ଘର କିଣିବାରେ ଦେଶର ସବୁଠାରୁ ସୁଲଭ ସହର ଭୁବନେଶ୍ୱର, ମହଙ୍ଗା ସହର ମୁମ୍ବାଇ

320

କନକ ବ୍ୟୁରୋ : ଘର କିଣିବାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଦେଶର ସବୁଠାରୁ ସୁଲଭ ସହର । ଭୁବନେଶ୍ୱରରେ ଘର ମୂଲ୍ୟ ଦେଶର ଅନ୍ୟାନ୍ୟ ସହର ତୁଳନାରେ ଯଥେଷ୍ଟ କମ୍ । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସବୁଠୁ ମହଙ୍ଗା ସହର ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି । ମାସିକ ଆୟ ତୁଳନାରେ ମଧ୍ୟମ ଧରଣର ଘର ମୂଲ୍ୟ ହିସାବକୁ ନେଇ ଆରବିଆଇ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟ ଅନୁସାରେ ୨୦୧୯ ମାର୍ଚ୍ଚ ସୁଦ୍ଧା ମୁମ୍ବାଇର ସ୍କୋର ୭୪.୪ ରହିଥିବାବେଳେ ଭୁବନେଶ୍ୱରର ୫୪.୩ ରହିଛି ।

ଗୁରୁବାରଦିନ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରେସିଡେନ୍ସିଆଲ ଆସେଟ ପ୍ରାଇସ ମନିଟରିଂ ସର୍ଭେରେ କୁହାଯାଇଛି ଯେ ଭାରତରେ ସରକାର ସୁଲଭ ଗୃହ ନିର୍ମାଣ ଉପରେ ବିଗତ କିଛି ବର୍ଷ ଧରି ଗୁରୁତ୍ୱ ଦେଉଥିବା ସତ୍ତ୍ୱେ ଦେଶରେ ଘରଗୁଡିକ ମହଙ୍ଗା ହୋଇଚାଲିଛି । ମୁମ୍ବାଇରେ ଘର କ୍ରୟ କରିବା ସବୁଠାରୁ ବ୍ୟୟବହୁଳ । ଏହାର କାରଣ ହେଉଛି ଗତ ୪ ବର୍ଷ ମଧ୍ୟରେ ଘରମୂଲ୍ୟ ଓ ଆୟ ଅନୁପାତ ୫୬.୧ ରୁ ବୃଦ୍ଧି ପାଇ ୬୧.୫ ରେ ପହଞ୍ଚିଛି । ଏହି ସର୍ଭେ ଦେଶର ୧୩ଟି ସହର ମୁମ୍ବାଇ, ଦିଲ୍ଲୀ, ଭୁବନେଶ୍ୱର, ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ,ଚଣ୍ଡିଗଡ, ଭୋପାଳ, ଲକ୍ଷ୍ନୌ, ଅହମଦାବାଦ, ଜୟପୁର, ପୁନେ ଓ କୋଲକତାରେ କରାଯାଇଥିଲା ।