ଅନେକ କଳ୍ପନାଜଳ୍ପନା ପରେ ହଟିଲା ସସପେନ୍ସ : ଫୋନିର କରାଳ ରୂପରୁ କିପରି ବର୍ତ୍ତିଲେ ବାଲୁଖଣ୍ଡ ଅଭୟାରଣ୍ୟର ହରିଣ ?

297

କନକ ବ୍ୟୁରୋ : ବାତ୍ୟା ଫୋନି ସମୟରେ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣମାନେ ନିଜକୁ ରକ୍ଷା କିପରି ରକ୍ଷା କରିଥିଲେ ? ବନ ଅଧିକାରୀଙ୍କ କହିବା ଅନୁସାରେ,କୌଣସି ପ୍ରାକୃତିକ ବିପତ୍ତି ବାବଦରେ ଆଗୁଆ ଠଉରାଇ ନିଅନ୍ତି ଜଙ୍ଗଲୀ ଜନ୍ତୁ । ଯେଉଁଥିପାଇଁ ବାତ୍ୟା ଆସିବାର ବହୁ ପୂର୍ବରୁ ଏମାନେ ଜଙ୍ଗଲରେ ଥିବା ସୁରକ୍ଷିତ ଆଶ୍ରୟକୁ ବାଛିନେଇଥିଲେ । ବାଲି ସ୍ତୁପ, କିଆ ବୁଦା, ବଡବଡ ଗଛ କିମ୍ବା ଜଳାଶୟ ନିକଟରେ ଲୁଚି ରହିଥିଲେ । ଫଳରେ ଏକାଧିକ ହରିଣଙ୍କ ଜୀବନ ବଂଚିଗଲା । କାରଣ ବାତ୍ୟା ଚାଲିଗଲା ପରେ ଅଭୟାରଣ୍ୟରେ କେବଳ ଗୋଟିଏ ହରିଣର ମୃତଦେହ ଠାବ କରାଯାଇଛି ।

ବାଲୁଖଣ୍ଡ ଅଭୟାରଣ୍ୟରେ ବାତ୍ୟା ଫୋନିର ପ୍ରଳୟ ପରେ ପିସିସିଏଫ ୱାଇଲ୍ଡ ଲାଇଫଙ୍କ ନିର୍ଦ୍ଦେଶରେ ଗତ ୪ ତାରିଖରୁ ଡିଏଫଓଙ୍କ ନେତୃତ୍ୱରେ ୮ରୁ ୧୦ ଟିମ୍ ଗଠନ କରାଯାଇଥିଲା । ଏମାନେ ଅଭୟାରଣ୍ୟରେ ତନ୍ନତନ୍ନ କରି ଯାଂଚ କରିଥିଲେ । ଉଦ୍ଦେଶ୍ୟ ଥିଲା ଅଭୟାରଣ୍ୟରେ ଥିବା ପ୍ରାୟ ୫ ହଜାର ହରିଣଙ୍କ ଅବସ୍ଥିତି ବାବଦରେ ଠାବ କରିବା । ସୂଚନା ଅନୁସାରେ ଏବେ ହରିଣମାନେ ବାଲୁଖଣ୍ଡରେ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । କାରଣ ଅନେକ ସ୍ଥାନରେ ଏମାନଙ୍କ ଖୋଜ ବା ପାଦଚିହ୍ନ ଦେଖିବାକୁ ମିଳୁଛି । ଏପରିକି ନୂଆନଈ ନେଚର କ୍ୟାମ୍ପରେ ଥିବା ୪ଟି ହରିଣ ମଧ୍ୟ ବାତ୍ୟା ଚାଲିଯିବା ପରେ କ୍ୟାମ୍ପକୁ ଫେରିଆସିଛନ୍ତି ।

ବାତ୍ୟା ପରେ ବାଲୁଖଣ୍ଡରେ ହରିଣଙ୍କ ଅବସ୍ଥିତି ନେଇ ଖବର ସଂଗ୍ରହ କରାଯାଇଥିଲା । ସେଠାରେ ମୁତୟନ ବନ କର୍ମଚାରୀଙ୍କ ସୂଚନା ଅନୁସାରେ, ବନ ବିଭାଗ ପକ୍ଷରୁ ହରିଣ ମାନଙ୍କ ପାଇଁ ୮ରୁ ୧୦ଟି କୃତ୍ରିମ ଚାରଣ ଭୂଇଁ କରାଯାଇଛି । ରାତିରେ ଦେଢଶହରୁ ୨ଶହ ହରିଣ ଏକାଠି ଏହି ଚାରଣଭୂଇଁରେ ଚରୁଥିବାର ଦେଖିବାକୁ ମିଳିଛି । ଦିନ ଅପେକ୍ଷା ଏମାନେ ସଂଧ୍ୟା ପରେ ଏହିସବୁ ଘାସ ପଡିଆରେ ବିଶେଷ ଭାବେ ଦେଖିବାକୁ ମିଳିଥାନ୍ତି ।

ବାତ୍ୟା ପ୍ରଭାବରେ ବାଲୁଖଣ୍ଡରେ ହଜାର ହଜାର ଗଛ ଭାଙ୍ଗି ପଡିଛି । ଏଗୁଡିକୁ ସଫା କରି ହରିଣଙ୍କ ଠିକଣା ଠାବ କରିବା କଷ୍ଟକର ହେଉଛି । ତେବେ ପ୍ରାୟ ୧୧ କିଲୋମିଟର ବ୍ୟାପୀ ଫରେଷ୍ଟ ରୋଡ ସଫେଇ ସରିଛି । ସେହିପରି ସେକ୍ସନ ଲାଇନ୍ ଓ ବାଉଣ୍ଡରୀ ଲାଇନ୍ ସଫେଇ ମଧ୍ୟ କରାଯାଇଛି । ଏବେ ଅତ୍ୟଧିକ ଖରା ହେଉଥିବାରୁ ଓ ଗଛଗୁଡିକ ଭାଙ୍ଗି ପଡିଥିବାରୁ ହରିଣ ଗଣତି କରିବା ମଧ୍ୟ ସମ୍ଭବପର ହେଉନାହିଁ । ଖରାଦିନେ ପଗମାର୍କ ବା ପାଦଚିହ୍ନ ଦେଖି ଗଣନା କରିବା ମଧ୍ୟ ସମ୍ଭବ ନୁହେଁ । ତେଣୁ ହରିଣମାନେ କେଉଁଠି ଅଛନ୍ତି ଓ କେତେ ସଂଖ୍ୟାରେ ଅଛନ୍ତି ତାହା ଜାଣିବାକୁ ଡ୍ରୋନ୍ କ୍ୟାମେରାର ସହାୟତା ନିଆଯିବ ବୋଲି ପିସିସିଏଫ କହିଛନ୍ତି ।

ବାଲୁଖଣ୍ଡରେ ଖବର ସଂଗ୍ରହବେଳେ ଦେଖିବାକୁ ମିଳିଥିଲା ଏକ ସୁନ୍ଦର ମୟୁର । ଗତ ତିନି ତାରିଖରେ ପ୍ରଳୟଙ୍କାରୀ ବାତ୍ୟା ସତ୍ୱେ ଉଦ୍ଧାର ପାଇଯାଇଛି ଏହି ସୁନ୍ଦର ପକ୍ଷୀଟି । ଯାହାକୁ ଦେଖି ଆମ ମନ ଖୁସିରେ ପୁରି ଉଠିଥିଲା ।