କନକ ବ୍ୟୁରୋ : ସରକାରଙ୍କ ପୁରୀ ବିକାଶ ସ୍ବପ୍ନରେ କରୋନା ସାଜିଛି ବାଧକ। ସରକାରଙ୍କ ବିଶ୍ବ ଐତିହ୍ୟ ସହର ଯୋଜନା ଅଶଙ୍କା ଭିତରକୁ ଠେଲି ହୋଇଯାଇଛି। ପ୍ରାଚୁର୍ଯ୍ୟ ଭରା ମହାପ୍ରଭୁଙ୍କ କ୍ଷେତ୍ର ତଥା ରାଜ୍ୟ ପର୍ଯ୍ୟଟନ ରାଜଧାନୀ ପୁରୀ ଅର୍ଥନୀତି ଭୁଶୁଡି ପଡିଲାଣି। ପୁରୀ ଲୋକଙ୍କ ଦୟନୀୟ ଆର୍ଥିକ ସ୍ଥିତି ଏବେ ଚିନ୍ତାଜନକ ହୋଇପଡ଼ିଛି। ସବୁଠି ହାହାକାର ସ୍ଥିତି ଉପୁଜିଲାଣି। ଫନି ପରବର୍ତ୍ତୀ ମୁକାବିଲାରେ ବିଫଳ ପ୍ରଶାସନ ୧୧ ମାସ ପରେ ଲୋକଙ୍କ ପାଖରେ ସହାୟତା ପଞ୍ଚାଇ ପାରିନାହିଁ। ଶହ ଶହ ଶିକ୍ଷାନୁଷ୍ଠାନ ଏବେ ବି ଭୂଇଁରୁ ଉଠି ପାରିନାହିଁ। ଫନିରେ ଭାଂଗିଥିବା ଘର ସଜଡ଼ା ହୋଇନାହିଁ।
ଉଜୁଡ଼ି ଥିବା ଫସଲ ବା ନଡିଆ ଗଛର ସହାୟତା ଏ ଯାଏ ସଂପୂର୍ଣ୍ଣ ମିଳିନାହିଁ। ସେପଟେ ସରକାରଙ୍କ ଐତିହ୍ୟ କରିଡ଼ର ଯୋଜନାରେ ବେଘର ହୋଇଥିବା ସ୍ଥାନୀୟ ଲୋକ, ଜୀବିକା ହରାଇଥିବା ଶହ ଶହ ବ୍ୟବସାୟୀ ଏ ଯାଏ ଥଇଥାନ ହୋଇନାହାନ୍ତି। ଏଭଳି ସଂଗୀନ ସ୍ଥିତିରେ ବର୍ତ୍ତମାନର କରୋନା କଟକଣା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। କରୋନା କଟକଣା ସେମାନଙ୍କ ଜୀବନ ଜୀବିକାକୁ କଲବଲ କରିଛି। ପୁରୀରେ ଥିବା ହଜାରେରୁ ଅଧିକ ହୋଟେଲ, ଲଜ୍ରେ ତାଲା ଝୁଲୁଛି। ଶ୍ରୀମନ୍ଦିର, ସମୁଦ୍ରକୂଳ, ବଡଦାଣ୍ଡ ଓ ହୋଟେଲରେ କାମ କରୁଥିବା ପ୍ରାୟ ୧୦ ହଜାର ପରିବାରର ଜୀବିକା ବିପନ୍ନ ହୋଇପଡିଛି।
ଗତ ବର୍ଷକ ଭିତରେ ପୁରୀବାସୀ ତିନୋଟି ସଂକଟର ସମ୍ମୁଖୀନ ହେଲେଣି। ସେଥିରୁ ଦୁଇଟି ପ୍ରାକୃତିକ ଓ ଅନ୍ୟଟି ଆବଶ୍ୟକତାକୁ ଦୃଷ୍ଟିରୁ ରଖି ନିଆଯାଇ ଥିବା ପଦକ୍ଷେପ। ଗତ ମେ ୩ ତାରିଖର ଫନି ବାତ୍ୟା ଯୋଗୁଁ ପୁରୀର ଅର୍ଥନୀତି ଉଜୁଡ଼ି ଯାଇଥିଲା। ଏବେ କରୋନା ଯୋଗୁଁ ପୁରୀ ପର୍ଯ୍ୟଟନ ଶିଳ୍ପକୁ ବଡ଼ ଝଟକା ଲାଗିଛି। ଗତ ଦୁଇ ମାସ ହେବ ସ୍ଥିତି ସୁଧୁରିଥିବା ହୋଟେଲ ଶିଳ୍ପ ଓ ବ୍ୟବସାୟୀଙ୍କ ଉପରେ କରୋନା ଚଡ଼କ ପଡ଼ିଛି। ସରକାରଙ୍କ କଟକଣା, ଲକଡାଉନ ନିଷ୍ପତ୍ତି ଯୋଗୁଁ ପୁରୀ ଏକପ୍ରକାର ଠପ ହୋଇଯାଇଛି। ବଡ଼ଦାଣ୍ଡ ଓ ସମୁଦ୍ରକୂଳରେ ଗତ ୫ ଦିନ ହେବ ଶୁନଶାନ। ପୁରୀ ଭକ୍ତ ଶୂନ୍ୟ ହୋଇପଡ଼ିଛି। ସେ ପଟେ ଐତିହ୍ୟ କରିଡ଼ର ଯୋଗୁଁ ଜୀବିକା ହରାଇଥିବା ୨ ହଜାରରୁ ଅଧିକ ବ୍ୟବସାୟୀ ଜୀବିକା ହରାଇଛନ୍ତି। ପ୍ରଶାସନ ସେମାନଙ୍କୁ ଥଇଥାନ କରିବାରେ ବିଫଳ ହୋଇଛି। କରୋନା କଟକଣା କେତେଦିନ ଚାଲିବ ତାହା ମଧ୍ୟ ଅନିଶ୍ଚିତତା ଭିତରେ ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/belabhumi-re-dokan-bazar-band-o-hotel-khali-2.jpg)