ୍ୱିଂଟାଲ ପିଛା ୧୮ଶହ ୧୫ ଟଙ୍କା ବଦଳରେ ହଜାରେରୁ ୧୨ ଟଙ୍କାରେ ଧାନ ଟେକି ଦେଉଥିବା ଅଭିଯୋଗ ହେଉଛି । ଏପଟେ କେଡିଆ ରାଇସ ମିଲ୍ର କେଳେଙ୍କାରୀ ନେଇ ପ୍ରଶାସନ ଜାଣିଶୁଣି ଆଖିବୁଜିଦେଇଛି ।

ମଣ୍ଡି ଖୋଲିବା ପୂର୍ବରୁ ମିଲରେ ଧାନ ମହଜୁଦ ରଖିବା ପ୍ରସଙ୍ଗରେ ସିଏସ୍ଓ କହୁଛନ୍ତି-ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ । ହେଲେ ପ୍ରଶ୍ନ ଉଠୁଛି-

-ତଦନ୍ତ ଆଳରେ ମିଲରଙ୍କୁ ଧାନ ସ୍ଥାନାନ୍ତର ପାଇଁ ସୁଯୋଗ ଦେଉଛି କି ପ୍ରଶାସନ?

-ଘଟଣା ସାମ୍ନାକୁ ଆସିବାର ୨ ଦିନ ହେଲାଣୀ କାହାକୁ ଅପେକ୍ଷା କରିଛି ପ୍ରଶାସନ?

-ପ୍ରଶାସନର ଆଖିବୁଜା ଆଚରଣ ଧାନ ଅଭାବି ବିକ୍ରିର ସୁଯୋଗ ସୃଷ୍ଟି କରୁଛି ନା ନାହିଁ?